ମଝି ରାସ୍ତାରେ ହଠାତ୍‌ ଆକାଶରେ ଉଡିଲା ପୁଳାପୁଳା ଟଙ୍କା, ଲୋକେ ଲୁଟିନେଲେ

କିଏ କେତେବେଳେ ସୋସିଆଲ ମିଡିଆରେ ଭାଇରଲ ହୋଇଯାଏ, ତାହା କାହାକୁ ବା ଜଣା। କିଛି ବ୍ୟକ୍ତି ରାତିରାତି ଷ୍ଟାର ହୋଇଯାଆନ୍ତି, ତ କିଛି ଭାଇରଲ ଭିଡିଓ ନୂଆ ବିବାଦକୁ ସୃଷ୍ଟି କରିଥାଏ। ଏହିପରି ଜଣେ ବ୍ୟକ୍ତିଙ୍କ ଟଙ୍କା ଉଡାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। ଟ୍ୱିଟରରେ ଭାଇରଲ ହୋଇଥିବା ଏହି ଭିଡିଓରେ ବ୍ୟକ୍ତି ଜଣଙ୍କ ୫୦୦ ଟଙ୍କିଆ ନୋଟ ଆକାଶରେ ଉଡାଉଥିବା ଦେଖିବାକୁ ମିଳୁଛି । ଭିଡିଓଟି ହାଇଦ୍ରାବାଦ ଚାରମିନାର ବୋଲି ଜଣାପଡିଛି। ତେବେ ବରଯାତ୍ରୀ ସମୟରେ ଏହି ବ୍ୟକ୍ତି ଜଣଙ୍କ ଟଙ୍କା ଉଡାଇଥିବା କିଛି ରିପୋର୍ଟରେ ପ୍ରକାଶ ପାଇଛି।

ବିଳମ୍ୱିତ ରାତିରେ ଗୁରଜାର ହୋଜ ନିକଟରେ ବ୍ୟକ୍ତି ଜଣଙ୍କ ଟଙ୍କା ଉଡାଇଛନ୍ତି । ବ୍ୟକ୍ତି ଜଣକ ଟଙ୍କା ଉଡାଉଥିବା ଦେଖି କିଛି ଲୋକ ନିଜ ଫୋନରେ ଏହାକୁ ରେକର୍ଡ କରିନେଇଥିଲେ। ପୋଲିସ ସୂଚନା ଅନୁସାରେ ଏକ ବରଯାତ୍ରୀ ସମୟରେ ଏଭଳି ଘଟଣା ଘଟିଛି। ଭିଡିଓ ଭାଇରଲ ହେବା ପରେ ପୋଲିସ ଏହାର ସତ୍ୟତା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଥିଲା।

ଚାରମିନାର ଇନସ୍ପେକ୍ଟର ବି.ଗୁରୁ ନାଇଡୁ କହିଛନ୍ତି, ସ୍ଥାନୀୟ ଅଞ୍ଚଳର ସିସିଟିଭିରୁ ମିଳିଥିବା ଫୁଟେଜ ଅନୁସାରେ, ଜଣେ ବ୍ୟକ୍ତି ଗାଡିରୁ ଓହ୍ଲାଇ ଟଙ୍କା ଉଡାଇବା ପରେ ଘଟଣାସ୍ଥଳରୁ ଚାଲିଯାଇଥିଲେ। ତଦନ୍ତ ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ୟୁଜର ବ୍ୟକ୍ତିଙ୍କ ଦାୟିତ୍ୱହୀନ ବ୍ୟବହାର ପାଇଁ ସମାଲୋଚନା କରିଛନ୍ତି। ଜଣେ ୟୁଜର୍ସ କହିଛନ୍ତି, ଏହାକୁ ଗରିବଙ୍କୁ ଦାନ କରିଦେଇଥାନ୍ତେ। ଆମ ରାଷ୍ଟ୍ରୀୟ ମୁଦ୍ରା ଏପରି ଅନାଦର କରିବା କିଛି ଭଲ କଥା ନୁହେଁ।

ଆଉ ଜଣେ କହିଛନ୍ତି, ଯଦି ଏତେ ପଇସା ଅଛି, ଆବଶ୍ୟକ ଥିବା ଲୋକକୁ ଦାନ କରିଦିଅନ୍ତୁ। ଆଉ ଜେଣ କହିଛନ୍ତି, ପଇସାକୁ ଅତି ଗର୍ବ ଦେଖାଇବା ଭଲ ନୁହେଁ। ଦରକାର ଥିବା ଲୋକକୁ ଦେଇଦିଅନ୍ତୁ।