Below header

‘୪ ଛୁଆ ଜନ୍ମ କରନ୍ତୁ ହିନ୍ଦୁ, ଦୁଇ ଜଣଙ୍କୁ RSS ଓ VHPକୁ ଦିଅନ୍ତୁ’…ରାମ ଉତ୍ସବରେ ଏମିତି କହିଲେ ସାଧ୍ୱୀ ଋନ୍ତଭରା

ଏବେ ପ୍ରତ୍ୟେକ ହିନ୍ଦୁ ୪ଟି ଛୁଆ ଜନ୍ମ କରିବା ଉଚିତ୍‌। ସେଥିରୁ ଦୁଇ ଜଣଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ବିଶ୍ୱ ହିନ୍ଦୁ ପରିଷଦ (VHP)କୁ ହସ୍ତାନ୍ତର କରିବା ଦରକାର, ଯେପରି ସେମାନେ ରାଷ୍ଟ୍ର ଯଜ୍ଞରେ ଯୋଗଦାନ ଦେଇ ପାରିବେ। ଏଥି ସହିତ ଆଉ ଦୁଇଜଣ ସମାଜ ପାଇଁ ରହିବା ଉଚିତ୍‌। ଉତ୍ତର ପ୍ରଦେଶର କାନପୁରରେ ବିଶ୍ୱ ହିନ୍ଦୁ ପରିଷଦ (VHP) ପକ୍ଷରୁ ଆୟୋଜିତ ରାମୋତ୍ସବରେ ଯୋଗଦେଇ ସାଧ୍ୱୀ ଋନ୍ତଭରା ଏହା କହିଛନ୍ତି।

ନିରାଲା ନଗରସ୍ଥିତ ରେଲେଓ୍ଵ ପଡ଼ିଆରେ ଏହି ରାମୋତ୍ସବର ଆୟୋଜନ କରାଯାଇଥିଲା। ଏଥିରେ ପରିଷଦର ରାଷ୍ଟ୍ରୀୟ ମହାମନ୍ତ୍ରୀ ମିଲିନ୍ଦ ପରାଣ୍ଡେ କହିଥିଲେ ଯେ ‘ଏକଦା ମାତା ସୀତାଙ୍କ ଅପହରଣ କାରଣରୁ ରାବଣ ସମ୍ପୂର୍ଣ୍ଣ ଧ୍ୱଂସ ହୋଇ ଯାଇଥିଲା। ଆଜି ଯେଉଁମାନେ ଲଭ୍‌ ଜିହାଦ କରୁଛନ୍ତି, ଆମକୁ ସେଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଧ୍ୱଂସ କରିବାକୁ ହେବ। କେବଳ ଭଗବାନ ରାମଙ୍କର ପୂଜା କରିବା ଦ୍ୱାରା କିଛି ହେବ ନାହିଁ’।

ସେପଟେ ସଂଘର ପୂର୍ବ ସହ କାର୍ଯ୍ୟନିର୍ବାହୀ ଭୈୟା ଜୀ ଜୋଶୀ କହିଥିଲେ, ‘ରାମ ଜନ୍ମ ଉତ୍ସବ ପର୍ବରେ ଆମେମାନେ ଭଗବାନ ରାମଙ୍କ ସହିତ ରାମରାଜ୍ୟର ବି କଳ୍ପନା କରିଥାଉ। ରାମରାଜ୍ୟର ଅର୍ଥ, ଯେଉଁଥିରେ ଉତ୍ତମ ଶିକ୍ଷା ଓ ଉତ୍ତମ ସୁରକ୍ଷା ଥାଏ। ଆଜି ଆମେ ଆସୁରିକ ଶକ୍ତି ସହ ଲଢ଼ୁଛୁ। ଏହି ଦେଶରେ ଜୟ-ପରାଜୟ ହୋଇଛି, କିନ୍ତୁ ଶେଷରେ ସତ୍ୟର ହିଁ ବିଜୟ ହୋଇଥାଏ’।

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ଏହି ରାମୋତ୍ସବରେ ୬ ହଜାର ପିଲା ପ୍ରଭୁ ଶ୍ରୀରାମ ଏବଂ ୧୧୦୦ ପିଲା ପ୍ରଭୁ ହନୁମାନଙ୍କ ବେଶ ଧାରଣ କରି ସାମିଲ ହୋଇଥିଲେ। ଏଥି ସହିତ ଦୂର ଦୂରରୁ ଆସିଥିବା କଳାକାରମାନେ ମଧ୍ୟ ବାଦ୍ୟଯନ୍ତ୍ର ଦ୍ୱାରା ଲୋକଙ୍କୁ ବାନ୍ଧି ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.