Below header

ଗଣତିର ପୂର୍ବରୁ ଜୋର ଧରିଲା ଇଭିଏମ୍‌ ବିବାଦ : ବିରୋଧୀଙ୍କ ଦାବି, ଗଣତି ଆରମ୍ଭରୁ ୫ ଇଭିଏମ୍‌ ସହ ଭିଭିପାଟ୍‌ ଟାଲି

ଭୋଟ ଗଣତି ବେଳେ ପ୍ରତି ବିଧାନସଭା କ୍ଷେତ୍ରର ୫ଟି ବୁଥ୍‌ର ଇଭିଏମ୍‌ ସହ ଭିଭିପାଟ ସ୍ଲିପ୍‌ର ଟାଲି ହେବ। କୌଣସି ସନ୍ଦେହ ଦୂର କରିବାକୁ ଏପରି କରାଯିବ। ଟାଲି ବେଲେ ଯଦି ଇଭିଏମ୍‌ ଭୋଟ ଓ ଭିଭିପାଟ୍‌ ସ୍ଲିପ ମଧ୍ୟ ତାଳମେଳ ନ ରହିଲା, ତେବେ କଣ ହେବ? ଏହାକୁ ନେଇ ନିର୍ବାଚନ କମିଶନ କୌଣସି ସ୍ପଷ୍ଟ ନିର୍ଦ୍ଦେଶ ରଖି ନାହାନ୍ତି। ବିରୋଧୀ ଦଳଙ୍କ ଦାବି, ଆରମ୍ଭରୁ ହିଁ ପ୍ରଥମେ ୫ଟି ଇଭିଏମ୍‌ ସହ ଭିଭିପାଟ୍‌ ଭୋଟ୍‌ ଟାଲି କରି ଗଣତି କରାଯାଉ। ଯଦି ସବୁ କିଛି ଠିକ୍‌ ଥାଏ ତେବେ ଇଭିଏମ୍‌ ଗଣତି ହେଉ। ଯଦି ତ୍ରୁଟି ବାହାରିଲା, ତେବେ ପୂରା ବିଧାନସଭା କ୍ଷେତ୍ରର ଇଭିଏମ୍‌ ସହ ଭିଭିପାଟ୍‌ ସ୍ଲିପର ଟାଲି କରାଯାଉ। ଏହାସହ ଇଭିଏମ୍‌ର ସୁରକ୍ଷା ଓ ଟ୍ରାକିଂକୁ ନେଇ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ୧୯ଟି ଦଳ। ଆଜି ଦିଲ୍ଲୀରେ ଏକାଠି ହୋଇଥିଲେ ୧୯ଟି ଦଳ। ବିଭିନ୍ନ ଦାବି ନେଇ ନିର୍ବାଚନ କମିଶନଙ୍କୁ ଭେଟିଥିଲେ। ଦାବି ସମ୍ପର୍କରେ କାଲି ନିର୍ବାଚନ କମିଶନ ନିଷ୍ପତ୍ତି ନେବ।

ଗଣତି ପୂର୍ବରୁ ଉତ୍ତରପ୍ରଦେଶ, ବିହାର, ପଞ୍ଜାବ ଓ ହରିୟାଣାର କିଛି ସ୍ଥାନରେ ଇଭିଏମ୍‌କୁ ନେଇ ଉତ୍ତେଜନା ଦେଖା ଦେଇଛି। ଅଭିଯୋଗ ହେଉଛି ଇଭିଏମଗୁଡିକୁ ବଦଳାଇ ଦିଆଯାଉଛି। ଯାହାକୁ ନେଇ ଷ୍ଟ୍ରଙ୍ଗ ରୁମ୍‌ ଆଗରେ ଦେଖିବାକୁ ମିଳୁଛି ବିକ୍ଷୋଭ ପ୍ରଦର୍ଶନ। ଉତ୍ତର ପ୍ରଦେଶର ଡମରିଆଗଞ୍ଜ, ଝାନ୍‌ସୀ, ମଉ, ମିର୍ଜାପୁର ସହ ହରିୟାଣା, ପଞ୍ଜାବ ଓ ବିହାରରେ ମଧ୍ୟ ଇଭିଏମ୍‌କୁ ନେଇ ଅନେକ ସ୍ଥାନରେ ବିବାଦ ଦେଖା ଦେଇଛି। ଇଭିଏମ୍‌ ନେବା ଆଣିବାରେ ସନ୍ଦେହ ସୃଷ୍ଟି ହୋଇଛି।

