ଏମିତି ଶାସ୍ତି : ଟାର୍ଗେଟ୍ ପୂରଣ ନହେବାରୁ ମହିଳା କର୍ମଚାରୀଙ୍କୁ ରାସ୍ତାରେ ଆଣ୍ଠେଇ ଚଲାଇଲେ କମ୍ପାନୀ କର୍ତ୍ତୃପକ୍ଷ

କମ୍ପାନୀ ଦେଲା କର୍ମଚାରୀଙ୍କୁ ଏମିତି ଶାସ୍ତି ଯାହା ଶୁଣିଲେ ଆପଣଙ୍କ ଦେହ ଶୀତେଇ ଉଠିବ । ଚାକିରି ଛାଡ଼ି ଚାଲିଯିବାକୁ ଇଚ୍ଛା ହେବ । ଚୀନ୍ର ଏକ ବିଉଟି ପ୍ରଡକ୍ଟ କମ୍ପାନୀ ଅତି ଲଜ୍ଜାଜନକ ଦଣ୍ଡ ଦେଇଛି ତାର ମହିଳା କର୍ମଚାରୀଙ୍କୁ । ବିଚ୍ ରାସ୍ତା ଉପରେ ଆଣ୍ଠେଇ ଦେଇଥିଲା । ଆଣ୍ଠେଇ ଆଣ୍ଠେଇ ଚାଲିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ମହିଳା କର୍ମଚାରୀମାନେ ବାଧ୍ୟ ହୋଇ ନିଜ ୟୁନିଫର୍ମରେ ଥାଇ ଆଣ୍ଠେଇ ଆଣ୍ଠେଇ ଚାଲିଥିଲେ ।
ଦଣ୍ଡ ଏଇଥିପାଇଁ ମିଳିଥିଲା ଯେ ସେମାନଙ୍କୁ ଦିଆଯାଇଥିବା ଟାର୍ଗେଟ୍ ସେମାନେ ପୂରଣ କରି ପାରିନଥିଲେ । ତେଣୁ କମ୍ପାନୀ କର୍ତ୍ତୃପକ୍ଷ ସେମାନଙ୍କୁ ରାସ୍ତାରେ ଆଣ୍ଠେଇ ଚଲାଇ ଥିଲେ । ଲୋକଙ୍କ ଆଗରେ ଏସବୁ ଘଟୁଥିଲା । ପୁଣି କମ୍ପାନୀୟ ଅନ୍ୟ କିଛି କର୍ମଚାରୀ ଏହାର ଭିଡିଓ ସୁଟିଂ କରୁଥିଲେ । ଶେଷରେ ପୋଲିସ୍ ଆସି ପହଞ୍ଚିବା ପରେ ସେମାନେ ରକ୍ଷା ପାଇଥିଲେ । କମ୍ପାନୀ ଅଧିକାରୀଙ୍କୁ ମଧ୍ୟ ପୋଲିସ୍ ତାଗିଦ କରିଥିଲା । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବଂ ପୀଡ଼ିତାମାନଙ୍କ ଅଭିଯୋଗ ପାଇ ପୋଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପରବର୍ତ୍ତୀ ସମୟରେ ସଂପୃକ୍ତ କମ୍ପାନୀକୁ ବନ୍ଦ କରି ଦିଆଯାଇଛିା ଚୀନ୍ର ଜାଓଝୁଆଙ୍ଗ ସହରରେ ଏହି ଘଟଣା ଘଟିଛି ।
ପେଟକୁ ଗଣ୍ଡେ ଦାନା ଯୋଗାଡ଼ କରିବାକୁ ଚୀନ୍ରେ ଲୋକଙ୍କୁ କିଭଳି ପରିସ୍ଥିତିର ସାମନା କରିବାକୁ ପଡୁଛି ଇଏ ହେଉଛି ତାର ସର୍ବଶେଷ ନମୁନା । ପୂର୍ବରୁ ଏକ କମ୍ପାନୀ ଠିକ୍ ଏହି ଭଳି ଭାବେ ଟାର୍ଗେଟ୍ ପୂରା କରି ପାରିନଥିବା କର୍ମଚାରୀଙ୍କୁ ଶାସ୍ତି ସ୍ୱରୂପ ଚାପୁଡ଼ା ମାରିଥିଲା । ଜଣେ ମହିଳା କର୍ମଚାରୀ ଏହି ପୁରୁଷ କର୍ମଚାରୀଙ୍କୁ ଧାଡ଼ିରେ ଠିଆ କରି ଚାପୁଡ଼ା ମାରିଥିଲେ । ଆଉ କିଛି କମ୍ପାନୀରେ ଆଶାନୁରୂପ କାମ କରି ପାରିନଥିବା କର୍ମଚାରୀଙ୍କୁ ଜବରଦସ୍ତି ଅସରପା ଖୁଆଇବା ଓ ମୂତ ପିଆଇବାର ମଧ୍ୟ ନଜିର ରହିଛି ।