ସାମ୍ନାକୁ ଆସିଲା କରୋନା ଭାଇରସ୍ର ପ୍ରକୃତ ସ୍ୱରୂପ, ଦେଖନ୍ତୁ କେତେକ ଭୟଙ୍କର ଦିଶୁଛି ଏହି ଭୂତାଣୁ
ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ପ୍ରକୃତ ସ୍ୱରୂପ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ କରୋନାର ଆକାରକୁ ସ୍ପଷ୍ଟ ଭାବେ ଦେଖିବାରେ ସକ୍ଷମ ହୋଇଛନ୍ତି। ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନ୍ଫେକ୍ଟିଅସ୍ ଡିଜିଜ୍ର ଦ ରକି ମାଉଣ୍ଟେନ୍ ଲାବ୍ରୋଟୋରିସ୍ କରୋନା ଭାଇରସ୍ର କେତେକ ଫଟୋ ସେୟାର କରିଛନ୍ତି।
ଏହି ଭାଇରସ୍ ଏତେ ଛୋଟ ଯେ ଟିପିକାଲ ଲାଇଟ୍ ମାଇକ୍ରୋସ୍କୋପ୍ରେ ଦେଖିବା ବି କଷ୍ଟକର ହୋଇପଡ଼ୁଛି। ଏହି ଭାଇରସ୍ ହେଉଛି ଅପେକ୍ଷାକୃତ କ୍ଷୁଦ୍ର ସଂକ୍ରମିତ ବ୍ଲବ୍। ପ୍ରୋଟିନ୍ କୋଟେଡ୍ ଖୋଳପା ମଧ୍ୟରେ ଡିଏନ୍ଏ ଓ ଆରଏନ୍ଏର ଅଂଶ ମିଶି ଏହାର ସୃଷ୍ଟି। ଜଣେ କରୋନା ଆକ୍ରାନ୍ତଙ୍କ ଠାରୁ ସାମ୍ପଲ ନେଇ ଡାକ୍ତରମାନେ ଏହି ମାରାତ୍ମକ ଭାଇରସ୍ର ପ୍ରକୃତ ସ୍ୱରୂପ ଦେଖିଛନ୍ତି। ଦୁଇଟି ହାଇ ରିଜଲ୍ୟୁସନ୍ କ୍ୟାମେରା ସହାୟତାରେ ଭାଇରସ୍ର ଫଟୋ ଉଠାଯାଇଥିଲା ବୋଲି କହିଛନ୍ତି ବିଶେଷଜ୍ଞ।
ସୂଚନାଯୋଗ୍ୟ ଯେ କରୋନା ଯୋଗୁ ବର୍ତ୍ତମାନ ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୭୦ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଲେଣି। ଏବେ ଏହି ରୋଗ ଧୀରେ ଧୀରେ ଅନ୍ୟ ରାଷ୍ଟ୍ରକୁ ମଧ୍ୟ ନିଜ କବଳରେ ନେବାକୁ ଆରମ୍ଭ କଲାଣି। ଏଣୁ ସବୁ ଦେଶରେ କରୋନାକୁ ନେଇ ସଚେତନତା ସୃଷ୍ଟି କରାଯାଉଛି।