Below header

ମଣିପୁରରେ ସ୍ଥିତି ନିୟନ୍ତ୍ରଣ ପାଇଁ ସୁଟ୍‌ ଏଟ୍‌ ସାଇଟ୍‌ ଅର୍ଡର, ସ୍ୱାକ୍ଷର କଲେ ରାଜ୍ୟପାଳ

ଗତକାଲିଠାରୁ ରାଜ୍ୟରେ ଆଦିବାସୀ-ଅଣଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସେନା, ଆସାମ ରାଇଫଲସ, କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଓ ରାଜ୍ୟ ପୋଲିସ ମିଳିତ ଭାବେ ହିଂସାକୁ ନିୟନ୍ତ୍ରଣ କରି ପାରିନାହାନ୍ତି। ଏବେ ଏମାନଙ୍କୁ ସହଯୋଗ କରିବାକୁ ୫ଶହ ରାପିଡ୍‌ ଆକ୍ସନ ଫୋର୍ସ ଇମ୍ପାଲ ଯାଇଛନ୍ତି।

କେନ୍ୟୁଜ୍(ବ୍ୟୁରୋ):ଜଳୁଛି ମଣିପୁର। ସ୍ଥିତି ନିୟନ୍ତ୍ରଣ ପାଇଁ ସୁଟ୍‌ ଏଟ୍‌ ସାଇଟ୍‌ ଅର୍ଡର। ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି ରାଜ୍ୟପାଳ। ଚେତାବନୀ ପରେ ମଧ୍ୟ ଯଦି କେହି ହିଂସା କରୁଛନ୍ତି ତେବେ ଗୁଳି ମାରି ପାରିବେ ସୁରକ୍ଷା କର୍ମୀ। ଗତକାଲିଠାରୁ ରାଜ୍ୟରେ ଆଦିବାସୀ-ଅଣଆଦିବାସୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ହିଂସା। ସେନା, ଆସାମ ରାଇଫଲସ, କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଓ ରାଜ୍ୟ ପୋଲିସ ମିଳିତ ଭାବେ ହିଂସାକୁ ନିୟନ୍ତ୍ରଣ କରି ପାରିନାହାନ୍ତି। ଏବେ ଏମାନଙ୍କୁ ସହଯୋଗ କରିବାକୁ ୫ଶହ ରାପିଡ୍‌ ଆକ୍ସନ ଫୋର୍ସ ଇମ୍ପାଲ ଯାଇଛନ୍ତି।

ଇମ୍ଫାଲ ୱେଷ୍ଟ, କାକ୍‌ଚିଂ, ଥୋଉବଲ, ଜିରିବମ୍‌ ଓ ବିଷ୍ଣୁପୁର ଜିଲ୍ଲା ସହ ଅନେକ ଆଦିବାସୀ ବହୁଳ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି। ଗତକାଲିଠାରୁ ରାଜ୍ୟରେ ୫ ଦିନ ପାଇଁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି । ହିଂସା ପ୍ରଭାବିତ ଅଂଚଳରୁ ୯ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି।କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ଥିତି ପ୍ରସଙ୍ଗରେ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂଙ୍କ ସହ କଥା ହୋଇଛନ୍ତି।

ରାଜ୍ୟରେ ମୋତେଇ ସମ୍ପ୍ରଦାୟକୁ ଆଦିବାସୀ ତାଲିକାଭୁକ୍ତ କରିବା ପ୍ରସଙ୍ଗ ନେଇ ମଣିପୁର ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ଏହାର ଶୁଣାଣି କରି ଏପ୍ରିଲ ୧୯ରେ ହାଇକୋର୍ଟ ଏ ପ୍ରସଙ୍ଗରେ ବିଚାର କରିବାକୁ, କେନ୍ଦ୍ରକୁ ସୁପାରିଶ କରିବା ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ। ଏହାକୁ ବିରୋଧ କରି ଗତକାଲି ମଣିପୁରର ଅଲ୍‌ ଟ୍ରାଇବଲ ଷ୍ଟୁଡେଣ୍ଟ ୟୁନିୟନ ଚୁରାଚାନ୍ଦପୁର ଜିଲ୍ଲାର ତେରବଙ୍ଗରେ ଏକ ଆଦିବାସୀ ଏକତା ମାର୍ଚ୍ଚର ଆୟୋଜନ କରିଥିଲା। ଆଉ ଏହି ଆଦିବାସୀ ଏକତା ମାର୍ଚ୍ଚ ପରଠାରୁ ରାଜ୍ୟରେ ହିଂସା ବ୍ୟାପିଛି। ସବୁଠାରୁ ଅଧିକ ହିଂସା ବିଷ୍ଣୁପୁର ଓ ଚୁରାଚାନ୍ଦପୁର ଜିଲ୍ଲାରେ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.