ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ
ପଞ୍ଜାବର ରୂପନଗରର ପ୍ରୀତ୍ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ପଞ୍ଜାବର ରୂପନଗରର ପ୍ରୀତ୍ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେ ବି ଜଣେ ଶ୍ରମିକ ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି । ଏହି ସୂଚନା ଦେଇ ପୋଲିସ କହିଛି ଯେ ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି । ଏହି ଘଟଣା ଗୁରୁବାର ଘଟିଥିଲା । ସେହି ସମୟରେ ଶ୍ରମିକମାନେ ଘରର ଲିଣ୍ଟେଲ ଉଠାଉଥିଲେ ।
ରୂପନଗରର ବରିଷ୍ଠ ପୋଲିସ ଅଧୀକ୍ଷକ ଗୁଲ୍ନିତ ସିଂ ଖୁରାନା କହିଛନ୍ତି, ଘର ଭୁଶୁଡ଼ି ପଡ଼ିବାରୁ ମୋଟ ୫ ଜଣ ଶ୍ରମିକ ଭଗ୍ନାବଶେଷ ଭିତରେ ଚାପି ହୋଇଯାଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ସେ କହିଛନ୍ତି ଯେ ଯେତେବେଳେ ଶ୍ରମିକମାନଙ୍କୁ ବାହାର କରାଯାଇଥିଲା, ସେତେବେଳକୁ ଦୁଇ ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟ ଜଣେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଖି ବୁଜିଥିଲେ ।
ପୋଲିସ ଅଧିକାରୀ କହିଛନ୍ତି କି, ଭଗ୍ନାବଶେଷ ଭିତରୁ ସୁରକ୍ଷିତ ବାହାର କରାଯାଇଥିବା ଜଣେ ଶ୍ରମିକଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅନ୍ୟ ଜଣେ ଶ୍ରମିକ ଏବେ ବି ଭଗ୍ନାବଶେଷ ଭିତରେ ଫସି ରହିଛନ୍ତି ଏବଂ ତାଙ୍କୁ ବାହାରକୁ ଆଣିବା ପାଇଁ ପ୍ରୟାସ ଜାରି ରହିଛି ।
ପୋଲିସ ମୁତାବକ, ଯେତେବେଳେ ଘର ଭୁଶୁଡ଼ିଥିଲା, ସେତେବେଳେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଦୁଇ ମହଲା ଘର ଭୁଶୁଡ଼ି ପଡ଼ିବା ସମ୍ପର୍କରେ ଖବର ପାଇ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍ଡିଆରଏଫ), ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ୍ଡିଆରଏଫ), ଭାରତ-ତିବ୍ଦତ ସୀମା ପୋଲିସ, ପଞ୍ଜାବ ପୋଲିସ ଏବଂ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ନିମନ୍ତେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
ଘର ମାଲିକ ରାଜିନ୍ଦର କୌରଙ୍କ ଅନୁସାରେ, ଏହି ଘର ୧୯୮୪ ମସିହାରେ ନିର୍ମିତ ହୋଇଥିଲା । ସେମାନେ ଜ୍ୟାକ୍ ସାହାଯ୍ୟରେ ଘରର ଲିଣ୍ଟେଲ୍ ଉଠାଉଥିଲେ । ଏହି ସମୟରେ ଘରଟି ଭୁଶୁଡ଼ି ପଡ଼ିଥିଲା । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଛି ।