ଇଦ୍ରେ ସରକାରୀ ସ୍କୁଲ୍ ବନ୍ଦ ଥିବା ବେଳେ କାହିଁକି ଖୋଲା ଥିଲା ଘରୋଇ ସ୍ଲୁଲ୍ ? ଯେଉଁଥିପାଇଁ ଚାଲିଗଲା କଅଁର ଶିଶୁର ଜୀବନ
ମହେନ୍ଦ୍ରଗଢ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍ ପିଲାଙ୍କୁ ସ୍କୁଲ୍ ନେଇ ଯିବା ସମୟରେ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ସ୍କୁଲ ବସ୍ ଓଲଟିବାରୁ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା କୁହାଯାଉଥିବା ବେଳେ ଅନେକ ପିଲା ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କାନ୍ଦ ବୋବାଳିରେ ଫାଟିପଡିଥିଲା । ସ୍ଥାନୀୟ ଲୋକ ପିଲାମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡିଛି ।

ସକାଳୁ ସକାଳୁ କେଡ଼େ ଖୁସିରେ ପିଲାମାନେ ବାହାରିଯାଇଥିଲେ ସ୍କୁଲ୍ । ପାଠ ପଢ଼ିବେ ଆଉ କ୍ଲାସ୍ ସାରି ଘରକୁ ଫେରିବେ । ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ମଝିରାସ୍ତାରେ ଛକି ବସିଥିଲା ଯମ । ପିଲାମାନେ ସ୍କୁଲ୍ରେ ପହଞ୍ଚିବା ପୂର୍ବରୁ ଓଲଟି ପଡ଼ିଲା ବସ୍ । ଅକାଳରେ ଚାଲିଗଲା ୬ ଜଣଙ୍କ ଜୀବନ । ତେବେ ଏଭଳି ଦୁଃଖଦ ଘଟଣା ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ଦେଖିବାକୁ ମିଳିଛି ।
ମହେନ୍ଦ୍ରଗଢ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍ ପିଲାଙ୍କୁ ସ୍କୁଲ୍ ନେଇ ଯିବା ସମୟରେ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ଏଠାରେ ସ୍କୁଲ ବସ୍ ଓଲଟିବାରୁ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା କୁହାଯାଉଥିବା ବେଳେ ଅନେକ ପିଲା ଆହତ ହୋଇଛନ୍ତି । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କାନ୍ଦ ବୋବାଳିରେ ଫାଟିପଡିଥିଲା । ସ୍ଥାନୀୟ ଲୋକ ପିଲାମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରିଥିଲେ । ଦୁର୍ଘଟଣାରେ ୧୫ରୁ ଅଧିକ ଆହତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ପିଲାଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣାପଡିଛି ।
ଖବର ମୁତାବକ, ଘରୋଇ ବସ୍ଟି ଜିଏଲ ପବ୍ଲିକ ସ୍କୁଲର । ବସ୍ ଟି ଉହ୍ନାଣୀ ଗାଁ ପାଖରେ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ତେବେ ଇଦ୍ ହୋଇଥିବା ବେଳେ ସମସ୍ତ ସରକାରୀ ସ୍କୁଲ୍ ଛୁଟି ଥିବା ବେଳେ କେତେକ ଘରୋଇ ସ୍କୁଲ ଖୋଲାରହିଥିଲା। ସେଥିପାଇଁ ଏହି ପିଲାମାନେ ସକାଳୁ ସକାଳୁ ବସ୍ରେ ବସି ସ୍କୁଲ ଯାଇଥିଲେ ହେଲେ ଆଜି ପିଲାମାନଙ୍କ ସହ ଏଭଳି ଦୁର୍ଘଟଣା ଘଟିଗଲା । ଯାହାପରେ ତାଙ୍କ ପରିବାରରେ ଦୁଃଖର କଳାବାଦଲ ଛାଇଯାଇଛି । ନିଜ ନିଜ ସନ୍ତାନକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗିପଡିଛନ୍ତି । ତେବେ ବସ୍ଟି ଦ୍ରୁତଗତିରେ ଯାଇଥିବାରୁ ଅନିୟନ୍ତ୍ରିତ ହୋଇ ଓଲଟିପଡ଼ିଥିଲା ବୋଲି କୁହାଯାଉଛି ।
