ଆଇଆଇଟି ଖଡଗପୁରରେ ଭୟଙ୍କର ଅଗ୍ନିକାଣ୍ଡ, ସବୁ ଦସ୍ତାବିଜ ଜଳିପୋଡି ପାଉଁଶ

ପଶ୍ଚିମବଙ୍ଗ ସ୍ଥିତ ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍‌ ହଲର କମନରୁମରେ ଅଗ୍ନିକାଣ୍ଡ ଘଟି ସବୁକିଛି ପୋଡି ପାଉଁଶ ହୋଇଯାଇଛି । ତେବେ ନିଆଁ କେମିତି ଲାଗିଲା ତାହାର ଯାଞ୍ଚ ହେଉଛି ।

ଖଡଗପୁର ଆଇଆଇଟିରେ ଭୟଙ୍କର ଅଗ୍ନିକାଣ୍ଡ । ଏଲବିଏସ୍‌ ହଲର କମନ୍ରୁମରେ ଭୟାବହ ଅଗ୍ନିକାଣ୍ଡ ଘଟି ସବୁ ଜିନିଷ ପୋଡିଜଳି ନଷ୍ଟ ହୋଇଯାଇଛି । ଅଗ୍ନିକାଣ୍ଡ ପରେ ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଏହି ଘଟଣା ପରେ ଆଇଆଇଟି ଖଡଗପୁରରେ ହଡକମ୍ପ ସୃଷ୍ଟି ହୋଇଛି । ତେବେ ଅଗ୍ନିକାଣ୍ଡ କିଭଳି ଘଟିଲା, ତାହାକୁ ନେଇ ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଛି । ଏହି ସମୟର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ଗତ ରାତି ପ୍ରାୟ ୩ଟା ବେଳେ ଖଡଗପୁର ଆଇଆଇଟିର ଲାଲ୍ ବାହାଦୁର ଶାସ୍ତ୍ରୀ ହଲ୍ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଏହି ସମୟରେ ସବୁ ଛାତ୍ରଛାତ୍ରୀ ଶୋଇଥିଲେ । ତେଣୁ ଅଗ୍ନିକାଣ୍ଡ ଯୋଗୁଁ ଛାତ୍ରମାନଙ୍କ ବିଛଣାପତ୍ର ସମେତ ଅନ୍ୟାନ୍ୟ ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ନିଆଁ ଲିଭାଇବା ପାଇଁ ତୁରନ୍ତ ଦମକଳକୁ ଖବର ଦିଆଯାଇଥିଲା। ଖଡ଼ଗପୁର ଓ ସାଲୁଆରୁ ଦୁଇଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ପ୍ରାୟ ୧ ଘଣ୍ଟା ମଧ୍ୟରେ ନିଆଁ ଲିଭାଯାଇଥିଲା। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ପ୍ରକୃତ କାରଣ ଜଣାପଡ଼ି ନ ଥିଲେ ବି ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡୁଛି। ତେବେ ଘଟଣା ସ୍ଥଳରେ ଆଇଆଇଟି ଖଡଗପୁରର ପ୍ରଶାସନିକ ଅଧିକାରୀ ପହଞ୍ଚି ସଂପୂର୍ଣ୍ଣ ମାମଲାର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.