ରାକ୍ଷସ ପାଲଟିଗଲେ! ସ୍ୱାସ୍ଥ୍ୟକେନ୍ଦ୍ରରେ ନର୍ସଙ୍କ ଗୋଡ଼ହାତ ବାନ୍ଧି ଗଣଦୁଷ୍କର୍ମ; ଏକୁଟିଆ ଦେଖି ପଶିଥିଲେ ୪ ଯୁବକ…

ଛତିଶଗଡ଼ର ମନେନ୍ଦ୍ରଗଡ଼ ଜିଲ୍ଲା ଚିରମିରିରେ ଜଣେ ନର୍ସଙ୍କ ସହ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଏଥିରେ ୪ ଜଣ ସମ୍ପୃକ୍ତ ଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଅଭିଯୁକ୍ତମାନେ ଦୁଷ୍କର୍ମ କଲା ବେଳେ ଏହାର ଭିଡିଓ ମଧ୍ୟ ମୋବାଇଲରେ ରେକର୍ଡ କରିଥିଲେ। ଏଥି ସହିତ ପୀଡ଼ିତାଙ୍କୁ ଧମକ ଦେଇଥିଲେ ଯେ ଯଦି ସେ ଏ ବିଷୟରେ ପୋଲିସକୁ କହି ଦିଅନ୍ତି, ତ ସେମାନେ ତାଙ୍କୁ ଜୀବନରୁ ମାରି ଦେବେ।
ପୋଲିସ ମୁତାବକ, ଅଭିଯୁକ୍ତମାନେ ଦେଖିବାକୁ ପାଇଥିଲେ କି, ଦ୍ୱିପ୍ରହର ୩ଟାରେ ନର୍ସ ଜଣକ ଏକୁଟିଆ କାମ କରୁଛନ୍ତି। ଏହାପରେ ସେମାନେ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ ପଶିଥିଲେ ଏବଂ ନର୍ସଙ୍କ ତଣ୍ଟି ଚିପିଥିଲେ। ପୁଣି ଗୋଡ଼ହାତ ବାନ୍ଧି ତାଙ୍କ ସହିତ ଗଣଦୁଷ୍କର୍ମ କରିଥିଲେ। ଘଟଣା ପରେ ପୀଡ଼ିତା ନର୍ସ ଘରକୁ ଯାଇ ନିଜ ପରିବାର ଲୋକଙ୍କୁ ସମସ୍ତ କଥା ଜଣାଇଥିଲେ, ପୁଣି ଥାନାରେ ପହଞ୍ଚି ଏ ନେଇ ଏତଲା ଦେଇଥିଲେ। ଏହି ମାମଲାରେ ପୋଲିସ ନାବାଳକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି ନେଇଛି।
ସ୍ଥାନୀୟ ଡିଏସ୍ପି କହିଛନ୍ତି, ଏହି ମାମଲାରେ ପୀଡ଼ିତାଙ୍କ ତରଫରୁ ଏତଲା ଦାୟର ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯେତେବେଳେ କି, ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି। ତେବେ ମାମଲା ସମ୍ପର୍କରେ ସୂଚନା ମିଳିବା କ୍ଷଣି ପୋଲିସର ଦୁଇଟି ଟିମ୍ ତୁରନ୍ତ ପହଞ୍ଚି ଅଭିଯୁକ୍ତମାନଙ୍କୁ ଗିରଫ କରି ନେଇଥିଲା। ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଘଟଣା ଦିନ ଦ୍ୱିପ୍ରହରରେ ସେ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକୁଟିଆ ଡ୍ୟୁଟି କରୁଥିଲେ। ସେହି ସମୟରେ ଅଭିଯୁକ୍ତମାନେ ମଉକା ଦେଖି ଏଭଳି କାଣ୍ଡ ଘଟାଇଥିଲେ।
ଅନ୍ୟପକ୍ଷେ ଏହି ଗଣଦୁଷ୍କର୍ମ ମାମଲାରେ ଥାନା ବାହାରେ ଏକାଧିକ ସ୍ୱାସ୍ଥ୍ୟକର୍ମୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଥିଲେ। ଏଥି ସହିତ ସରକାରଙ୍କୁ ସୁରକ୍ଷା ଦାବି କରିଥିଲେ। ସ୍ୱାସ୍ଥ୍ୟକର୍ମୀମାନଙ୍କ କହିବା ହେଲା, ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ଯେ ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହୋଇଛି, ସେ ପର୍ଯ୍ୟନ୍ତ ସେମାନେ ଡ୍ୟୁଟିକୁ ଫେରିବେ ନାହିଁ।
କେବଳ ଏତିକି ନୁହେଁ, ସ୍ଥାନୀୟ ବିଜେପି ନେତାମାନେ ଥାନାରେ ପହଞ୍ଚି ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠୁ ଇସ୍ତଫା ଦାବି କରିଥିଲେ। ସେପଟେ କଂଗ୍ରେସ ଏହି ମାମଲାକୁ ରାଜନୈତିକ ନ କରିବାକୁ ଅପିଲ କରିଛି। କଂଗ୍ରେସର କହିବା ହେଲା, ପୋଲିସ ନିଜ କାମ କରୁଛି, ତା’ର ମନୋବଳ ହ୍ରାସ କରା ନ ଯାଉ।