ଇଣ୍ଡୋନେସିଆରୁ ମସ୍କୋ ଉପରେ ଚାପ, ଯୁଦ୍ଧକୁ ଅଧିକାଂଶ G20 ନେତାଙ୍କ ନିନ୍ଦା

ନୂଆଦିଲ୍ଲୀ : ଇଣ୍ଡୋନେସିଆରୁ ମସ୍କୋ ଉପରେ ପକାଇଲେ ଚାପ। ଯୁଦ୍ଧକୁ ଅଧିକାଂଶ G 20 ନେତାଙ୍କ ନିନ୍ଦା । ଘୋଷଣାନାମା ପାଇଁ ପ୍ରସ୍ତୁତ ହୋଇଛି ଚିଠା । ମାନବ ସଭ୍ୟତା ପାଇଁ ୟୁକ୍ରେନ୍ ଯୁଦ୍ଧ ଯନ୍ତ୍ରଣାଦାୟକ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି । ଆନ୍ତର୍ଜାତିକ ଅର୍ଥନୀତିକୁ ଯୁଦ୍ଧ ଦୁର୍ବଳ କରି ଦେଇଥିବା ଘୋଷଣାନାମାରେ କୁହାଯାଇଛି । କଡ଼ା ଭାଷାରେ ଯୁଦ୍ଧକୁ ନିନ୍ଦା କରିଛନ୍ତି ଜି ୨୦ ରାଷ୍ଟ୍ର ନେତା। ରୁଷ୍ର ଆକ୍ରମଣକୁ ବର୍ବର ଓ ନୃଶଂସ ବୋଲି କହିଛନ୍ତି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ।

ୟୁକ୍ରେନରୁ ରୁଷ୍ ଗେଟ୍ ଆଉଟ ହେବା ଆବଶ୍ୟକ ବୋଲି ଲାଭରୋଭଙ୍କୁ ସିଧାସଳଖ ଇଙ୍ଗିତ କରି କହିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ମସ୍କୋକୁ ବାର୍ତ୍ତା ଦେଇଥିଲେ ଯେ ରୁଷ୍ର ଦମନଲୀଳାକୁ ବରଦାସ୍ତ କରାଯିବ ନାହିଁ । ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଜି୨୦ ସମ୍ମିଳନୀରେ ସାମିଲ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦମିର ଜେଲେନ୍ସ୍କି। ରୁଷ୍ର ବିଧ୍ୱଂସକାରୀ ଯୁଦ୍ଧର ଅନ୍ତ କରିବାକୁ ସେ ଆହ୍ଵାନ ଦେଇଛନ୍ତି । ଏଥିସହ ଶାନ୍ତି ପାଇଁ ୧୦ ସୂତ୍ରୀ ଯୋଜନା ଉପସ୍ଥାପନା କରିଛନ୍ତି ।

ପୂର୍ବରୁ ରୁଷ୍ ଦୁଇ ଦୁଇ ଥର ଚୁକ୍ତି ଉଲଂଘନ କରିଥିବା ଦର୍ଶାଇଥିଲେ ଜେଲେନ୍ସ୍କି। ଅନ୍ୟ ରାଷ୍ଟ୍ରନେତାମାନେ ମଧ୍ୟ ଯୁଦ୍ଧ ଶେଷ ହେବା ଉପରେ ଗୁରୁତ୍ୱ ଦେଇଥିଲେ। ମୋଦି କହିଥିଲେ ଯୁଦ୍ଧ ବନ୍ଦ ଏବଂ ଆଲୋଚନା ପାଇଁ ବାଟ ବାହାର କରିବାକୁ ହେବ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପୃଥିବୀରେ ବିପର୍ଯ୍ୟୟ ସୃଷ୍ଟି କରିଥିଲା। ସେହି ଯୁଦ୍ଧ ପରେ ବିଶ୍ୱର ସବୁ ନେତା ଶାନ୍ତିର ରାସ୍ତା ପାଇଁ ପ୍ରୟାସ କରିଥିଲେ । ଏବେ ଆମ ପାଳି ବୋଲି କହିଛନ୍ତି ମୋଦି । ହେଲେ ସମ୍ମିଳନୀରେ ଅନୁପସ୍ଥିତ ରହିଛନ୍ତି ପୁଟିନ୍‌ । ପଠାଇଥିଲେ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କୁ ପ୍ରତିନିଧି କରି ।

ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ପରସ୍ପରକୁ ଭେଟି ଆଣବିକ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଆଣବିକ ଅସ୍ତ୍ର ବ୍ୟବହାରକୁ ରୋକିବା ଦିଗରେ ଦୁଇ ରାଷ୍ଟ୍ରର ବଦ୍ଧପରିକରତାକୁ ଦୋହରାଇଛନ୍ତି ଉଭୟ ନେତା । ସମ୍ମିଳନୀ ଅବସରରେ ପରସ୍ପରକୁ ଭେଟିଛନ୍ତି ସବୁ ନେତା। ସୋମବାର ସମ୍ମିଳନୀ ଆରମ୍ଭ ପୂର୍ବରୁ ବାଇଡେନ୍ -ଜିନପିଙ୍ଗ ଆଲୋଚନା ହୋଇଥିଲା। ଆଣବିକ ଯୁଦ୍ଧକୁ ଜିନପିଙ୍ଗ ଓ ବାଇଡେନ ବିରୋଧ କରିଛନ୍ତି । ଆଣବିକ ଯୁଦ୍ଧ ହେବା ଉଚିତ ନୁହେଁ ବୋଲି ଦୁଇ ରାଷ୍ଟ୍ର ନେତା ସହମତି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.