ରାଜସ୍ଥାନର ଥର ମରୁଭୂମିରେ ମିଳିଲା ଡାଇନୋସରର ୧୫ କୋଟି ବର୍ଷ ପୁରୁଣା ପାଦ ଚିହ୍ନ

ରାଜସ୍ଥାନରେ ଡାଇନୋସର। ରାଜସ୍ଥାନର ଯୋଧପୁରରେ ଜୟନାରାୟଣ ବ୍ୟାସ ୟୁନିଭର୍ସିଟିର ଜିଓଲଜିକାଲ ବିଭାଗର ଏକ ଟିମ୍‌ ୟୁବଲ୍ଟସ୍‌ ଗ୍ଲନରୋନ୍ସେନ୍ସିସ୍‌ ଥେରୋପଡ୍‌ ଡାଇନୋସରର ୧୫ କୋଟି ବର୍ଷ ପୁରୁଣା ପାଦ ଚିହ୍ନ ଖୋଜି ବାହାର କରିଛନ୍ତି। ଏହି ପାଦ ଚିହ୍ନ ଜେସଲମେର ଜିଲ୍ଲାର ଲାଠି ଫର୍ମେସନ୍‌ର ଥର ମରୁଭୂମିରେ ଦେଖିବାକୁ ମିଳିଛି। ଏହି ଡାଇନୋସର ୧ରୁ ୩ ମିଟର ଲମ୍ବା ହୋଇଥାନ୍ତି ଓ ଏମାନେ ସାଧାରଣତଃ ସମୁଦ୍ରକୂଳିଆ ଅଞ୍ଚଳରେ ବସବାସ କରନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ୟୁବଲ୍ଟସ୍‌ ଗ୍ଲନରୋନ୍ସେନ୍ସିସ୍‌ ଥେରୋପଡ୍‌ ଡାଇନୋସର ସାଧାରଣତଃ ଫ୍ରାନ୍ସ, ପୋଲାଣ୍ଡ, ଚେକୋ ସ୍ଲୋଭାକିଆ, ଇଟାଲୀ, ସ୍ପେନ୍‌, ସ୍ୱିଡେନ୍‌, ଅଷ୍ଟ୍ରେଲିଆ ଓ ଆମେରିକାରେ ନଜର ଆସନ୍ତି। ଏହି ପାଦଚିହ୍ନକୁ ଟିମ୍‌ର ସଦସ୍ୟ ବୀରେନ୍ଦ୍ର ସିଂହ ପରିହାର, ଡା.ସୁରେଶ ଚନ୍ଦ୍ର ମାଥୁର ଓ ଡା.ଶଙ୍କର ଲାଲ ନାମା ପ୍ରଥମେ ଖୋଜିଥିଲେ। ପରିହାରଙ୍କ କହିବାନୁସାରେ, ଏହି ଡାଇନୋସରର ପାଦ ଚିହ୍ନ ପାଖପାଖି ୩୦ ସେମି ଲମ୍ବା। ପାଦଟି ମୋଟା ଓ ଏଥିରେ ୩ଟି ଆଙ୍ଗୁଠି ରହିଛି।

ରାଜସ୍ଥାନର କଚ୍ଛ ଉପକୂଳରେ ଡାଇନୋସରର ଅବଶେଷ ମିଳିବା ସମ୍ଭାବନା ରହିଛି ବୋଲି ଏହି ଟିମ୍‌ ଆଶା ପ୍ରକାଶ କରିଛି। ଏହି ରିସର୍ଚ୍ଚରେ ସଫଳତା ମିଳିଲେ ଡାଇନୋସର ବଂଶ ଲୋପ ପାଇବାର କାରଣ ଜଣାପଡ଼ିବ ବୋଲି ଟିମ୍‌ର ମୁଖ୍ୟ କହିଛନ୍ତି। ତେବେ ପାଦ ଚିହ୍ନ ମିଳିବା ପରେ ସ୍ପଷ୍ଟ ହୋଇଛି ଯେ ଭାରତରେ ବି କୋଟି କୋଟି ବର୍ଷ ତଳେ ଡାଇନୋସର ବାସ କରୁଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.