Below header

ଭାରତ-ଚୀନ୍‌ ସୀମା ସଂଘର୍ଷ : ମୁଣ୍ଡ ନୁଆଁଇଲା ଡ୍ରାଗନ୍‌, ନିଜ ସେନା ପଛକୁ ହଟାଇବାକୁ କଲା ସହମତି

ନୂଆଦିଲ୍ଲୀ : ଭାରତ-ଚୀନ୍‌ ସୀମା ନିକଟ ସଂଘର୍ଷପୂର୍ଣ୍ଣ ଅଞ୍ଚଳରୁ ସେନା ହଟାଇବାକୁ ଚୀନ୍‌ ରାଜି ହୋଇଛି । ଗତକାଲି ଦୁଇ ଦେଶର କୋର୍‌ କମାଣ୍ଡରଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ସକରାତ୍ମକ ହୋଇଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି ।

ଯାହା ଫଳରେ ସୋମବାର ଏଲ୍‌ଏସି ଠାରେ ଉତ୍ତେଜନା ହ୍ରାସ ପାଇଛି । ଡ୍ରାଗନ୍‌ ପୂର୍ବ ଲାଦାଖର ସଂଘର୍ଷ ହୋଇଥିବା ସ୍ଥାନରୁ ନିଜର ସେନାକୁ ପଛକୁ ହଟାଇ ଦେଇଛି । ପ୍ରକାଶ ଯେ ଗଲ୍‌ଓ୍ଵାନ ଘାଟିରେ ଚୀନ୍‌ ଓ ଭାରତ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତର ୨୦ ସୈନିକ ସହିଦ ହୋଇଥିବା ବେଳେ ଚୀନ୍‌ର ୪୦ ସେନା ନିହତ ହୋଇଥିଲେ ।

china-9

ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଚରମ ସ୍ଥାନରେ ପହଞ୍ଚିଥିଲା । ଦୁଇ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ବେଳେ ଭାରତ ତାର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ମଇ ମାସ ୫ ପୂର୍ବରୁ ଏଲ୍‌ଏସିରେ ଯେଉଁ ସ୍ଥିତି ଥିଲା ତାହା ବଜାୟ ରଖିବା ପାଇଁ ଭାରତ ଦାବି କରିଥିଲା ।

ଶେଷରେ ଉଭୟ ଦେଶ ପୂର୍ବ ସ୍ଥିତିରେ ରହିବାକୁ ରାଜି ହୋଇଥିଲେ । ଭାରତ ପକ୍ଷରୁ ଲେହ ସ୍ଥିତ ୧୪ ତମ କୋର୍‌ କମାଣ୍ଡର ଲେପ୍ଟେନେଣ୍ଟ ଜେନେରାଲ୍‌ ହରିନ୍ଦର ସିଂହ ପ୍ରତିନିଧିତ୍ତ୍ୱ କରୁଥିବା ବେଳେ ଚୀନ୍‌ ପକ୍ଷରୁ ଦକ୍ଷିଣ ଶିଂଚିୟାଙ୍ଗ୍‌ ମିଲିଟ୍ରି ଡିଷ୍ଟ୍ରିକର କମାଣ୍ଡର ମେଜର ଜେନେରାଲ୍‌ ଲିୟୁ ଲିନ୍‌ ପ୍ରତିନିଧିତ୍ତ୍ୱ କରିଥିଲେ ।

ଏହି ବୈଠକ ବାସ୍ତବିକ ନିୟନ୍ତ୍ରଣ ରେଖା ମୋଲ୍‌ଡୋରେ ନିର୍ମିତ ବର୍ଡର ପର୍ସନେଲ୍‌ ମିଟିଙ୍ଗ୍‌ ହଟ୍‌ ରେ ହୋଇଥିଲା । ବୈଠକ ପ୍ରାୟ ୧୨ ଘଣ୍ଟା ଧରି ଚାଲିଥିଲା । ଶେଷରେ ଡ୍ରାଗନ୍‌ ଭାରତର ଯୁକ୍ତି ଆଗରେ ମୁଣ୍ଡ ନୁଆଁଇ ଥିଲା ଓ ଚୀନ୍‌ ସେନା ମଇ ୫ ପୂର୍ବ ସ୍ଥିତିକୁ ଫେରିବାକୁ ସହମତି ପ୍ରକାଶ କରିଥିଲା । ଏହି ଅବସରରେ ସେନା ମୁଖ୍ୟ ଜେନେରାଲ୍‌ ନରଓ୍ଵାଣେ ବୁଧବାର ଲାଦାଖ ଗସ୍ତରେ ଯାଇ ପରିସ୍ଥିତିର ଅନୁଧ୍ୟାନ କରିବେ ବୋଲି ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.