‘ମୋଦିଙ୍କୁ ଈଶ୍ୱରଙ୍କ ସହିତ ବସାଇଦେଲେ ମଧ୍ୟ ସେ ଈଶ୍ୱରଙ୍କୁ ବୁଝାଇ ଦେବେ’: ରାହୁଲ ଗାନ୍ଧି

ମୋଦିଙ୍କୁ କାଲିଫର୍ଣ୍ଣିଆରେ କଟାକ୍ଷ କରିଛନ୍ତି ରାହୁଲ ଗାନ୍ଧି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନଙ୍କ ସହିତ ବସାଇଦେଲେ ମଧ୍ୟ ସେ ଈଶ୍ୱରଙ୍କୁ ବ୍ରହ୍ମାଣ୍ଡ କେମିତି ଚାଲିଛି ତାହା ବୁଝାଇଦେବେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭଗବାନଙ୍କ ସହିତ ବସାଇଦେଲେ ମଧ୍ୟ ସେ ଈଶ୍ୱରଙ୍କୁ ବ୍ରହ୍ମାଣ୍ଡ କେମିତି ଚାଲିଛି ତାହା ବୁଝାଇଦେବେ । ଆମେରିକାର କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ଉଦ୍ବୋଧନ ଦେବା ବେଳେ କଂଗ୍ରେସ ନେତା ରାହୁଲ୍ ଗାନ୍ଧି କହିଛନ୍ତି।

ରାହୁଲ କହିଛନ୍ତି, ଦେଶରେ କିଛି ଲୋକ ଏଭଳି ରହିଛନ୍ତି, ଯେଇଁମାନେ ସବୁକିଛି ଜାଣିଛନ୍ତି ବୋଲି ଭାବୁଛନ୍ତି । ସେମାନେ ଭଗବାନଙ୍କ ଠାରୁ ଅଧିକ ଜାଣିଛନ୍ତି । ଯଦି ସେମାନଙ୍କୁ ଈଶ୍ୱରଙ୍କ ପାଖରେ ବସାଇ ଦିଆଯାଏ, ସେ ଈଶ୍ୱରଙ୍କୁ ମଧ୍ୟ ବୁଝାଇଦେବେ । ମୋଦିଙ୍କୁ କଟାକ୍ଷ କରି କହିଛନ୍ତି, ଆଉ ମୋତେ ଲାଗୁଛି ଦେଶର ପ୍ରଧାନମନ୍ତ୍ରୀ ସେଥି ମଧ୍ୟରୁ ଜଣେ । ମୋଦିଙ୍କୁ ଯଦି ଭଗବାନଙ୍କ ପାଖରେ ବସାଇ ଦିଆଯିବ, ତେବେ ସେ ତାଙ୍କୁ ବୁଝାଇଦେବେ, ବ୍ରହ୍ମାଣ୍ଡ କେମିତି ଚାଲିଛି ।

ରାହୁଲ ଭାରତ ଯୋଡୋ ଯାତ୍ରାର ଅନୁଭବ ସେୟାର କରି କହିଛନ୍ତି, ଯେତେବେଳେ ମୁଁ ଏହି ଯାତ୍ରା ଆରମ୍ଭ କଲି, ସେତେବେଳେ ୫-୬ ଦିନ ପରେ ଏହି ଯାତ୍ରା ସହଜ ନୁହେଁ ବୋଲି ଅନୁଭୂତ ହୋଇଥିଲା । ହଜାର କିଲୋମିଟର ପାଦରେ ଯାତ୍ରା କରିବା ବହୁତ ମୁସ୍କିଲ ଲାଗିଥିଲା । କିନ୍ତୁ ମୋ ପାଖରେ କୌଣସି ଅପସନ ନଥିଲା । କଂଗ୍ରେସ କାର୍ଯ୍ୟକର୍ତ୍ତା ଏବଂ ସମର୍ଥକ ପ୍ରତିଦିନ ୨୫ କିମି ଯାତ୍ରା କରିବା ପାଇଁ ଯୋଜନା କରୁଥିଲେ । ୩ ସପ୍ତାହ ଚାଲିବା ପରେ ମୋର ଅଭ୍ୟାସ ହୋଇଯାଇଥିଲା । ତା’ ପରେ ସେମାନେ ଥକ୍କି ପଡିଥିବା ମୁଁ ସେମାନଙ୍କୁ ପଚାରିଥିଲି । କିନ୍ତୁ ଜବାବରେ ନାଁ ଆସିଥିଲା । ଏହି ଯାତ୍ରାକୁ ବନ୍ଦ କରିବା ପାଇଁ ସରକାର ସାଧ୍ୟମତେ ଉଦ୍ୟମ କରିଥିଲେ। ମାତ୍ର ଏହି ଯାତ୍ରାର ପ୍ରଭାବ ବଢ଼ି ବଢ଼ି ଚାଲିଲା।

ରାହୁଲ କହିଛନ୍ତି ମୋତେ ଲାଗୁଛି ନୂଆ ସଂସଦ ଭବନର ଉଦଘାଟନ ଦେଶର ଅସଲ ପ୍ରସଙ୍ଗରୁ ଧ୍ୟାନ ହଟାଇବା ଲାଗି ଯୋଜନାବଦ୍ଧ ଭାବରେ କରାଯାଇଛି । ଦେଶରେ ବେରୋଜଗାରୀ, ଦରଦାମ୍ ବୃଦ୍ଧି, ସାଂପ୍ରଦାୟିକ ହିଂସା, ଶିକ୍ଷା ସଂସ୍ଥାନର ଅଭାବ ପରି ପ୍ରସଙ୍ଗ ଉପରେ ବିଜେପି ଚର୍ଚ୍ଚା କରିବାକୁ ଚାହୁଁନାହିଁ । ଏଣୁ ସଂସଦ ଭବନ ଉଦଘାଟନ ପରି ପ୍ରସଙ୍ଗକୁ ଆଗକୁ ଅଣାଯାଉଛି ।