କାର୍‌ ଛାତ ଉପରେ ଲଟକି ରହିଲେ ମୃତ ଯୁବକ, ୩ କିମି ପରେ ରାସ୍ତାରେ ଫିଙ୍ଗିଦେଇ ଚାଲିଗଲେ ଗାଡ଼ି ଚାଳକ

ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ମାମଲା। ଏଠାରେ ଜଣେ କାର୍‌ ଚାଳକ ବାଇକ୍‌ ଚଳାଉଥିବା ଦୁଇ ଯୁବକଙ୍କୁ ଜୋର୍‌ରେ ଧକ୍କା ଦେଇଥିଲେ, ଯାହାଫଳରେ ଜଣେ ଯୁବକ କାର୍‌ର ଛାତ ଉପରେ ପଡ଼ିଯାଇଥିଲେ।

ରାଜଧାନୀ ଦିଲ୍ଲୀରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ କେଜି ମାର୍ଗ-ଟୋଲଷ୍ଟୟ ମାର୍ଗର ରେଡ୍‌ ଲାଇଟ୍‌ରେ ଜଣେ କାର୍‌ ଚାଳକ ବାଇକ୍‌ ଚଳାଉଥିବା ଦୁଇ ଯୁବକଙ୍କୁ ଜୋର୍‌ରେ ଧକ୍କା ଦେଇଥିଲେ। ଏହି ଧକ୍କା ଏତେ ଶକ୍ତିଶାଳୀ ଥିଲା ଯେ ବାଇକରେ ବସିଥିବା ଜଣେ ଯୁବକ ବହୁ ଦୂରରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଅନ୍ୟ ଜଣେ ଯୁବକ କାର୍‌ର ଛାତ ଉପରେ ପଡ଼ିଯାଇଥିଲେ।

ଆଶ୍ଚର୍ଯ୍ୟଜନକ କଥା ହେଉଛି, ଧକ୍କା ଦେବା ପରେ ବି ଚାଳକ କାର୍‌ ଅଟକାଇ ନ ଥିଲେ ଏବଂ ସେ ଗାଡ଼ି ଚଳାଇ ଚାଲିଥିଲେ। ଅଭିଯୁକ୍ତ ୩ କିଲୋମିଟର ଯାଏ ଗାଡ଼ିକୁ ଦ୍ରୁତ ବେଗରେ ଚଳାଇଥିଲେ। ପରେ ଦିଲ୍ଲୀ ଗେଟ୍‌କୁ ଆସିବା ପରେ ସେ କାର୍‌ ଛାତରେ ପଡ଼ିଥିବା ଯୁବକଙ୍କୁ ତଳେ ଫିଙ୍ଗି ଦେଇଥିଲେ ଏବଂ ସେଠାରୁ ଖସି ପଳାଇଯାଇଥିଲେ। ଏହି ହିଟ୍‌ ଆଣ୍ଡ ରନ୍‌ ଘଟଣାରେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ ମହମ୍ମଦ ବିଲାଲ ଏହି ପୂରା ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ। ମହମ୍ମଦ କ୍ରମାଗତ ଭାବରେ ତାଙ୍କ ସ୍କୁଟିରେ କାର୍‌କୁ ପିଛା କରିଥିଲେ ଏବଂ ହର୍ଣ୍ଣ ବଜାଇ ଜୋର୍‌ରେ ପାଟି କରି ଚାଲିଥିଲେ, ତଥାପି ଅଭିଯୁକ୍ତ କାର୍‌ ଅଟକାଇ ନ ଥିଲେ।

ଜଣାପଡ଼ିଛି ଯେ ବାଇକ୍ ଚଳାଉଥିବା ଉଭୟ ଯୁବକ ଦୁଇ ଭାଇ ଥିଲେ। ଏଥିରେ ବଡ଼ ଭାଇ ୩୦ ବର୍ଷୀୟ ଦୀପାଂଶୁ ବର୍ମାଙ୍କର ମୃତ୍ୟୁ ହୋଇଛି ଏବଂ ତାଙ୍କ ପିଉସୀ ପୁଅ ଭାଇ ୨୦ ବର୍ଷୀୟ ମୁକୁଲଙ୍କ ଅବସ୍ଥା ଗୁରୁତର ରହିଛି।