ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଚେନ୍ନାଇ, ରାସ୍ତାରେ ଆଣ୍ଠୁଏ ପାଣି

ଚେନ୍ନାଇ : ପ୍ରବଳ ବର୍ଷାରେ ଅସ୍ତବ୍ୟସ୍ତ ଚେନ୍ନାଇ। ଜାରି ହୋଇଛି ଫ୍ଲଡ୍ ଆଲର୍ଟ। ତାମିଲନାଡୁରେ ଉତ୍ତରପୂର୍ବ ମୌସୁମୀ ସକ୍ରିୟ। ଗତକାଲି ରାତିଠାରୁ ମୂଷଳାଧାର ବର୍ଷା। ଚାରିଆଡ଼ ଜଳାର୍ଣ୍ଣବ ସ୍ଥିତି। ଚେନ୍ନାଇର ତଳୁଆ ଅଞ୍ଚଳ ବର୍ଷା ଜଳରେ ବୁଡ଼ି ରହିଛି। ଅନେକ ସ୍ଥାନରେ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ବର୍ଷା ପାଣି। ଗାଡ଼ି ବସ ବି ଅଧା ବୁଡି ଯାଇଛି।

ଦକ୍ଷିଣ ଚେନ୍ନାଇର ଅନେକ ଘରେ ପାଣି ପଶି ଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ପ୍ରବଳ ବର୍ଷା ଫଳରେ ଚେନ୍ନାଇର ସମସ୍ତ ହ୍ରଦ ଫୁଲିଛି। ଚେମ୍ବାରମ୍ବକ୍କମ ହ୍ରଦର ଜଳସ୍ତର ବିପଦସଙ୍କେତ ଟପିବା ପରେ ଏହାକୁ ନିଷ୍କାସନ ଆରମ୍ଭ କରାଯାଇଛି।

ତାମିଲନାଡୁ ଉପରୁ ବିପଦ ଟଳିନି। ଆଗକୁ ଅଧିକ ବର୍ଷା ସମ୍ଭାବନା। କାରଣ ଦକ୍ଷିଣପୂର୍ବ ଭାରତ ଉପରେ ବାତ୍ୟା ବିପଦ। ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ। ୯ ତାରିଖ ବେଳେକୁ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଅଧିକ ଘନୀଭୂତ ହେବ। ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଉତ୍ତର ତାମିଲନାଡୁ ଉପକୂଳକୁ ମୁହାଁଇବ।

ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଅନୁମାନ କରି ନାହିଁ। କିନ୍ତୁ ଆଇଏମ୍ଡି ଜିଏଫଏସ୍ ଓ ଏନ୍ସିଇପି ଜିଏଫ୍ଏସ୍ ମଡେଲ ବାତ୍ୟା ଅନୁମାନ କରିଛି। ଲଘୁଚାପ ଅଧିକ ଘନୀଭୂତ ହୋଇ ଆସନ୍ତା ୧୧ ତାରିଖ ବେଳକୁ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୋଇପାରେ। ଫଳରେ ଆହୁରି ୪୮ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.