କର୍ଣ୍ଣାଟକରେ କ୍ୟାବିନେଟ ବିସ୍ତାର, ସିଦ୍ଦରମୈୟାଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେଲେ ୨୪ ନୂଆ ମନ୍ତ୍ରୀ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ ହୋଇଛନ୍ତି।

କର୍ଣ୍ଣାଟକରେ ୨୦ ମଇରୁ କଂଗ୍ରେସ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଡିକେ ଶିବକୁମାର ଶପଥ ନେବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଆଜି ତାଙ୍କ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଆଜି ଆଉ ୨୪ ବିଧାୟକ ସାମିଲ ହୋଇଛନ୍ତି। ଆଜି ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ଯେଉଁଥିରେ ଜଣେ ମାତ୍ର ମହିଳା ବିଧାୟକ ସାମିଲ ରହିଛନ୍ତି ।

କର୍ଣ୍ଣାଟକ ମନ୍ତ୍ରୀମଣ୍ଡଳରେ ମୋଟ ୩୪ ଜଣ ସଦସ୍ୟ ରହିପାରିବେ। ମେ’ ୨୦ରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଶାଇ ୧୦ ଜଣ ଶପଥ ନେଇଥିଲେ। ଆଜି ଆଉ ୨୪ ଜଣ ଶପଥ ନେଇଛନ୍ତି।

ବିଧାୟକ ଏଚକେ ପାଟିଲ, କ୍ରିଷ୍ଣା ବି, ଏନ ଚେଲୁଭାରାୟସ୍ୱାମୀ, କେ ଭେଙ୍କଟେଶ, ଏଚସି ମହାଦେବାପ୍ପା, କଂଗ୍ରେସର କାର୍ଯ୍ୟକାରୀ ସଭାପତି ଈଶ୍ୱର ଖାନ୍ଦେର ଓ କଂଗ୍ରେସର ପୂର୍ବତନ ସଭାପତି ଦୀନେଶ ଗୁଣ୍ଡୁ ରାଓ ମନ୍ତ୍ରୀ ହୋଇଛନ୍ତି। ଏମାନଙ୍କ ବ୍ୟତୀତ କେ ଏନ ରାଜାନ୍ନା, ଏସ୍ ଦର୍ଶପୁର, ଶିବାନନ୍ଦ ପାଟିଲ, ରାମାପ୍ପା ବାଲାପ୍ପା ତିମ୍ମାପୁର, ଏସଏସ୍ ମଲ୍ଲିକାର୍ଜୁନ, ଶିବରାଜ ସାଙ୍ଗାପ୍ପା, ଶର୍ଣ୍ଣପ୍ରକାଶ ରୁଦ୍ରାପ୍ପା ପାଟିଲ, ମଙ୍କଲ ବୈଦ୍ୟ, ଲକ୍ଷ୍ମୀ ହେବ୍ବାଲକର, ରହିମ ଖାନ, ଡି ସୁଧାକର, ସନ୍ତୋଷ ଲାଡ, ଏନଏସ୍ ବୋସେରାଜୁ, ସୁରେଶ ବିଏସ୍, ମଧୁ ବାଙ୍ଗାରପ୍ପା, ଏମସି ସୁଧାକର ଓ ବି ନଗେନ୍ଦ୍ର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

କଂଗ୍ରେସ ୬ ଜଣ ଲିଙ୍ଗାୟତ ଓ ୪ ଜଣ ଭୋକାଲିଗାସ ସଂପ୍ରଦାୟର ବିଧାୟକଙ୍କୁ ମନ୍ତ୍ରୀ କରିଛି। ଅନୁସୂଚିତ ଜାତି ବର୍ଗରୁ ୩ ଜଣ, ଅନୁସୂଚିତ ଜନଜାତି ବର୍ଗରୁ ୨ ଜଣ ଓ କୁରୁବା, ରାଜୁ, ମରାଠା, ଇଡିଗା ଓ ମୋଗାଭୀରା ଭଳି ଅନ୍ୟ ପଛୁଆ ବର୍ଗର ୫ ଜଣ ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିଛି। ବ୍ରାହ୍ମଣ ଭାବେ ଦୀନେଶ ଗୁଣ୍ଡୁ ରାଓ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ମନ୍ତ୍ରୀଙ୍କୁ ବିଭାଗ ଆବଣ୍ଟନ କରାଯାଇନାହିଁ । ଆଜି ସନ୍ଧ୍ୟା ସୁଦ୍ଧା ବିଭାଗ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.