ଜମ୍ମୁ କାଶ୍ମୀରରେ ସାମିଲ ହେବେ ୨୫ ଲକ୍ଷ ନୂଆ ଭୋଟର, ୩୭୦ ଧାର ଉଛେଦ ପରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀର ପରବର୍ତ୍ତୀ ନିର୍ବାଚନରେ ଭାଗ ନେବେ ପ୍ରାୟ ୨୫ ଲକ୍ଷ ନୂଆ ଭୋଟର । ପ୍ରଥମ ଥର ପାଇଁ ଏଠାରେ ଅଣକାଶ୍ମୀରବାସୀ ଭୋଟ ଦେଇପାରିବେ। ଜମ୍ମୁ କାଶ୍ମୀର ମୁଖ୍ୟ ନିର୍ବାଚନ ଅଧିକାରୀ ହିର୍ଦେଶ କୁମାର କହିଛନ୍ତି ୨୦ ଲକ୍ଷରୁ ଅଧିକ ନୂଆ ଭୋଟର ତାଲିକାଭୁକ୍ତ ହେବା ଆଶା କରାଯାଉଛି। ଏବେ ଜମ୍ମୁ କାଶ୍ମୀରରେ ୭୬ ଲକ୍ଷ ଭୋଟର ଅଛନ୍ତି। ନୂଆ ଭୋଟର ସାମିଲ ହେଲେ ଏହାର ଏକ ତୃତୀୟାଂଶ ବଢ଼ିବ ଭୋଟର ସଂଖ୍ୟା।

ପୂର୍ବରୁ ଜମ୍ମୁ କାଶ୍ମୀରରେ ରହୁଥିବା ଅଣକାଶ୍ମୀର ଲୋକ ଭୋଟ ଦେଇପାରୁନଥିଲେ । ୩୭୦ ଧାର ଉଛେଦ ପରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ ବଳରେ ଏହା ସମ୍ଭବ ହେବ । ଭୋଟ ଦେବାକୁ ପଞ୍ଜିକରଣ କରିପାରିବେ ଜମ୍ମୁ କାଶ୍ମୀରରେ ରହୁଥିବା ଅଣକାଶ୍ମୀରବାସୀ। ଯାହା ଅନ୍ୟ ରାଜ୍ୟଗୁଡ଼ିକରେ ହେଉଛି । ଅନେକ ପିଢ଼ି ଧରି ଏଠାରେ ରହି ଆସୁଥିଲେ ମଧ୍ୟ ଅଣକାଶ୍ମୀର ହୋଇଥିବାରୁ ଭୋଟ ଦେଇ ପାରୁନଥିଲେ ଲୋକେ।

ଏବେ ଭୋଟ ଦେବାକୁ ସକ୍ଷମ ହେବେ । ତେବେ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛନ୍ତି ଜମ୍ମୁ କାଶ୍ମୀରର ଅଧିକାଂଶ ଆଞ୍ଚଳିକ ଦଳ। ନିର୍ବାଚନକୁ ପ୍ରଭାବିତ କରିବାକୁ ଏହା ଏକ ଭୟଙ୍କର ଉଦ୍ୟମ ବୋଲି କହିଛନ୍ତି ପିଡିପି ନେତ୍ରୀ ମେହେବୁବା ମୁଫ୍ତି । ନେସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି, ଏଠି ସମର୍ଥନକୁ ନେଇ ବିଜେପି ଅସୁରକ୍ଷିତ ମନେ କରୁଥିବାରୁ ଏହି ନିଷ୍ପତ୍ତି ନେଇଛି। ଜମ୍ମୁ କାଶ୍ମୀରରେ ଆସନ୍ତାବର୍ଷ ନିର୍ବାଚନ ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.