ସେପଟେ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି କୌଣସି ଅନିୟମିତତା ହୋଇ ନାହିଁ। ଯେଉଁ ଇଭିଏମ୍‌ଗୁଡିକ ଭିଡିଓ ଦେଖାଯାଉଛି ତାହା ଭୋଟିଂରେ ବ୍ୟବହାର କରାଯାଇ ନାହିଁ। ସେପଟେ ଏନ୍‌ଡିଏ ଦଳଗୁଡିକ କହୁଛନ୍ତି, ଇଭିଏମ୍‌ ଅନିୟମିତତା କଥାରେ କୌଣସି ସତ୍ୟତା ନାହିଁ। ଯେଉଁ ଗୋଷ୍ଠୀ ହାରିବାକୁ ଯାଉଛନ୍ତି ସେମାନେ ଏପରି ଅଭିଯୋଗ କରୁଛନ୍ତି।

ଏକ୍‌ଜିଟ୍‌ ପୋଲ କହୁଛିତ ଏନ୍‌ଡିଏକୁ ବହୁମତ ମିଳିବ। ବିରୋଧୀ ବିଫଳ ହେବ। ସେପଟେ ଗଣତି ପୂର୍ବରୁ ଏକଜୁଟ୍‌ ହୋଇଛନ୍ତି ବିରୋଧୀ। ଇଭିଏମ୍‌କୁ ପ୍ରସଙ୍ଗ କରିSP,BSP,TDP,TMC,RJD,JDS,CPI,CPM,NCP, DMK ଏପରି ୧୯ ଦଳ ମିଳିତ ଭାବେ ନିର୍ବାଚନ କମିଶନଙ୍କୁ ଭେଟିଥିଲେ।

ଅନ୍ୟପଟେ ଇଭିଏମ୍‌ ବିବାଦକୁ ନେଇ ନିଜ ମତ ରଖିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଭୋଟରଙ୍କ ମତ ଟାମ୍ପରିଂ ନେଇ ଆସୁଥିବା ରିପୋର୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। କହିଛନ୍ତି, ଇଭିଏମ୍‌ଗୁଡିକର ସୁରକ୍ଷା ନିର୍ବାଚନ କମିଶନର ଦାୟିତ୍ୱ। ଏପରି କୌଣସି କଳ୍ପନାଜଳ୍ପନାକୁ ସୁଯୋଗ ଦେବା କଥା ନୁହଁ, ଯାହା ଗଣତନ୍ତ୍ର ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିବ। ଲୋକଙ୍କ ମତ ପବିତ୍ର ତେଣୁ ତାହା ସବୁ ସନ୍ଦେହରୁ ଉପରେ ରହିବା ଉଚିତ। ପ୍ରତିଷ୍ଠାନର ଅଖଣ୍ଡତା ବଜାୟ ରଖିବାର ସବୁ ଦାୟିତ୍ୱ ଏବେ ଭାରତୀୟ ନିର୍ବାଚନ କମିଶନ ଉପରେ ରହିଛି। ସେହି ଦାୟିତ୍ୱ ସେମାନେ ତୁଲାଇବା ଉଚିତ ଓ ସବୁ କଳ୍ପନାଜଳ୍ପନାର ଅବସାନ ହେବ ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.