ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ: ବର୍ଷା , ଭୂସ୍ଖଳରେ ଗଲାଣି ୬୭ଜଣଙ୍କ ଜୀବନ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବର୍ଷା ତାଣ୍ଡବ। ବର୍ଷା , ଭୂସ୍ଖଳରେ ଗଲାଣି ୬୭ଜଣଙ୍କ ଜୀବନ। ସେମାନଙ୍କ ମଧ୍ୟରେ ଅଛନ୍ତି ୧୨ଜଣ ଟ୍ରେକର। ଟ୍ରେକରଙ୍କ ମଧ୍ୟରେ ଦିଲ୍ଲୀର ଜଣେ ମହିଳାଙ୍କ ସମେତ ୯ଜଣ ପଶ୍ଚିମବଙ୍ଗର ବୋଲି ଜଣାପଡିଛି। ଆଉ ୨ଜଣଙ୍କ ପରିଚୟ ମିଳିପାରିନାହିଁ। ବର୍ଷା ପରେ ବହୁ ସ୍ଥାନରେ ବରଫପାତ ଜାରି ରହିଛି।

ଫଳରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଆଉ କିଛି ଟ୍ରେକର ଏବେ ବି ନିଖୋଜ ଅଛନ୍ତି। ବହୁ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି। ନୈନିତାଲରେ ସବୁଠୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏବେ ସୁଦ୍ଧା ନୈନିତାଲରେ ୩୫ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କୁମାଓଁରେ ଏଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁମାଓଁ ଅଞ୍ଚଳରେ ୨୪ଜଣ ଟ୍ରେକରଙ୍କ ସମେତ ୬୦ ଜଣ ନିଖୋଜ ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଅକ୍ଟୋବର ୧୮ ତାରିଖ ଦିନ ତୁଷାରପାତ ଏବଂ କୋହଲା ତଥା ହେମାଳିଆ ପାଗ ହେତୁ ସମୁଦ୍ରପତ୍ତନ ଠାରୁ ୧୭୦୦୦ ଫୁଟ୍‌ ଉଚ୍ଚ ଉତ୍ତରାଖଣ୍ଡର ଲମ୍‌ଖାଗା ଘାଟିରେ ପର୍ଯ୍ୟଟକ, କୁଲି ଏବଂ ଗାଇଡ୍‌ଙ୍କ ସମେତ ବାଟବଣା ହୋଇଯାଇଥିବା ୧୭ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରିବା ଲାଗି ବାୟୁସେନା ବ୍ୟାପକ ତଲାସ ଚଳାଇଛି।

ଅକ୍ଟୋବର ୨୦ ତାରିଖ ଦିନ ସରକାରୀ ଅଧିକାରୀମାନଙ୍କ ଠାରୁ ‘ଏସ୍‌ଓଏସ୍‌’ ପାଇବା ପରେ ଭାରତୀୟ ବାୟୁସେନା ହର୍ଷିଲ୍‌ରେ ପହଞ୍ଚିବା ଲାଗି ଦୁଇଟି ‘ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌’ (ଏଏଲ୍‌ଏଚ୍‌) ହେଲିକପ୍ଟର୍‌ ମୁତୟନ କରିଥିଲା। ୧୯,୫୦୦ ଫୁଟ୍‌ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିବାକୁ ଅନୁମତି ମିଳୁଥିବା ଏହି ‘ଏଏଲ୍‌ଏଚ୍‌’ରେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌’ର (ଏନ୍‌ଡିଆର୍‌ଏଫ୍‌) ୩ଜଣ କର୍ମଚାରୀଙ୍କୁ ନେଇ ଅକ୍ଟୋବର ୨୦ ତାରିଖ ଅପରାହ୍ଣରେ ତଲାସ ଆରମ୍ଭ ହୋଇଥିଲା। କିନ୍ତୁ, କୌଣସି ସଫଳତା ମିଳି ନ ଥିଲା। ତା ପର ଦିନ ସକାଳେ ‘ଏଏଲ୍‌ଏଚ୍‌’ ଆରୋହଣ କରିଥିବା ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ଦୁଇଟି ଉଦ୍ଧାର ସ୍ଥଳୀ ଚିହ୍ନଟ କରିବାରେ ସମର୍ଥ ହୋଇଥିଲେ। ୧୫,୭୦୦ ଫୁଟ୍‌ ଉଚ୍ଚରେ ଥିବା ଉକ୍ତ ସ୍ଥାନରେ ଉଦ୍ଧାରକାରୀ ଦଳ ମୁତୟନ କରାଯିବାରୁ ସେମାନେ ୪ଟି ଶବ ଉଦ୍ଧାର କରିଥିଲେ।

ଏହା ପରେ ଉପରୋକ୍ତ ହେଲିକପ୍ଟର୍‌ ୧୬,୮୦୦ ଫୁଟ୍‌ ଉଚ୍ଚତାରେ ଅନ୍ୟ ଏକ ସ୍ଥାନରେ ପହଞ୍ଚିବା ପରେ ସେଠାରୁ ଚଳତ୍‌ଶକ୍ତିହିନ ଜଣେ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.