ଜୈସ-ଇ-ମହମ୍ମଦ ମୁଖ୍ୟ ସତରେ ମରିଛି ନା ମିଛ ପ୍ରଚାର ?

ଭାରତର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆଉ ନାହିଁ ? ଜୈସ-ଇ-ମହମ୍ମଦ ଆତଙ୍କବାଦ ସଂଗଠନର ମୁଖ୍ୟ ମସୁଦ ଆଝାର ମୃତ । ଏଭଳି କିଛି ଖବର ଏବେ ପାକିସ୍ତାନ ପଟୁ ଆସିଛି । ସେ ଗତ କିଛି ଦିନ ହେବ ଗୁରୁତର ଅସୁସ୍ଥ ଥିଲା ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଥିଲା । ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମେହେମୁଦ କୁରେସି ମଧ୍ୟ ଏହାକୁ ସ୍ୱୀକାର କରିଥିଲେ । ଗତକାଲି ମସୁଦର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଗତ ଫେବ୍ରୁଆରୀ ୧୪ରେ କଶ୍ମୀର ପୁଲଓ୍ଵାମାରେ ଆତ୍ମଘାତୀ ବିସ୍ଫୋରଣରରେ ଭାରତର ୪୦ ଜଣ ସିଆରପିଏଫ୍‌ ଯବାନ ସହିଦ ହୋଇଥିଲେ । ଏହି ଘଟଣା ତାର ଆତଙ୍କବାଦ ସଂଗଠନ ଜୈସ-ଇ-ମହମ୍ମଦ ଘଟାଇଛି ବୋଲି ଦାବି କରିଥିଲା । ତେଣୁ ମସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତ ଦାବି କରି ଆସୁଥିଲା ।
ଅନ୍ୟପକ୍ଷରେ ପ୍ରଥମେ ମନା କରିବା ପରେ ପାକିସ୍ତାନ ମାନିଥିଲା ଯେ ମସୁଦ ଆଝାର ପାକିସ୍ତାନରେ ଅଛି ଏବଂ ସେ ଅସୁସ୍ଥ ରହିଛି । ପୁଣି ପୁଲଓ୍ଵାମା ଆକ୍ରମଣରେ ତାର ହାତ ନାହିଁ ବୋଲି ପାକିସ୍ତାନ କହିଥିଲା । ସେପଟେ ଭାରତ ପକ୍ଷରୁ ବାଲାକୋଟର ଜୈସ କ୍ୟାମ୍ପ ଉପରେ ଆକ୍ରମଣ ଏବଂ ପ୍ରାୟ ୩୫୦ ଆତଙ୍କବାଦୀ ମୃତ୍ୟୂ ଘଟଣାରେ ବସୁଦ ବିବ୍ରତ ଥିଲା ବୋଲି ମଧ୍ୟ କୁହାଯାଉଛି । ଏପରିକି ତାର କିଛି ସମ୍ପର୍କୀୟ ମଧ୍ୟ ଏଥିରେ ନିହତ ହୋଇଥିବା କୁହାଯାଉଥିଲା । ହେଲେ ଏହରେ ସତ୍ୟତା କିଛି ଜଣାପଡ଼ିନାହିଁ । ତେବେ ସେ ଯକୃତ କର୍କଟରେ ପୀଡ଼ିତ ଥିଲା ବୋଲି ମଧ୍ୟ ସୂଚନା ରହିଛି ।
ଏସବୁ ଖବର ପରେ ଏବେ ତାର ମୃତ୍ୟୁ ସୂଚନା ଚାରିଆଡ଼େ ଚର୍ଚ୍ଚା ସୃଷ୍ଟି କରିଛି । ଅନ୍ୟପକ୍ଷରେ ପ୍ରମାଣ ନମିଳିବା ଯାଏ ପାକିସ୍ତାନ କଥାକୁ ବିଶ୍ୱାସ କରାଯିବା ଉଚିତ ନୁହେଁ ବୋଲି ପ୍ରତିରକ୍ଷା ବିଶେଷଜ୍ଞ କହିଛନ୍ତି । ସେମାନଙ୍କ ଅନୁମାନ, ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ଏଭଳି ମିଛ ପ୍ରଚାର କରୁଥାଇ ପାରେ । ଅବଶ୍ୟ ଏପର୍ଯ୍ୟନ୍ତ ପାକିସ୍ତାନ ପକ୍ଷରୁ ମସୁଦ ଆଝାରର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ଗତ କିଛି ଦିନ ଭିତରେ ପାକିସ୍ତାନ ପକ୍ଷରୁ ଯଭଳି ଗୋଟିଏ ପରେ ଗୋଟିଏ ମିଛ କଥା କୁହାଯାଉଛି, ସେ ଦୃଷ୍ଟିରୁ ମସୁଦ ମୃତ୍ୟୁ କଥାକୁ ପ୍ରମାଣ ମିଳିବା ଯାଏ ଅପେକ୍ଷା କରିବାକୁ କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.