ଆସନ୍ତାକାଲି ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ, କିଏ ପିନ୍ଧିବ ରାଜମୁକୁଟ

ନୂଆଦିଲ୍ଲୀ : କିଏ ପିନ୍ଧିବ ରାଜମୁକୁଟ । କାହାର ହେବ ଉତ୍ତରାଖଣ୍ଡ ? ଗୋଆରେ କିଏ ଜିଣିବ ବାଜି ? ରାଜନୈତିକ ଦଳଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ଆସନ୍ତାକାଲି ଉତ୍ତରାଖଣ୍ଡ ଓ ଗୋଆ ବିଧାନସଭା ନିର୍ବାଚନ । ଦୁଇ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ହେବ ମତଦାନ । ଉତ୍ତରାଖଣ୍ଡରେ ବିଜେପିକୁ ଟକ୍କର ଦେଉଛି କଂଗ୍ରେସ । ଗୋଆରେ ବହୁମୁଖୀ ଲଢ଼େଇ । ସେହିପରି ଆସନ୍ତାକାଲି ଉତ୍ତର ପ୍ରଦେଶ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ୫୫ ସିଟ୍ ପାଇଁ ପଡ଼ିବ ଭୋଟ । ପୂର୍ବ ଥର ଏଥିରୁ ୪୦ ସିଟ୍ ହାତେଇଥିଲା ବିଜେପି । ଏଥର ବିଜେପି ସହ ଘମାଘୋଟ ଲଢ଼େଇ କରୁଛି ସମାଜବାଦୀ ପାର୍ଟି ।

ଉତ୍ତରାଖଣ୍ଡରେ ୭୦ ସିଟ୍ରେ ଲଢ଼େଇ । ମୈଦାନରେ ଅଛନ୍ତି ୬୩୨ ପ୍ରାର୍ଥୀ। ବିଜେପି ଦଖଲରେ ଅଛି ଉତ୍ତରାଖଣ୍ଡ । ୨୦୧୭ରେ ୫୭ ସିଟ୍ ହାତେଇ ସରକାର ଗଢ଼ିଥିଲା ଭାରତୀୟ ଜନତା ପାର୍ଟି । କଂଗ୍ରେସ ପାଇଥିଲା ୧୧ ଆସନ । ଏଥର ବିଜେପି ସହ ଘମାଘୋଟ ଲଢ଼େଇ କରୁଛି କଂଗ୍ରସ । ଅନେକ ସିଟ୍ରେ କାଣ୍ଟେକା ଟକ୍କର ସମ୍ଭାବନା। ଉତ୍ତରାଖଣ୍ଡରେ କେଜ୍ରିଓ୍ଵାଲଙ୍କ ଆମ୍ ଆଦ୍ମୀ ପାର୍ଟି ମଧ୍ୟ ଲଢ଼େଇ ମଇଦାନରେ ।
ଗୋଆର ୪୦ ବିଧାନସଭା ଆସନ ପାଇଁ କାଲି ପଡ଼ିବ ଭୋଟ । ମଇଦାନରେ ଅଛନ୍ତି ବିଭିନ୍ନ ଦଳର ୩୦୧ ପ୍ରାର୍ଥୀ ।

ଏଥର ଗୋଆରେ ବହୁମୁଖୀ ଲଢ଼େଇ। ବିଜେପି, କଂଗ୍ରେସ, ତୃଣମୂଳ କଂଗ୍ରେସ ଓ ଆମ୍ ଆଦ୍ମୀ ପାର୍ଟି ମଧ୍ୟରେ ଜୋରଦାର ଟକ୍କର । ସବୁ ଦଳ ଗୋଆରେ ଦମ୍ ଲଗାଇ ପ୍ରଚାର କରିଛନ୍ତି। ଗୋଆରେ ନିର୍ବାଚନ ପୂର୍ବରୁ ଅନେକ ରାଜନୈତିକ ଦୃଶ୍ୟପଟର ପରିବର୍ତ୍ତନ ହୋଇଛି। ୪୦ରୁ ୨୪ ବିଧାୟକ ଦଳ ବଦଳ କରିଛନ୍ତି । ୨୦୧୭ରେ କଂଗ୍ରେସ ୧୭ ସିଟ୍ରେ ବିଜୟୀ ହୋଇଥିଲା । ବିଜେପି କିନ୍ତୁ ୧୩ ଆସନ ହାତେଇ ଅନ୍ୟ ଦଳର ସହଯୋଗରେ ସରକାର ଗଢ଼ିଥିଲା । ଏଥର ଗୋଆର ବଡ଼ ନିର୍ବାଚନୀ ପ୍ରସଙ୍ଗ ରହିଛି ଖଣି ଦୁର୍ନୀତି ଓ ସଂସ୍କୃତିର ସୁରକ୍ଷା । ଦରଦାମ ବୃଦ୍ଧି, ନିଯୁକ୍ତି ଓ ବିକାଶ ପ୍ରସଙ୍ଗ ବି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.