ଧାରଣାସ୍ଥଳ ପାଲଟିଲା ଯୁଦ୍ଧକ୍ଷେତ୍ର, ଜନ୍ତରମନ୍ତରରେ ପୋଲିସ ଏବଂ ରେସଲର ମୁହାଁମୁହିଁ
ଦିଲ୍ଲୀର ଜନ୍ତରମନ୍ତର ଧାରଣାସ୍ଥଳ ପାଲଟିଲା ଯୁଦ୍ଧକ୍ଷେତ୍ର । ରେସଲର ଏବଂ ପୋଲିସ ବେଡ୍ ପାଇଁ ମୁହାଁମୁହିଁ । ଘଟଣାରେ ଭିନେଶ ଫୋଗଟଙ୍କ ଭାଇଙ୍କ ମୁଣ୍ଡ ଫାଟିଲା ।
ଭାରତୀୟ କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଦିଲ୍ଲୀ ଜନ୍ତରମନ୍ତରରେ ଦୀର୍ଘ ୧୨ ଦିନ ହେଲା ଧାରଣାରେ ବସିଛନ୍ତି ଷ୍ଟାର ରେସଲର । ଆଉ ଗତକାଲି ରାତିରେ ଧାରଣା ସ୍ଥଳ ପାଲଟିଯାଇଥିଲା ଯୁଦ୍ଧ କ୍ଷେତ୍ର । କୁସ୍ତି ଯୋଦ୍ଧାଙ୍କ ସହ ମୁହାଁମୁହିଁ ହୋଇଥିଲା ଦିଲ୍ଲୀ ପୋଲିସ। ରାତିରେ ଶୋଇବା ପାଇଁ ବେଡକୁ ନେଇ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ଏହାପରେ ଜନ୍ତରମନ୍ତର ରାସ୍ତାକୁ ସିଲ୍ କରିଦିଆଯାଇଛି ।
ପୋଲିସ ଆକ୍ରମଣରେ ଭିନେଶ ଫୋଗଟଙ୍କ ଭାଇଙ୍କ ମୁଣ୍ଡ ଫାଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ହେଲେ ପୋଲିସ ସେମାନଙ୍କୁ ମେଡିକାଲ ପଠାଇ ନ ଥିବା ବେଳେ ଧାରଣାସ୍ଥଳରେ ଅଟକ ରଖିଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଦିଲ୍ଲୀରେ ବର୍ଷା ଲାଗି ରହିଥିବାରୁ ରେସଲରମାନେ ବସୁଥିବା ସ୍ଥାନ ଓଦା ହୋଇଯାଇଥିଲା। ଫଳରେ ରାତିରେ ଶୋଇବାରେ ଅସୁବିଧା ହେବାରୁ ଆପ୍ ବିଧାୟକ ସୋମନାଥ ଭାରତୀ କିଛି ଫୋଲଡିଂ ବେଡ ନେଇ ଧାରଣାସ୍ଥଳକୁ ଯାଇଥିଲେ। ଉକ୍ତ ବେଡକୁ ଗାଡ଼ିରୁ ଅନଲୋଡ଼ କରାଯାଉଥିବା ବେଳେ ଏ ସମ୍ପର୍କରେ ପୋଲିସ ପଚାରିଥିଲା। ଏଥିସହ ଧାରଣାସ୍ଥଳକୁ ବେଡ ନେବା ପାଇଁ ଅନୁମତି ନ ଥିବା କହିଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଥିଲା। ପୋଲିସ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି।
#WATCH | Delhi: A scuffle breaks out between protesting wrestlers and Delhi Police at Jantar Mantar pic.twitter.com/gzPJiPYuUU
— ANI (@ANI) May 3, 2023
ପୋଲିସ ମାଡରେ ଭିନେଶ ଫୋଗଟଙ୍କ ଭାଇ ଓ ବଜରଙ୍ଗ ପୁନିଆଙ୍କ ୨ ସମ୍ପର୍କୀୟଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ସେପଟେ ରେସଲରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ଏହି ଘଟଣାକୁ ରେସଲରମାନେ ତୀବ୍ର ନିନ୍ଦା କରିଛନ୍ତି ।
ଏହି ଘଟଣା ପରେ ବଜରଙ୍ଗ ପୁନିଆଙ୍କ ପତ୍ନୀ ଦିଲ୍ଲୀ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶ ଲୋକଙ୍କୁ ବହୁ ସଂଖ୍ୟାରେ ଧାରଣାସ୍ଥଳରେ ପହଞ୍ଚିବାକୁ ଅପିଲ୍ କରିଛନ୍ତି।