ତେବେ ବସ୍ ଡ୍ରାଇଭର ନିଶା ଅବସ୍ଥାରେ ଦ୍ରୁତ ଗତିରେ ଗାଡି ଚଲାଉଥିଲା ବୋଲି ପୋଲିସ କହିଛି । ପୋଲିସ ଡ୍ରାଇଭରକୁ ଗିରଫ କରି ମେଡିକାଲ ଯାଞ୍ଚ ପାଇଁ ପଠାଇଛି । ଏହି ମାମଲାରେ ଘରୋଇ ସ୍କୁଲ ତରଫରୁ କୌଣସି ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ । ଏନେଇ ହରିୟାଣାର ଶିକ୍ଷାମନ୍ତ୍ରୀ ହସ୍ପିଟାଲରେ ପହଞ୍ଚି ପିଲାମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଏବଂ ଏହି ମାମଲାକୁ ଗୁରୁତ୍ୱର ସହ ନେଇ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବସ୍ ଡ୍ରାଇଭର ତଥା ସ୍କୁଲ ପ୍ରିନ୍ସପାଲ ତଥା ସ୍କୁଲ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଏହି ତିନିଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସ୍କୁଲ୍ ପ୍ରିନ୍ସପାଲ୍ଙ୍କୁ ଗିରଫ କରାଯାଇଥିବା ସୂଚନା ରହିଛି । ସେପଟେ ସ୍କୁଲ୍ର ଲାଇସେନ୍ସ ରଦ୍ଦ ହୋଇପାରେ ବୋଲି କୁହାଯାଉଛି । ଶିକ୍ଷା ମନ୍ତ୍ରୀ ସୀମା ତ୍ରିଖା କହିଛନ୍ତି ଯେ, ଆଜି ରାଜ୍ୟରେ ଯେଉଁଠାରେ ଘରୋଇ ବିଦ୍ୟାଳୟ ଖୋଲା ଅଛି, ସେଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଛୁଟିଦିନରେ ବିଦ୍ୟାଳୟ ଖୋଲୁଥିବା ସମସ୍ତ ଘରୋଇ ବିଦ୍ୟାଳୟଗୁଡ଼ିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
ତେବେ ଏଠି ପ୍ରଥମ ପ୍ରଶ୍ନ ଉଠୁଛି ଇଦ୍ ରେ ସମସ୍ତ ସ୍କୁଲ୍ ବନ୍ଦ ରହିଥିବା ବେଳେ ଏହି ଘରୋଇ ସ୍କୁଲ୍ କାହିଁକି ଖୋଲା ରହିଥିଲା ? ଭବିଷ୍ୟତରେ ଏହି ଅଘଟଣ ପାଇଁ ଦାୟୀ ରହିବେ କିଏ ? ତେବେ ଶିକ୍ଷାନୁଷ୍ଠାନ ପରିବହନ ବିଭାଗର ଗାଇଡଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି ବସ୍ ଡ୍ରାଇଭର । ଯାହାଫଳରେ ଛାତ୍ର ଛାତ୍ରୀ ମାନେ ସ୍କୁଲ ବସରେ ଯିବାକୁ ସୁରକ୍ଷିତ ମଣୁନାହାନ୍ତି । ବାରମ୍ବାର ଚେତାବନୀ ପରେ ମଧ୍ୟ ନିୟମ ମାନୁନାହାନ୍ତି ସ୍କୁଲ ବସ୍ । ନା ବସ୍ ଆଗରେ ସ୍କୁଲର ନାମ ଓ ଫୋନ୍ ନମ୍ବର ଲେଖୁଛନ୍ତି ନା ଫିଟ୍ ନେସ୍ ସାର୍ଟିଫିକେଟ୍ ନା ରୁଟ୍ ଚାର୍ଟ ଲଗାଉଛନ୍ତି ।
ତେବେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ବସ କିମ୍ବା ଛୋଟ ଗାଡିର ନିହାତି ଭାବେ କଡାକଡି ଯାଞ୍ଚ ହେବା ଉଚିତ୍ । ଏନେଇ ପ୍ରତିଦିନ ସ୍ୱତନ୍ତ୍ର ଡ୍ରାଇଭ୍ ଚାଲିବା ଆବଶ୍ୟକ । ଏହି ସ୍ପେଶାଲ୍ ଡ୍ରାଇଭରେ ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟନେସ୍, ପରମିଟ , ଇନ୍ସ୍ୟୁରାନ୍ସ ଓ ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଗଲେ, ସ୍କୁଲ ପିଲାଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାରେ ସଫଳ ହେବା ସହ ଏହି ଦୁର୍ଘଟଣାକୁ ରୋକି ହେବ ।