ଚାଲିଛି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ: ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଚାଲିବ

କେନ୍ଯୁଜ୍: ଆଜି ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗରେ ୨୯୪ ବିଧାନସଭା ଆସନରୁ ପ୍ରଥମ ପର୍ଯ୍ୟାୟରେ ୩୦ ଆସନ ପାଇଁ ଭୋଟ ଗ୍ରହଣ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ମୈଦାନରେ ଅଛନ୍ତି ୧୯୧ ଜଣ ପ୍ରାର୍ଥୀ । ୭୩ ଲକ୍ଷରୁ ଅଧିକ ଭୋଟର ୧୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ ।

ପୁରୁଲିଆର ସମୁଦାୟ ୯ଟି ଆସନ, ବାଙ୍କୁରାର ୪ଟି ଆସନ, ଝାରଗ୍ରାମର ୪ଟି ଆସନ, ପଶ୍ଚିମ ମେଦିନିପୁରର ୬ଟି ଆସନ ଓ ପୂର୍ବ ମେଦିନିପୁରର ୭ଟି ଆସନ ପାଇଁ ମତଦାନ ହେବ । ଏହି ୩୦ ଆସନରୁ ବିଜେପି ଓ ଟିଏମ୍‌ସି ୨୯ଟି ଆସନରେ ପ୍ରାର୍ଥୀ ଦେଇଛନ୍ତି । କଂଗ୍ରେସ ଓ ବାମ ମେଣ୍ଟ ୩୦ ଆସନରେ ପ୍ରାର୍ଥୀ ଦେଇଛି । ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଅଛନ୍ତି ଟିଏମ୍‌ସି ପ୍ରାର୍ଥୀ ଅଭିନେତ୍ରୀ ଜୁନ୍‌ ମଲିଆ । ସେ ମେଦିନିପୁରରୁ ଲଢ଼ୁଛନ୍ତି । ବାମ ଦଳର ପ୍ରାର୍ଥୀ ସୁଶାନ୍ତ ଘୋଷ ଶାଳବଣୀରୁ ଲଢ଼ୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନେପାଳ ମହାତ ବାଘମୁଣ୍ଡିରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

AJSU ପ୍ରାର୍ଥୀ ଆଶୁତୋଷ ମହାତୋ ମଧ୍ୟ ବାଘମୁଣ୍ଡିରୁ ଲଢ଼ୁଛନ୍ତି । ସେହିପରି ପ୍ରମୁଖ ପ୍ରାର୍ଥୀଙ୍କ ଭିତରେ ଥିବା ପୂର୍ବତନ ମନ୍ତ୍ରୀ ଦେବଲୀନା ହେମ୍ବ୍ରମ୍‌ ରାଣୀବନ୍ଧରୁ ନିର୍ବାଚନ ଲଢ଼ୁଛନ୍ତି । ଟିଏମସି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେଉଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧୦ ହଜାର ୨୮୮ ପୋଲିଂ ବୁଥ ପାଇଁ ୬୮୪ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.