ଲିବ୍ୟାରେ ତାଣ୍ଡବ ରଚିଲା ଡାନିଏଲ, ୨୦ ହଜାର ଛୁଇଁବ ମୃତ୍ୟୁ ସଂଖ୍ୟା

ହଜାର ହଜାର ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଛାରଖାର ହୋଇଯାଇଛି ଅନେକ ପରିବାର । ବାତ୍ୟା କାରଣରୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨୦, ୦୦୦ ଛୁଇଁବ ବୋଲି ଆଶା କରାଯାଉଛି । ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି ।

ସମୁଦ୍ରରେ ଭାସୁଛି କୁଢ଼ କୁଢ଼ ଶବ । ଡାନିଏଲ ବାତ୍ୟା ରଚିଛି ମୃତ୍ୟୁର ତାଣ୍ଡବ । ଚାରିଆଡ଼େ ହାହାକାର । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ସମଗ୍ର ସହର । ଲିବ୍ୟାରେ ଡାନିଏଲ ନାମକ ଶକ୍ତିଶାଳୀ ବାତ୍ୟା ଭୟଙ୍କର ବିନାଶ ଘଟାଇଛି । ହଜାର ହଜାର ଲୋକ ଏହି ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି । ଛାରଖାର ହୋଇଯାଇଛି ଅନେକ ପରିବାର । ବାତ୍ୟା କାରଣରୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୨୦, ୦୦୦ ଛୁଇଁବ ବୋଲି ଆଶା କରାଯାଉଛି । ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ଏହି ବାତ୍ୟା ଏତେ ଭୟଙ୍କର ଥିଲା ଯେ ଅନେକ ଡ୍ୟାମ ଭାଙ୍ଗି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସବୁଠାରୁ ଡେର୍ଣ୍ଣା ସହରରେ ଅଧିକ କ୍ଷୟକ୍ଷତି ହୋଇଛି । ବନ୍ୟା ଯୋଗୁଁ ପୁରା ସହର ଧ୍ୱଂସ ହୋଇଯାଇଛି । ବର୍ତ୍ତମାନ ମୃତ୍ୟୁସଂଖ୍ୟା ୧୧,୩୦୦ ଛୁଇଁଛି ।

ଡେର୍ଣ୍ଣାରେ ଆସିଥିବା ବିନାଶକାରୀ ବାତ୍ୟାରେ ହଜାର ହଜାର ଲୋକ ମରିଯାଇଥିବାବେଳେ ଅନେକ ଲୋକ ସମୁଦ୍ରରେ ଭାସି ଯାଇଛନ୍ତି । ଏହାରି ମଧ୍ୟରେ ଉଦ୍ଧାର କରୁଥିବା କର୍ମଚାରୀମାନେ ଅଧିକ ବଡି ବ୍ୟାଗ ପାଇଁ ଦାବି କରିଛନ୍ତି । ବାତ୍ୟା ସମୟରେ ବହୁ ମହଲା କୋଠା ଘର ଅନେକ ପରିବାର ସହିତ ଭୁଶୁଡ଼ି ପଡ଼ିଥିଲା । ମୃତ୍ୟୁ ସଂଖ୍ୟା ୨୦,୦୦୦ରୁ ଅଧିକ ହେବ ବୋଲି ସ୍ଥାନୀୟ ମେୟର ସୂଚନା ଦେଇଛନ୍ତି । ଏହି ସହରକୁ ଯୋଗାଯୋଗର ସମସ୍ତ ରାସ୍ତା ବିଚ୍ଛିନ୍ନ ହୋଇଯାଇଛି । ବିମାନବନ୍ଦର ମଧ୍ୟ ଧ୍ୱଂସ ହୋଇଯାଇଛି ।

