ମା’ ଯାହାର ସାହା: ଛୁଆ ଜୀବନ ବଞ୍ଚାଇବାକୁ ଚିତା ସହ ଲଢ଼ିଗଲା ମା’

ଭଗବାନଙ୍କ ଅନ୍ୟ ରୂପ ହେଉଛି ମା’। ସନ୍ତାନ ଉପରେ ଟିକେ ବି ବିପଦ ଆସିଲେ ଆଗ ତାହାକୁ ସାମ୍ନା କରିବାକୁ ମା’ ଚାଲି ଆସେ। ଏତେ ପୁଣିଥରେ ମାତୃତ୍ୱର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ସିଧି ଜିଲ୍ଲାରେ। ଏଠାରେ ଜଣେ ମା’ ଛୁଆର ଜୀବନ ବଞ୍ଚାଇବାକୁ ଚିତା ସହ ଲଢ଼ିଯାଇଥିବା ଦେଖିବାକୁ ମିଳିଛି। ଚିତା ସହ ଲଢ଼ି ଲଢ଼ି ଶେଷରେ ଛୁଆକୁ ମରଣ ମୁହଁରୁ ଉଦ୍ଧାର କରିଛି ମା’। ତେବେ ଏହି ଆକ୍ରମଣରେ ଛୁଆର ଗାଲ, ପିଠି ଓ ଆଖିରେ ଗୁରୁତର ଆଘାତ ଲାଗିଛି। ଛୁଆକୁ ଚିକିତ୍ସା ପାଇଁ କୁସମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରିପୋର୍ଟ ମୁତାବକ, କୁସମୀ ବ୍ଲକର ବାଡି ଝରିଆ ନାମକ ଏକ ଗାଁରେ ଏହି ଘଟଣା ଘଟିଛି। ଗାଁର ଶଙ୍କର ବେଗାଙ୍କ ପତ୍ନୀ କିରଣ ସନ୍ଧ୍ୟା ୭ଟା ବେଳେ ଦୁଆରେ ବସି ନିଆଁ ପୁଉଁ ଥିଲେ। ଏହି ସମୟରେ ସେ କୋଳରେ ସାନ ଛୁଆକୁ ଧରିଥିବା ବେଳେ ପାଖରେ ତାଙ୍କର ୨ ବର୍ଷର ପୁଅ ବସିଥିଲା। ହଠାତ୍‌ ସେଠାକୁ ପାହାଡ଼ରୁ ଏକ ଚିତା ଆସି ୨ ବର୍ଷର ପୁଅକୁ ପାଟିରେ ଧରି ଜଙ୍ଗଲ ଆଡ଼େ ଦୌଡ଼ି ପଳାଇଥିଲା। ଛୁଆକୁ ଚିତା ନେଇ ଯାଉଥିବା ଦେଖି କିରଣ ମଧ୍ୟ ତା’ ପଛରେ ପାଟି କରି କରି ଦୌଡ଼ିଲେ। ପାଖାପାଖି ୧ କିଲୋମିଟର ପର୍ଯ୍ୟନ୍ତ ସେ ଚିତା ପଛରେ ଦୌଡ଼ି ଥିଲେ।

leopad attack

ଚିତା ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ଆଗେଇ ଆସିଥିଲା। କିନ୍ତୁ ଏହି ସମୟରେ ଗାଁ ଲୋକେ ଚାଲି ଆସିଥିଲେ। ଫଳରେ ଭୟରେ ଚିତା ଛୁଆକୁ ରାସ୍ତାରେ ଫିଙ୍ଗି ଦେଇ ଜଙ୍ଗଲ ଆଡ଼େ ଚାଲିଯାଇଥିଲା। କିରଣ ସେଠାରୁ କ୍ଷତାକ୍ତ ଅବସ୍ଥାରେ ପୁଅକୁ ଉଦ୍ଧାର କରି ଘରକୁ ଆଣିଥିଲେ। ପରେ ପରିବାର ଲୋକେ ପୁଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଅର ଗାଲ, ପିଠି ଓ ଆଖିରେ ଗଭୀର ଆଘାତ ଲାଗିଛି।

ଖବର ପାଇ ବନ ବିଭାଗ କର୍ତ୍ତୃପକ୍ଷ କିରଣଙ୍କ ଘରେ ପହଞ୍ଚିଥିଲେ। ସେମାନେ ଚିତାକୁ ଧରିବାକୁ ଚେଷ୍ଟା ଚଳାଉଥିବା କହିଛନ୍ତି। ଏଥିସହ ଆହତ ଶିଶୁର ଚିକିତ୍ସାର ସମସ୍ତ ଖର୍ଚ୍ଚ ବନ ବିଭାଗ ଉଠାଇବ ବୋଲି ମଧ୍ୟ ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ପୀଡ଼ିତ ପରିବାରକୁ ବନ ବିଭାଗ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଛି।