କରୋନା ସ୍ଥିତିକୁ ନେଇ ଦେଶର ୩ ପ୍ରସିଦ୍ଧ ଡାକ୍ତର ଦେଲେ ପରାମର୍ଶ, ଟିକା ଓ ଅମ୍ଲଜାନର ଅଭାବ ବିଷୟରେ ରଖିଲେ ମତ

କେନ୍ୟୁଜ୍(ବ୍ୟୁରୋ):  କରୋନା ସ୍ଥିତିକୁ ନେଇ ଦେଶର ପ୍ରସିଦ୍ଧ ୩ ଡାକ୍ତର କଲେ ପ୍ରେସମିଟ୍। ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ, ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହାନଙ୍କ  ଓ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ  ଭିଡିଓ କନଫରେନ୍ସିଂ ଜରିଆରେରେ ପ୍ରେସମିଟ୍ କରିଥିଲେ । ପ୍ରେସମିଟରେ  ଦେଶରେ ଟିକାର ଅଭାବ, ଅମ୍ଲଜାନର ଅଭାବ ଏବଂ ଟିକାର ପ୍ରକୃତ କାମ କଣ ସେ ବିଷୟରେ ଜଣାଇଥିଲେ।

ଟିକା ନେବା ପରେ ପଜିଟିଭ ହେବେ, କିନ୍ତୁ ଡରିବାର ନାହିଁ

ରଣଦୀପ ଗୁଲେରିଆ କରୋନା ଟିକାର ପ୍ରକୃତ କାମ ବିଷୟରେ ଜଣାଇ  କହିଥିଲେ ଯେ,

  • କରୋନା ଟିକା ଆପଣଙ୍କୁ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେବା ପରେ ଗୁରୁତର ହେବାରୁ ରକ୍ଷା କରିବ।
  • ଟିକା  ଆପଣଙ୍କୁ ସଂକ୍ରମଣରୁ ରକ୍ଷା କରିପାରିବ ନାହିଁ।
  • ଟିକା ନେବା ପରେ ମଧ୍ୟ ଆମେ କରୋନା ଆକ୍ରାନ୍ତ ହୋଇ ପାରିବା।
  • ଆମର ଆରଟି-ପିସିଆର ରିପୋର୍ଟ ପଜିଟିଭ ଆସିପାରେ। କିନ୍ତୁ ଆମେ ଗୁରୁତର ବା ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ସ୍ଥିତିକୁ ଯିବା ନାହିଁ।
  • ଟିକା ନେବା ପରେ ମଧ୍ୟ ଆମକୁ ମାସ୍କ ପିନ୍ଧିବାକୁ ହେବ।
  • ଯଦି ଆମ ସଂସ୍ପର୍ଶରେ ଆସୁଥିବା ଲୋକେ ଟିକା ନେଇନଥିବେ, ତେବେ‌ ସେମାନେ କରୋନା ଆକ୍ରାନ୍ତ ହୋଇ ଗୁରୁତର ହେବାର ଆଶଙ୍କା ରହିଛି।

ଅମ୍ଳଜାନର ଅପଚୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଅମ୍ଲଜାନ ପାଇବାରୁ ବଞ୍ଚିତ କରିବ

ଅମ୍ଲଜାନ ଅଭାବ ଉପରେ ଆଲୋଚନା କରି ମେଦାନ୍ତର ଅଧ୍ୟକ୍ଷ ଡାକ୍ତର ତ୍ରେହାନ କହିଥିଲେ, ଅମ୍ଳଜାନ ହେଉଛି ଏକ ଚିକିତ୍ସା, ଏହା ଏକ ଔଷଧ ପରି।  ଅମ୍ଲଜାନର ଯେଉଁଠି  ଆବଶ୍ୟକତା ନାହିଁ ସେଠି ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ। ଯଦି ଆମେ ସମସ୍ତେ ଏକ ହୋଇ ଦରକାର ଅନୁଯାୟୀ ଅମ୍ଲଜାନ ବ୍ୟବହାର କରିବା ତେବେ ଏହାର ଅଭାବ ଦେଖାଯିବ ନାହିଁ। ଅମ୍ଳଜାନର ଅପଚୟ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କୁ ଅମ୍ଲଜାନ ପାଇବାରୁ ବଞ୍ଚିତ କରିବ।  ଏହା ସହ ସେ କହିଥିଲେ ଯେ, କରୋନା ଆକ୍ରାନ୍ତ ହୋଇଥିବା ସମସ୍ତଙ୍କୁ ରେମଡେସିଭିର ଦିଆଯିବାର କୌଣସି ଆବଶ୍ୟକତା ନାହିଁ। ରେମଡେସିଭିର ଜୀବନ ରକ୍ଷାକାରୀ ନୁହେଁ।  ଜଣେ ଯଦି କରୋନା ପଜିଟିଭ ହେଉଛି, ତେବେ ଆକ୍ରାନ୍ତର ସ୍ଥିତି ଦେଖି ଏବଂ ସେ କେତେ ଗୁରୁତର ତାହା ଦେଖି ଡାକ୍ତର ସେମାନଙ୍କୁ ରେମଡେସିଭିର ନେବା ପାଇଁ କହିବେ।

ଘରେ ରଖନ୍ତୁ ଅକ୍ସିମିଟର

ନାରାୟଣ ହେଲଥର ଡାକ୍ତର ସେଟ୍ଟୀ କହିଥିଲେ, ଯଦି ଆପଣଙ୍କର ଅମ୍ଲଜାନ ୯୪% ରୁ ଅଧିକ ରହୁଛି ତେବେ କୌଣସି ଅସୁବିଧା ନାହିଁ। କିନ୍ତୁ ଯଦି ବ୍ୟାୟାମ ପରେ ଏହା କମିବାକୁ ଲାଗୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ। ନିୟମିତ ଅକ୍ସିଜେନ ଚେକ୍ କରିବା ପାଇଁ ଘରେ ଏକ ଅକ୍ସି ମିଟର ରଖିପାରନ୍ତି।

ସଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ପାଇବା ଗୁରୁତ୍ୱପୂର୍ଣ୍ଣ କଥା । ଯଦି ଆପଣ କରୋନା ଆକ୍ରାନ୍ତ ହେଉଛନ୍ତି, ତେବେ ଡାକ୍ତରଙ୍କୁ ଦେଖାନ୍ତୁ ଓ ତାଙ୍କ ମତାମତ ନିଅନ୍ତୁ। ଅଯଥା ଭୟ କରନ୍ତୁ ନାହିଁ, କ‌ରୋନା ବର୍ତ୍ତମାନ ସାଧାରଣ ରୋଗ ପରି ଅଟେ। କରୋନା  ଏକ ଏମିତି ସମସ୍ୟା ଯାହାର ସମାଧାନ ହୋଇପାରିବ ଯଦି ଆପଣ ପ୍ରାଥମିକ ପର୍ଯ୍ୟାୟରେ ଡାକ୍ତରଙ୍କୁ ଦେଖାଇବେ ଏବଂ ଡାକ୍ତରଙ୍କ ନିର୍ଦ୍ଦେଶ ପାଳନ କରିବେ।

 

Leave A Reply

Your email address will not be published.