ପଶ୍ଚିମବଙ୍ଗରେ ଇଡିର ଚଢଉ: ପୂର୍ବତନ ଶିକ୍ଷା ମନ୍ତ୍ରୀଙ୍କ ନିକଟତରଙ୍କ ଘରୁ ମିଳିଲା ନଗଦ ୨୦ କୋଟି ଟଙ୍କା

ନୂଆଦିଲ୍ଲୀ : ଲକ୍ଷେ କି ଦୁଇ ଲକ୍ଷ ନୁହେଁ । ଦଶ ଲକ୍ଷ କି ୨୦ ଲକ୍ଷ ନୁହେଁ କି କୋଟିଏ କି ଦୁଇ କୋଟି ନୁହେଁ । ଏକାଥରକେ ୨୦ କୋଟି ନଗଦ ଟଙ୍କା। କଥା ଟିକେ ଅଡୁଆ ଲାଗୁଥିବ। ଆମେ କହୁଛୁ ଶୁକ୍ରବାର ଇଡି ପକ୍ଷରୁ କୋଲକତାରେ ଏକ ରେଡ୍‌ କରାଯାଇଥିବା କଥା । ପଶ୍ଚିମବଙ୍ଗରେ ଶିକ୍ଷା ଭର୍ତ୍ତି ଦୁର୍ନୀତିର ଯାଞ୍ଚ କରାଯିବା ସମୟରେ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ନିକଟତର କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ଉ ହୋଇଛି । ଏହି ଚଢ଼ଉ ସମୟରେ ୨୦ କୋଟି ଟଙ୍କା ନଗଦ ଜବତ ହୋଇଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ନଗଦ ଟଙ୍କାର ଫଟୋକୁ ଟ୍ୱିଟ କରି କହିଛି, ‘ପଶ୍ଚିମବଙ୍ଗ ସ୍କୁଲ ସର୍ଭିସ କମିଶନ ଏବଂ ପଶ୍ଚିମବଙ୍ଗ ପ୍ରାଇମେରୀ ବୋର୍ଡ ଏଜୁକେସନ ବୋର୍ଡରେ ଭର୍ତ୍ତି ସହ ଜଡିତ ଏକ ମାମଲାରେ ଇଡି ଚଢଉ କରିଛି’।

ସୂତ୍ର ଅନୁସାରେ ଇଡିର ଆଠ ଜଣ ଅଧିକାରୀ ସକାଳ ପ୍ରାୟ ସାଢେ ୮ଟାରେ ଚଢଉ ଆରମ୍ଭ କରିଥିଲେ । ବିଭିନ୍ନ ସ୍ଥାନରେ ଇଡି ପକ୍ଷରୁ ରେଡ୍‌ ହୋଇଥିବା ବେଳେ, କେବଳ ଅର୍ପିତା ମୁଖାର୍ଜୀଙ୍କ ଘରୁ ଆଖି ତରାଟିଲା ଭଳି ଟଙ୍କା ବାହାରିଛି । ସର୍ଚ୍ଚ ଅପରେଶନ ବେଳେ ଅର୍ପିତାଙ୍କ ଘରୁ ୨୦ କୋଟି ଟଙ୍କା ଜବତ କରାଯାଇଛି । ଏସଏଏସି ସ୍କାମରେ ଏହି ଟଙ୍କା ଆଦାୟ କରାଯାଇଥିବା ସନ୍ଦେହ କରାଯାଉଛି ।

ତେବେ ଅର୍ପିତାଙ୍କ ଘରୁ ମିଲିଥିବା ଏହି ନଗଦ ଟଙ୍କାକୁ ଗଣିବା ପାଇଁ ବ୍ୟାଙ୍କ କର୍ମଚାରୀ ଏବଂ ଟଙ୍କା ଗଣିବା ମେସିନର ସାହାଯ୍ୟ ନେବାକୁ ପଡିଥିଲା। ଏହାସହ ଅର୍ପିତାଙ୍କ ଘରୁ ୨୦ରୁ ଅଧିକ ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି । ଏବଂ ଅର୍ପିତାଙ୍କ ଘରୁ ନୂଆ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ ବାହାରିଛି । ଏତେ ସଂଖ୍ୟାର ଫୋନ କେଉଁ କାମରେ ବ୍ୟବହାର କରାଯାଉଥିଲା ସେ ଦିଗରେ ମଧ୍ୟ ଏଜେନ୍ସି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କ ଘରେ ମଧ୍ୟ ଇଡି ରେଡ୍‌ କରିଥିଲା । କିନ୍ତୁ ଏହି ପୂରା ବିବାଦରେ ତୃଣମୂଳ କଂଗ୍ରେସ ନିଜକୁ ଦୂରେଇ ରଖିଛି, ଯେଉଁ ବିବାଦ ପାର୍ଟି ଓ ସରକାରଙ୍କ ପାଇଁ ଅଡୁଆ ବଢ଼ାଇପାରେ । ତୃଣମୂଳ କଂଗ୍ରେସ ଏକ ବୟାନ ଜାରି କରି ନିଜକୁ ଏହି ଦୁର୍ନୀତିରୁ ଦୂରେଇ ରହିଛି । କୁହାଯାଉଛି ଯେ, ଟିଏମ୍‌ସିର ଏହି ଟଙ୍କା ସହିତ କୌଣସି ନେଣ-ଦେଣ ନାହିଁ । ତଦନ୍ତ ସମୟରେ ଯାହାର ନାଁ ଆସିଛି, ତାଙ୍କୁ ଜବାବ ଦେବାର ଅଛି । ଟିଏମ୍‌ସି ଏବେ ପୂରା ମାମଲାକୁ ଅତି ନିକଟରୁ ଦେଖୁଛି । ଠିକ ସମୟରେ ପ୍ରତିକ୍ରିୟା ଦେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.