ଛିଃ ଏତେ ନୃଶଂସ ସାର୍! ପିଇବା ପାଣି ପାତ୍ର ଛୁଇଁବାରୁ ଦଳିତ ଛାତ୍ରକୁ ପିଟି ପିଟି ମାରି ଦେଲେ ଶିକ୍ଷକ

ରାଜସ୍ଥାନ: ପିଇବା ପାଣିରେ ହାତ ମାରି ଦେବାରୁ ଛାତ୍ରକୁ ପିଟି ପିଟି ଜୀବନ ନେଇଗଲେ ଶିକ୍ଷକ। ରାଜସ୍ଥାନର ଜାଲୋର ଜିଲ୍ଲାର ଏକ ପ୍ରାଇଭେର୍ଟ ସ୍କୁଲରେ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ପାଣି ମାଠିଆ ଛୁଇଁବାରୁ ଶିକ୍ଷକ ଜଣେ ୯ ବର୍ଷର ଦଳିତ ଶିଶୁକୁ ପ୍ରବଳ ପିଟିଥିଲେ। ଫଳରେ ତା’ ମୃତ୍ୟୁ ଘଟିଛି। ଏ ନେଇ ସ୍ଥାନୀୟ ଅଞ୍ଚଳରେ ସ୍ଥିତି ସାଂଘାତିକ ରହିଛି। ଲୋକମାନେ ତାତିବାରୁ ସ୍ଥାନୀୟ ପ୍ରଶାସନ ୨୪ ଘଣ୍ଟା ପାଇଁ ଅଞ୍ଚଳରେ ଇଣ୍ଟରନେଟ୍‌ ବନ୍ଦ କରି ଦେଇଛି। ଏହି ମାମଲାରେ ପୋଲିସ ୪୦ ବର୍ଷୀୟ ଶିକ୍ଷକ ଚୈଲ ସିଂହଙ୍କୁ ଗିରଫ କରିଛି। ତାଙ୍କ ବିରୋଧରେ ହତ୍ୟା ଓ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଅତ୍ୟାଚାର ନିବାରଣ) ଅଧିନିୟମର ଧାରାରେ ମାମଲା ରୁଜୁ କରାଯାଇଛି।

ସୁରାଣା ଗାଁର ଏକ ପ୍ରାଇଭେର୍ଟ ସ୍କୁଲର ଛାତ୍ର ଇନ୍ଦ୍ର ମେଘଓ୍ଵାଲଙ୍କୁ ଜୁଲାଇ ୨୦ରେ ଶିକ୍ଷକ ପିଟିଥିଲେ। ତାଙ୍କ ଅବସ୍ଥା ଏତେ ଶୋଚନୀୟ ଥିଲା ଯେ ସେବେ ଠାରୁ ସେ ଅହମ୍ମଦାବାଦର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଶନିବାର ହସ୍ପିଟାଲରେ ତା’ ମୃତ୍ୟୁ ଘଟିଛି। ରାଜ୍ୟର ଶିକ୍ଷା ବିଭାଗ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଜାଲୋରର ପୋଲିସ ଅଧୀକ୍ଷକ ହର୍ଷବର୍ଦ୍ଧନ ଅଗ୍ରଓ୍ଵାଲ କହିଛନ୍ତି, ପିଲାଟିକୁ ପ୍ରବଳ ମାଡ଼ ମରାଯାଇଛି। ସେ କହିଛନ୍ତି, ପାଣି ପିଇବା ମାଠିଆ ଛୁଇଁବା ଯୋଗୁ ଛୁଆକୁ ମାଡ଼ ମରାଯାଇଥିଲା। ସେ କହିଛନ୍ତି, ଏହି ମାମଲାରେ ଏବେ ତଦନ୍ତ ଚାଲିଛି।

ମୃତ ଛାତ୍ରର ବାପା କହିଛନ୍ତି, ତାଙ୍କ ପୁଅର ମୁହଁ ଓ କାନରେ ଆଘାତ ଲାଗିଥିଲା ଓ ସେ ଅଚେତ ହୋଇପଡ଼ିଥିଲା। ପିତା ଦେବାରାମ ମେଘଓ୍ଵାଲଙ୍କ କହିବାନୁସାରେ, ତାକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଉଦୟପୁରର ଏକ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପୁଅ ସପ୍ତାହେ ଧରି ଚିକିତ୍ସିତ ହେଲା। କିନ୍ତୁ କୌଣସି ସୁଧାର ନ ଆସିବାରୁ ତାଙ୍କୁ ଅହମ୍ମଦାବାଦ ନିଆଯାଇଥିଲା। କିନ୍ତୁ ସେଠାରେ ବି ତା’ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିଲା ନାହିଁ। ଶେଷରେ ଶନିବାର ତା’ ମୃତ୍ୟୁ ଘଟିଛି।

ରାଜ୍ୟ ଶିକ୍ଷା ବିଭାଗ ଏହି ମାମଲାର ତଦନ୍ତ କରିବାରୁ ୨ ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି। ସେମାନଙ୍କୁ ତୁରନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

Also Read: ଏ ସପ୍ତାହର ଭାଗ୍ୟଫଳ !

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.