ଓମିକ୍ରନ୍ ଚିନ୍ତା: ଜାନୁୟାରୀ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ଉଡାଣ ସ୍ଥଗିତ

ନୂଆଦିଲ୍ଲୀ : ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନକୁ ସ୍ଥଗିତ ରଖିଲେ ସରକାର । ବିମାନ ଚଳାଚଳ ନିୟାମକ ସଂସ୍ଥା ଡିଜିସିଏ ଗୁରୁବାର ଏହି ସୂଚନା ଦେଇଛନ୍ତି। ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନ୍ ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଉପରେ ରୋକ ଲଗାଇ ଦିଆଯାଇଛି । ଅର୍ଥାତ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ି ପାରିବ ନାହିଁ । କରୋନା ପାଇଁ ଦୀର୍ଘ ମାସ ହେବ ବିମାନ ସେବା ଉପରେ ରୋକ୍ ଲଗାଇଥିଲେ ସରକାର । ହେଲେ ସଂକ୍ରମଣ କମିବା ପରେ ଧୀରେ ଧୀରେ ବିମାନ ସେବା ସ୍ୱାଭାବିକ ହେଉଥିଲା । ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ସେବା ସ୍ୱାଭାବିକ ହେବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । କିନ୍ତୁ ଓମିକ୍ରନ ପାଇଁ ସରକାର ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ।

ନିୟାମକ ଗୁରୁବାର ଏକ ସର୍କୁଲାର ଜାରି କରି କହିଛନ୍ତି ଯେ, ଧାର୍ଯ୍ୟ ହୋଇଥିବା ଅନ୍ତର୍ଜାତୀୟ ବାଣିଜ୍ୟିକ ଯାତ୍ରୀ ସେବା ସ୍ଥଗିତାଦେଶକୁ ଜାନୁୟାରୀ ୩୧, ୨୦୨୨ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଦକ୍ଷ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କରୋନା ଭାଇରସ୍ ମହାମାରୀ କାରଣରୁ ମାର୍ଚ୍ଚ ୨୩, ୨୦୨୦ ଠାରୁ ଭାରତରେ ଅନୁସୂଚିତ ଆନ୍ତର୍ଜାତୀୟ ଯାତ୍ରୀ ସେବା ସ୍ଥଗିତ ରହିଛି । କିନ୍ତୁ ବନ୍ଦେ ଭାରତ ମିଶନ ଅଧୀନରେ ୨୦୨୦ ମସିହା ଜୁଲାଇ ମାସରୁ ମନୋନୀତ ଦେଶମାନଙ୍କ ସହିତ ଦ୍ୱିପାକ୍ଷିକ ‘ଏୟାର ବବୁଲ’ ବ୍ୟବସ୍ଥାରେ ସ୍ୱତନ୍ତ୍ର ଆନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି । ଆମେରିକା, ବ୍ରିଟେନ, UAE, କେନିଆ, ଭୂଟାନ ଏବଂ ଫ୍ରାନ୍ସ ସମେତ ପ୍ରାୟ ୩୨ ଟି ଦେଶ ସହିତ ଭାରତ ଏୟାର ବବୁଲ ଚୁକ୍ତି କରିଛି । ଦୁଇ ଦେଶ ମଧ୍ୟରେ ଏକ ଏୟାର ବବୁଲ ଚୁକ୍ତିନାମା ଅନୁଯାୟୀ, ଏହି ଦେଶଗୁଡିକରେ ସ୍ୱତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରାଯାଇପାରିବ ।

ଏଥିସହିତ ଓମିକ୍ରନର ମୁକାବିଲା ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ବିମାନବନ୍ଦରରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ସଂକ୍ରମଣ ପ୍ରବଳ ଦେଶ ବା ରିସ୍କ ରାଷ୍ଟ୍ରରୁ ଆସୁଥିବା ଲୋକମାନଙ୍କର କରୋନା ଟେଷ୍ଟ ବିମାନବନ୍ଦରରେ କରାଯାଉଛି । ସେମାନଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖା ଯାଉଛି । ତେବେ ଚଳିତ ବର୍ଷ ନଭେମ୍ବର ୨୬ରେ କେନ୍ଦ୍ର ସରକାର ଡିସେମ୍ବର ୧୫ରୁ ନିୟମିତ ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଥିଲେ । କିନ୍ତୁ ଏବେ ଜାନୁଆରୀ ୩୧ ଯାଏ ବିଦେଶକୁ ବିମାନ ଉଡ଼ାଣ ଉପରେ ରୋକ ଲଗା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.