ରାଗ ଛାଡି ପରସ୍ପର ଏକାଠି ହୋଇ ରାଷ୍ଟ୍ରକୁ ଆଗକୁ ନେବାର ସମୟ ଆସିଛି: ଜୋ ବାଇଡେନ୍‌

କେନ୍ୟୁଜ୍(ବ୍ୟୁରୋ):  ନୂଆ ରାଷ୍ଟ୍ରପତି ପାଇଲା ଆମେରିକା । ବାଜି ମାରିଲେ ଜୋ ବାଇଡେନ୍‌ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି । ସେ ହେବେ ଆମେରିକାର ୪୬ ତମ ରାଷ୍ଟ୍ରପତି । ତାଙ୍କୁ ମିଳିଛି ୨୭୩ ଇଲେକ୍ଟୋରାଲ୍‌ ଭୋଟ୍‌ । ଟ୍ରମ୍ପଙ୍କ ଖାତାରେ ପଡ଼ିଛି ୨୧୪ ଇଲେକ୍ଟୋରାଲ୍‌ ଭୋଟ୍‌ । ପେନସିଲଭାନିଆରେ ଆଗୁଆ ରହିବା ସହ ବାଇଡେନ୍‌ ଏହି ବିଜୟ ହାସଲ କରିଛନ୍ତି । ଏବେ କେବଳ ଔପଚାରିକ ଘୋଷଣାକୁ ଅପେକ୍ଷା ରହିଛି । ଆମେରିକାରେ ରାଷ୍ଟ୍ରପତି ନିର୍ବାଚିତ ହେବାକୁ ଜଣେ ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋରାଲ୍‌ ଭୋଟ୍‌ ଆବଶ୍ୟକ ଥିଲା । ଗତ ଚାରି ଦିନ ଧରି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଲାଗି ରହିଥିଲା ସସପେନ୍ସ । ସେପଟେ ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଆମେରିକା ରାଷ୍ଟ୍ରପତି ହେବାର ସ୍ୱପ୍ନ ଧୂଳିସାତ ହୋଇଛି । ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିଛି ।


ସେହିପରି କମଲା ହାରିସ ଆମେରିକାର ଉପରାଷ୍ଟ୍ରପତି ହେବେ ।ରାଷ୍ଟ୍ରପତି ନିର୍ବାଚନ ହେବା ପରେ ବାଇଡେନ୍‌ ଏଥିପାଇଁ ଆମେରିକାବାସୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ପ୍ରତି ଆସ୍ଥା ବ୍ୟକ୍ତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ଏକାଧିକ ପ୍ରତିବନ୍ଧକ ସତ୍ତ୍ୱେ ଆମେରିକୀୟ ନାଗରିକ ରେକର୍ଡ ସଂଖ୍ୟକ ମତଦାନ କରିଛନ୍ତି । ଏହା ଆମେରିକା ଗଣତନ୍ତ୍ରକୁ ଅଧିକ ଦୃଢିଭୂତ କରିବ । ପ୍ରଚାର ଶେଷ ହୋଇଛି, ଫଳାଫଳ ପ୍ରକାଶ ପାଇସାରିଛି, ଏବେ ରାଗ ଛାଡି ପରସ୍ପର ଏକାଠି ହୋଇ ରାଷ୍ଟ୍ରକୁ ଆଗକୁ ନେବାର ସମୟ ଆସିଛି ବୋଲି କହିଛନ୍ତି ବାଇଡନ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.