ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସତ୍ୟବ୍ରତ ମୁଖାର୍ଜୀଙ୍କ ୯୧ ବର୍ଷ ବୟସରେ ନିଧନ; ବାଜପେୟୀ ସରକାରରେ ଥିଲେ ମନ୍ତ୍ରୀ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ଦେହାନ୍ତ ହୋଇଛି। ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ମୁଖାର୍ଜୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ।

ଭାରତର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସତ୍ୟବ୍ରତ ମୁଖାର୍ଜୀଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କୋଲକାତା ବାଲିଗଞ୍ଜର ବୃଦ୍ଧାବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସତ୍ୟବ୍ରତ ମୁଖାର୍ଜୀ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଥିଲେ। ଏହା ସହିତ ମୁଖାର୍ଜୀ ଭାରତର ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ (ASG) ମଧ୍ୟ ଥିଲେ।

ମୁଖାର୍ଜୀ ୧୯୩୨ ମସିହା ମେ’ ୮ରେ ଆସାମର ସିଲହଟରେ (ବର୍ତ୍ତମାନ ବାଂଲାଦେଶ) ଜନ୍ମଗ୍ରହଣ କରିଥିଲେ। ସେ କୋଲକତା ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ। ଏହାପରେ ‘ଦ ଅନରେବଲ୍‌ ସୋସାଇଟି ଅଫ୍ ଲିଙ୍କନ୍ ଇନ୍’ ରୁ ବାର୍-ଆଟ୍‌-ଲ’ କରିଥିଲେ ଏବଂ ଲଣ୍ଡନରେ ରିଜେଣ୍ଟ୍‌ ଷ୍ଟ୍ରିଟ୍ ପଲିଟେକ୍ନିକରେ ଅଧିକ ଅଧ୍ୟୟନ କରିଥିଲେ।

୧୯୯୯ରେ ସତ୍ୟବ୍ରତ ମୁଖାର୍ଜୀ କୃଷ୍ଣନଗର ଲୋକସଭା ନିର୍ବାଚନମଣ୍ଡଳୀରୁ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ବିଜେପି ଟିକେଟରେ ନିର୍ବାଚନ ଜିତିଥିଲେ। ତେବେ ମୁଖାର୍ଜୀ ୮୭ ବର୍ଷ ବୟସ ପର୍ଯ୍ୟନ୍ତ ନିୟମିତ ଭାବେ ହାଇକୋର୍ଟ ଯାଉଥିଲେ। ସେ ଦଳର କାର୍ଯ୍ୟକଳାପ ଉପରେ ନଜର ରଖୁଥିଲେ, କିନ୍ତୁ ବୟସ ବଢ଼ିବା ହେତୁ ଗତ ତିନିବର୍ଷ ଧରି ମୁଖାର୍ଜୀ ଏ ସମସ୍ତ ଜିନିଷରୁ ଦୂରେଇ ଯାଇଥିଲେ।