ବନ୍ୟା ପରିସ୍ଥିତି ପାଇଁ ଲିବ୍ୟାରେ ପିଇବା ପାଣି, ବିଦ୍ୟୁତ, ଖାଦ୍ୟ ଏବଂ ପେଟ୍ରୋଲ ଭଳି ଅତ୍ୟାବଶ୍ୟକୀୟ ଜିନିଷ ମିଳୁନାହିଁ, ସମଗ୍ର ସହର ନଷ୍ଟ ହୋଇଯାଇଛି । ଡେର୍ଣ୍ଣା ସହରରୁ ଲୋକମାନେ ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ରାସ୍ତା ବନ୍ଦ ହୋଇ ଯାଉଥିବାରୁ ସେଠାରେ ଅଟକି ଯାଇଥିଲେ । କିଛି ଲୋକ ସ୍କୁଲଗୁଡ଼ିକରେ ଆଶ୍ରୟ ନେଇଛନ୍ତି ।
ଅଧିକାରୀମାନେ ନିଖୋଜ ହୋଇଥିବା ଲୋକଙ୍କ ସଂଖ୍ୟା ୧୦,୦୦୦ କହିଛନ୍ତି । ଅନ୍ୟପଟେ ମିଳିତ ଜାତିସଂଘର ଏଜେନ୍ସି OCHA କହିଛି ଯେ ନିଖୋଜ ଲୋକଙ୍କ ସଂଖ୍ୟା ଅତି କମରେ ୫୦୦୦ ହୋଇପାରେ । ସମୁଦ୍ର କୂଳରେ ପୋଷାକ, ଖେଳନା, ଘରର ଆସବାବପତ୍ର, ଜୋତା ଏବଂ ଅନ୍ୟାନ୍ୟ ଜିନିଷ ପଡ଼ିଥିବା ଦେଖିବାକୁ ମିଳିଛି । ରାସ୍ତା କାଦୁଅରେ ଭର୍ତ୍ତି ହୋଇଥିବା ସହ ଅନେକ ଗୁୁଡ଼ିଏ ଗଛ ଉପୁଡ଼ି ଯାଇଛି ଏବଂ ଶହ ଶହ କ୍ଷତିଗ୍ରସ୍ତ କାର ରାସ୍ତାରେ ପଡ଼ିଛି ।
ଅନେକ ଲୋକ ଜଳସ୍ରୋତରେ ଭୂମଧ୍ୟ ସାଗରକୁ ଭାସିଯାଇଥିଲେ । ବର୍ତ୍ତମାନ ସମୁଦ୍ରରୁ କୁଢ଼ କୁଢ଼ ମୃତଦେହ ଉଦ୍ଧାର ହେଉଛି । ଡେର୍ଣ୍ଣା ସହର ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିବାରୁ ସହାୟତା କରାଯାଇ ପାରୁନାହିଁ । ଭାସିଯାଇଥିବା ଶବଗୁଡ଼ିକୁ ଉଦ୍ଧାର କରିବାରେ ସମସ୍ୟା ଦେଖାଯାଉଛି । ବାତ୍ୟାର ଭୟାବହତା ପରେ ଶବକୁ ସାମୁହିକ ଭାବେ ପୋତା ଯାଉଛି । ଏନେଇ ଜେସିବି ବଡ଼ ବଡ଼ ଗାତ ଖୋଲୁଥିବା ଜଣା ପଡ଼ିଛି ।

ଦୀର୍ଘଦିନ ଧରି ଗୃହ ଯୁଦ୍ଧର ସାମ୍ନା କରୁଥିବା ଆଫ୍ରିକୀୟ ଦେଶ ଲିବ୍ୟାରେ ଘଟିଥିବା ଏହି ଭୟାବହ ତାଣ୍ଡବ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । ଡେର୍ଣ୍ଣା ସହରର ପାଖାପାଖି ଅଧା ଅଂଶ ଧ୍ୱଂସ ହୋଇଯାଇଛି । ତେବେ ବିଶ୍ୱ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ଏଭଳି ତାଣ୍ଡବକୁ ରୋକା ଯାଇ ପାରିଥାନ୍ତା କିନ୍ତୁ ଲିବ୍ୟାର ପାଣିପାଗ ବିଭାଗ ସକ୍ରିୟ ନଥିବାରୁ ଏଭଳି ବିନାଶ ଘଟିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.