ମୂଷା ଛୁଆକୁ ବଞ୍ଚାଇବା ପାଇଁ ଚାଲିଲା ୧ ଘଣ୍ଟାର ଅପରେସନ, ଯୁବକ ଖୋଲି ଦେଲେ ନିଜ ବାଇକ୍ର ସବୁ ପାର୍ଟ
ଏଠି ଯେତେବେଳେ ଜଣେ ବାଇକ୍ ଚାଳକ ଏକ ମୂଷା ଛୁଆର ଜୀବନ ବିପଦରେ ଥିବା ଦେଖିବାକୁ ପାଇଥିଲେ, ସେ ନିଜ ବାଇକ୍ର ସମସ୍ତ ପାର୍ଟ ଖୋଲି ତା’ର ଜୀବନ ରକ୍ଷା କରିଥିଲେ ।

କାହାର ଜୀବନ ବଞ୍ଚାଇବା ସବୁଠାରୁ ବଡ଼ ପୁଣ୍ୟ । ସେ ମଣିଷ ହେଉ କି ପଶୁ, ସମସ୍ତଙ୍କର ଆତ୍ମା ଅଛି, ତେଣୁ ଜୀବନ ବଞ୍ଚାଇବାର ପୁଣ୍ୟ ବି ବରାବର ମିଳିଥାଏ । ଏଠି ଯେତେବେଳେ ଜଣେ ବାଇକ୍ ଚାଳକ ଏକ ମୂଷା ଛୁଆର ଜୀବନ ବିପଦରେ ଥିବା ଦେଖିବାକୁ ପାଇଥିଲେ, ସେ ନିଜ ବାଇକ୍ର ସମସ୍ତ ପାର୍ଟ ଖୋଲି ତା’ର ଜୀବନ ରକ୍ଷା କରିଥିଲେ ।
ଏହା ଘଟଣା ଘଟିଛି ମଧ୍ୟପ୍ରଦେଶର ଗ୍ଵାଲିୟରରେ । ସହରର ଫୁଲବାଗ ଛକରେ ଛିଡ଼ା ହୋଇଥିବା ଏକ ବାଇକ୍ରେ ହଠାତ୍ ଏକ ମୂଷା ଛୁଆ ପଶିଯାଇଥିଲା । ବାଇକ୍ ଚାଳକ ବିକ୍ରମ ପ୍ରଜାପତି ଯେତେବେଳେ ଅନୁଭବ କରିଥିଲେ ଯେ ବାଇକ୍ ଭିତରେ କେହି ଗୋଟିଏ ପଶିଯାଇଛି, ସେତେବେଳେ ସେ ତନ୍ନତନ୍ନ କରି ଯାଞ୍ଚ କରିଥିଲେ । ଏତିକି ବେଳେ ତାଙ୍କୁ ଏକ ମୂଷା ଛୁଆ ଦେଖାଯାଇଥିଲା ।
ଏହାପରେ ବିକ୍ରମ ସଙ୍ଗେ ସଙ୍ଗେ ତା’ର ଜୀବନ ରକ୍ଷା କରିବାକୁ ନିର୍ଣ୍ଣୟ ନେଇଥିଲେ ଏବଂ ରେସ୍କ୍ୟୁ ଆରମ୍ଭ କରି ଦେଇଥିଲେ । ପ୍ରଥମେ ସେ ବାଇକ୍କୁ ତଳେ ଶୁଆଇ ଏବଂ ଖଡ଼ଖଡ଼ କରି ମୂଷା ଛୁଆଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ, ହେଲେ ଛୁଆଟି ବାଇକ୍ର ତାରଗୁଡ଼ିକରେ ଅତି ବିପଜ୍ଜନକ ଭାବେ ଫସି ରହିଥିଲା । ସେ ବାହାରକୁ ବାହାରି ପାରୁ ନ ଥିଲା । ସେଠାରେ ବିକ୍ରମଙ୍କୁ ଏମିତି କରୁଥିବାର ଦେଖି ଆଖପାଖର ଲୋକେ ମଧ୍ୟ ଜମା ହୋଇଯାଇଥିଲେ ।
ଯେତେବେଳେ ବିକ୍ରମ କହିଥିଲେ କି, ତାଙ୍କ ବାଇକ୍ ଭିତରେ ଏକ ମୂଷା ଛୁଆ ଫସି ରହିଛି ଏବଂ ତା’ର ଜୀବନ ରକ୍ଷା କରିବାର ଅଛି, ସେତେବେଳେ ଲୋକମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ସମସ୍ତେ ମିଶି ବାଇକ୍ର ସିଟ୍ ଖୋଲି ମୂଷାକୁ ଉଦ୍ଧାର କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । ହେଲେ ସିଟ୍ ଖୋଲିବାରୁ ମଧ୍ୟ ମୂଷା ଦେଖାଯାଇ ନ ଥିଲେ । ଶେଷରେ ବିକ୍ରମ ନିଜ ବାଇକ୍ର ଗୋଟି ଗୋଟି ସମସ୍ତ ପାର୍ଟ ଖୋଲି ମୂଷା ଛୁଆଟିକୁ ବାହାର କରିଥିଲେ । ପାଖାପାଖି ୧ ଘଣ୍ଟାର ପରିଶ୍ରମ ପରେ ତାଙ୍କୁ ସଫଳତା ମିଳିଥିଲା ।