ଇମ୍ରାନ ଖାନଙ୍କୁ ଗୁଳିମାଡ଼: ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଯୋଗୁ ଇସଲାମାବାଦରେ ଲାଗିଲା ଲକଡାଉନ୍, ଶାହବାଜ ସରକାରଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଗତକାଲି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମରାନ ଖାନଙ୍କ ଉପରେ ହୋଇଥିବା ମର୍ମନ୍ତୁଦ ଆକ୍ରମଣ ପରେ ପାକିସ୍ତାନର ରାଜଧାନୀ ଇସଲାମାବାଦକୁ ସିଲ୍ କରାଯାଇଛି। ଇମ୍ରାନଙ୍କ ସମର୍ଥକ ମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତି ଅଣାୟତ ହୋଇପଡ଼ିଥିବା ବେଳେ ଇସଲାମାବାଦରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଇସଲାମାବାଦରେ ତାଲା ପକାଇବ ବୋଲି ଶେହବାଜ ସରିଫ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଇସଲାମାବାଦରେ ତାଲା ପକାଇବା ସମୟରେ ଅତ୍ୟାବଶ୍ୟକ ସେବା ଉପରେ କୌଣସି ପ୍ରତିବନ୍ଧକ ରହିବ ନାହିଁ। ଜଳ ଯୋଗାଣ, ରାସନ ଯୋଗାଣ ଏବଂ ଚିକିତ୍ସା ସେବା ଇତ୍ୟାଦି ଜାରି ରହିବ। ଏପରିକି ମଦ୍ରାସା, ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ କରିଦେଇଛି ପ୍ରଶାସନ । ସମର୍ଥକଙ୍କ ବିରୋଧ ପ୍ରଦର୍ଶନକୁ ଦେଖି ଏପରି ପଦକ୍ଷେପ ନିଆଯାଇଛି ।

ସୂଚନା ମୁତାବକ, ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ୍ ଖାନଙ୍କ ଉପରେ ଗତକାଲି ହୋଇଥିଲା ଗୁଳିମାଡ଼। ସରକାରରରେ ଥିବା ଶାହବାଜ ଶରିଫଙ୍କୁ ଶାସନରୁ ହଟାଇବା ପାଇଁ ଇମ୍ରାନ୍ ଆଜାଦୀ ଯାତ୍ରା କରୁଥିଲେ। ଏହାରି ମଧ୍ୟରେ ଇମ୍ରାନ୍ ଖାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ଏକେ-୪୭ରେ ଇମ୍ରାନ୍ ଙ୍କ ଉପରେ ୪ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଇମ୍ରାନଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ସେ ଏବେ ଲାହୋର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ଇମ୍ରାନ ବିପଦମୁକ୍ତ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣରେ ଇମ୍ରାନଙ୍କ ଜଣେ ସହଯୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୨ ଜଣ ସହଯୋଗୀ ଆହତ ହୋଇଛନ୍ତି । ପାକିସ୍ତାନର ପଞ୍ଜାବ ପ୍ରଦେଶର ୱାଜିରାବାଦରେ ଏକ ରାଲି ବେଳେ ଇମ୍ରାନଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଗୁଳି ଚଳାଇଥିବା ବ୍ୟକ୍ତିକୁ ଗିରଫ କରାଯାଇଛି । ଗୁଳିକାଣ୍ଡ ପରେ ରାଜନୀତି ତେଜିଛି ।

ଅନ୍ୟପଟେ ଇମ୍ରାନ ଖାନଙ୍କୁ ଗୁଳି ମାରିଥିବା କଥାକୁ ସ୍ୱୀକାର କରିଛି ଗିରଫ ଅଭିଯୁକ୍ତ । ଆକ୍ରମଣକାରୀ ନାଁ ମହମ୍ମଦ ନାଭେଦ । ଅପରାଧ ସ୍ୱୀକାର କରିବା ସହ କେବଳ ଇମ୍ରାନଙ୍କୁ ହତ୍ୟା କରିବାକୁ ଚାହୁଁଥିବା ବୋଲି କହିଛି । ସେ କହିଛି, ଇମ୍ରାନ୍‌ ମିଛ କହି ଲୋକଙ୍କୁ ଲଗାତାର ବିଭ୍ରାନ୍ତ କରି ଚାଲୁଥିଲେ । ଏଥିରେ ଅତିଷ୍ଠ ହୋଇ ସେ ଏଭଳି ପଦକ୍ଷେପ ନେଲା ବୋଲି ପାକିସ୍ତାନ ପୋଲିସକୁ ନିଜ ବୟାନରେ କହିଛନ୍ତି ଅଭିଯୁକ୍ତ ମହମ୍ମଦ ନାଭେଦ । ସେ ଆହୁରି କହିଛି, ତା ପଛରେ କେହି ନାହାନ୍ତି । ଏକା ଆସିଥିଲା । ଇମ୍ରାନ୍‌ ଖାନ ଲାହୋର ଛାଡିବା ଦିନଠାରୁ ହତ୍ୟା କରିବା ପାଇଁ ଯୋଜନା କରିଥିବା ବୋଲି ଆକ୍ରମଣକାରୀ କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.