ଆମ୍ବୁଲାନ୍ସ ପାଇଁ ୮ ହଜାର ମାଗିଲା ଡ୍ରାଇଭର, ପଇସା ନଥିବାରୁ ଶେଷରେ ୫ ମାସର ପୁଅର ମୃତଦେହକୁ ବ୍ୟାଗରେ ପୁରାଇ ଯାତ୍ରା କଲା ବାପା
ଆମ୍ବୁଲାନ୍ସ ସେବା କାହା ପାଇଁ ? ୫ ମାସର ପୁଅର ମୃତଦେହ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ଶେଷରେ ହତଭାଗା ବାପା ପୁଅର ମୃତଦେହକୁ ବ୍ୟାଗରେ ଭର୍ତ୍ତି କରି ୨୦୦ କିମି ବସ୍ରେ ଯାତ୍ରା କଲା ।
ରୋଗରେ ଛଟପଟ ହୋଇ ମେଡିକାଲରେ ୬ ଦିନ ଚିକିତ୍ସିତ ହେବା ପରେ ଶେଷରେ ଆଖି ବୁଜିଲା ୫ମାସର ପୁଅ । ଆଉ ହତଭାଗା ବାପା ପାଖରେ ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଆଣିବା ପାଇଁ ପଇସା ନଥିଲା । ତେଣୁ ପିଲାର ମୃତଦେହକୁ ବ୍ୟାଗରେ ଧରି ୨୦୦ କିମି ବସ୍ରେ ଯାତ୍ରା କଲା ବାପା । ଏମିତି ଘଟଣା ପଶ୍ଚିମବଙ୍ଗର ସିଲିଗୁଡି ଅଞ୍ଚଳରେ ଘଟିଛି ।
ଖବର ମୁତାବକ, ସିଲିଗୁଡ଼ି ଅଞ୍ଚଳର ଆଶିମ ଦେବଶର୍ମା ନିଜ ୫ ମାସର ପୁଅର ଦେହ ଖରାପ ହେବାରୁ ଉତ୍ତର ବଙ୍ଗର ଏକ ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ। ସେଠାରେ ୬ ଦିନ ଚିକିତ୍ସିତ ହେବା ପରେ ପିଲାଟିର ଜୀବନ ଚାଲିଯାଇଥିଲା । ପୁଅର ଚିକିତ୍ସା କରି ଆଶିମଙ୍କ ପାଖରୁ ସବୁ ଟଙ୍କା ସରିଯାଇଥିଲା । ତେଣୁ ପିଲାର ମୃତଦେହକୁ ଆମ୍ବୁଲାନ୍ସରେ ଘରକୁ ଆଣିବା ପାଇଁ ଟଙ୍କାଟିଏ ବି ନଥିଲା ।
ପିଲାଟିର ମୃତଦେହକୁ ଘରକୁ ନେବାକୁ ଆଶିମ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଅନୁରୋଧ କରିଥିଲେ। ମାତ୍ର ସେ ଏଥିପାଇଁ ୮ ହଜାର ଟଙ୍କା ଦେବାକୁ କହିଥିଲେ। ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ତାଙ୍କୁ ମନା କରିଦେଇଥିଲେ । ଶେଷରେ ଆଶିମ ନିରାଶ ହୋଇ ଏକ ବ୍ୟାଗ୍ରେ ନିଜ ଛୁଆର ମୃତଦେହକୁ ରଖି ଏକ ଯାତ୍ରୀବାହୀ ବସରେ ସିଲିଗୁଡ଼ିଠୁ ୨ଶହ କିମି ଦୂର ଉତ୍ତର ଦିନାଜପୁର ଜିଲ୍ଲାର କଳିୟାଗଞ୍ଜ କୁ ଯାଇଥିଲେ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ସେ ବ୍ୟାଗରେ ମୃତଦେହ ନେଇ ଯାଉଛନ୍ତି ବୋଲି କେହି ଜାଣିପାରି ନଥିଲେ। ଆଉ ଗାଁରେ ପହଞ୍ଚି ସେ ପିଲାଟିର ଅନ୍ତିମ ସତ୍କାର କରିଥିଲେ।
ତେବେ ଏହି ଘଟଣା ପରେ ପଶ୍ଚିମବଙ୍ଗ ରାଜନୀତିରେ ଜୋର ଚର୍ଚ୍ଚା ଧରିଛି। tmcକୁ ଟାର୍ଗେଟ କରିଛି ବିଜେପି । ସୂଚନାଯୋଗ୍ୟ, ପୂର୍ବରୁ ଓଡିଶାରେ ଏଭଳି ଘଟଣା ଘଟିଥିଲା। ଦାନମାଝି ନିଜ ପତ୍ନୀଙ୍କ ମୃତଦେହକୁ କାନ୍ଧେଇ ଘରକୁ ଫେରିଥିଲେ । ଏହି ଘଟଣା ଓଡିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା ।