ସମୁଦ୍ର ମଧ୍ୟସ୍ଥ ଜାହାଜରୁ ପ୍ରଥମ ଥର ପାଇଁ ଚୀନ୍ ସଫଳତାର ସହ ଉତ୍କ୍ଷେପଣ କଲା ରକେଟ୍

ବେଜିଙ୍ଗ୍: ପ୍ରଥମ ଥର ପାଇଁ ସମୁଦ୍ର ମଧ୍ୟସ୍ଥ ଜାହାଜରୁ ଆଜି ଚୀନ୍ ସଫଳତାର ସହ ରକେଟ୍ ଉତ୍କ୍ଷେପଣ କରିଥିବା ନେଇ ସରକାରୀ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ‘ପୀତ ସାଗର’ର ମଧ୍ୟରେ ଥିବା ଗୋଟାଏ ବିଶାଳ ଆଂଶିକ ବୁଡ଼ାଜାହାଜର ପ୍ଲାଟ୍ଫର୍ମ ଉପରୁ ‘ଲଙ୍ଗ୍ ମାର୍ଚ ୧୧’ ରକେଟ୍ ଉତ୍କ୍ଷେପିତ କରିଛି ଚୀନ୍। ଯୁକ୍ତରାଷ୍ଟ୍ର ଆମେରିକା ସହ ସମକକ୍ଷ ହୋଇ ୨୦୩୦ ସୁଦ୍ଧା ପ୍ରମୁଖ ମହାକାଶ ଶକ୍ତି ହେବା ନିମନ୍ତେ ଗତ କେତେ ବର୍ଷ ହେବ ମହାକାଶ କାର୍ଯ୍ୟକ୍ରମକୁ ପ୍ରାଥମିକତା ଦେଇ ଆସୁଛି। ଆସନ୍ତାବର୍ଷ ନିଜସ୍ୱ ମାନବସମ୍ବଳିତ ସ୍ପେସ୍ ଷ୍ଟେସନ୍ ନିର୍ମାଣ ପାଇଁ ବେଜିଙ୍ଗ୍ ଯୋଜନା କରୁଛି।
ଅନ୍ୟପଟେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ସଙ୍କଟ ସମୟରେ ମହାକାଶ ଆଧାରିତ ସମ୍ବଳ ବ୍ୟବହାରରୁ ଅନ୍ୟ ଦେଶକୁ ବାଧା ଦେବା ନିମନ୍ତେ ଚୀନ୍ ଉଦ୍ୟମ କରୁଥିବା ନେଇ ଅଭିଯୋଗ କରିଛି । ତେବେ ନିଜର ଉଦ୍ଦେଶ୍ୟ ଶାନ୍ତିପୂର୍ଣ୍ଣ ବୋଲି ଚୀନ୍ କହିଛି ।