Below header

ବିବାହ ପାଇଁ କହିବାରୁ ନିଜ ଲିଭ୍‌-ଇନ୍‌ ସାଥୀଙ୍କୁ ୩୫ ଖଣ୍ଡ କଲେ ଯୁବକ; ୧୫୦୦ କିମି ଦୂରକୁ ଯାଇ ଗଳା ଚିପି କରିଥିଲେ ହତ୍ୟା

ଦିଲ୍ଲୀରେ ୫ ମାସ ତଳେ ଘଟିଥିବା ଏକ ହୃଦୟ ବିଦାରକ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚିତ ହୋଇଛି। ଏଠାରେ ଆଫ୍‌ତାବ ନାମକ ଯୁବକ ନିଜ ଲିଭ୍‌ ଇନ୍‌ ପାର୍ଟନରଙ୍କୁ ୧୫୦୦ କିଲୋମିଟର ଦୂରକୁ ନେଇ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତା ଯୁବତୀଙ୍କ ନାମ ଶ୍ରଦ୍ଧା। ଦିଲ୍ଲୀ ପୋଲିସ ୫ ମାସ ତଳେ ଘଟିଥିବା ଏହି ହତ୍ୟା ରହସ୍ୟକୁ ଉନ୍ମୋଚନ କରି ଅଭିଯୁକ୍ତ ଆଫ୍‌ତାବ ଅମିନ୍‌ ପୁନାଓ୍ଵାଲାଙ୍କୁ ଗିରଫ କରିଛି। ପୋଲିସ ଏବେ ଆଫ୍‌ତାବଙ୍କ ମାଧ୍ୟମରେ ମୃତା ଶ୍ରଦ୍ଧାଙ୍କ ଖଣ୍ଡବିଖଣ୍ଡିତ ଶରୀରକୁ ଖୋଜିବା ପାଇଁ ଚେଷ୍ଟା ଚଳାଇଛି। ପୋଲିସ ମୁତାବକ, ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଆଫ୍‌ତାବ ତାଙ୍କ ଶରୀରକୁ ୩୫ ଖଣ୍ଡ କରି ଦେଇଥିଲେ ଏବଂ ମାଂସ ଖଣ୍ଡଗୁଡ଼ିକୁ ସହରର ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଥିଲେ।

ଖବର ଅନୁସାରେ, ଶ୍ରଦ୍ଧାଙ୍କ ବାପା ବିକାଶ ମଦାନ ଦିଲ୍ଲୀର ମହରୋଲି ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ତାଙ୍କ ବାପା ପୋଲିସକୁ କହିଥିଲେ ଯେ ସେ ନିଜ ପରିବାର ସହିତ ମହାରାଷ୍ଟ୍ରର ପାଳଘରରେ ରୁହନ୍ତି। ତାଙ୍କ ୨୬ ବର୍ଷୀୟା ଝିଅ ଶ୍ରଦ୍ଧା ମୁମ୍ବାଇର ମଲାଡ୍‌ସ୍ଥିତ ମଲ୍ଟିନ୍ୟାସନାଲ କମ୍ପାନୀର କଲ୍‌ ସେଣ୍ଟରରେ ଚାକିରି କରୁଥିଲେ। ଏଠାରେ ଆଫ୍‌ତାବ ଅମିନ୍‌ଙ୍କ ସହିତ ଝିଅର ଭେଟ ହୋଇଥିଲା। ଉଭୟେ ଉଭୟଙ୍କୁ ପସନ୍ଦ କରି ଲିଭ୍‌-ଇନ୍‌ ରିଲେସନରେ ରହିବାକୁ ଲାଗିଥିଲେ। ଯେତେବେଳେ ପରିବାର ଲୋକେ ଦୁହିଁଙ୍କ ରିଲେସନ ବିଷୟରେ ଜାଣିବାକୁ ପାଇଲେ, ତ ବିରୋଧ କରିବା ଆରମ୍ଭ କରିଥିଲେ। ଏହାପରେ ଆଫ୍‌ତାବ ଓ ଶ୍ରଦ୍ଧା ମୁମ୍ବାଇ ଛାଡ଼ି ଦେଇଥିଲେ ଏବଂ ଦିଲ୍ଲୀରେ ଆସି ରହିବାକୁ ଲାଗିଥିଲେ।

ବିକାଶ ମଦାନଙ୍କ କହିବା ମୁତାବକ, ତାଙ୍କ ଝିଅ ଶ୍ରଦ୍ଧା ମହରୋଲିର ଛତରପୁର ଅଞ୍ଚଳରେ ରହୁଥିବା ସେମାନେ ଜାଣିବାକୁ ପାଇଥିଲେ। କାହାର ନା କାହାର ମାଧ୍ୟମରେ ସେମାନଙ୍କୁ ଝିଅ ବିଷୟରେ ସୂଚନା ମିଳୁଥିଲା। ଶ୍ରଦ୍ଧା ଫେସ୍‌ବୁକରେ ଅପ୍‌ଲୋଡ କରିଥିବା ଫଟୋରୁ ବି ଜଣାପଡ଼ିଥିଲା କି, ସେ ହିମାଚଳ ପ୍ରଦେଶ ବୁଲିବାକୁ ଯାଇଛନ୍ତି। କିନ୍ତୁ ଏହାପରଠାରୁ କୌଣସି ବି ସୂଚନା ଆଉ ମିଳି ନ ଥିଲା।

ଫୋନ୍‌ ନମ୍ବରରେ ବି ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲା, ହେଲେ ତାହା ବନ୍ଦ ରହିଥିଲା। ଏତେ ସବୁ ପରେ କୌଣସି ଅଘଟଣ ଘଟିଥିବା ଆଶଙ୍କାରେ ବିକାଶ ମଦାନ ୮ ନଭେମ୍ବରରେ ଛତରପୁରସ୍ଥିତ ଝିଅ ରହୁଥିବା ଭଡ଼ା ଘରକୁ ଯାଇଥିଲେ। ସେଠାରେ ମଧ୍ୟ ତାଲା ପଡ଼ିଥିବାର ଦେଖି ବିକାଶ ସଙ୍ଗେ ସଙ୍ଗେ ଥାନାକୁ ଯାଇ ଝିଅ ଅପହରଣ ନେଇ ଏତଲା ଦାୟର କରିଥିଲେ। ଏହାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ଆଫ୍‌ତାବଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା।

ଆଫ୍‌ତାବ ପୋଲିସକୁ କହିଥିଲେ କି, ବିବାହକୁ ନେଇ ଶ୍ରଦ୍ଧା ପ୍ରାୟତଃ ତାଙ୍କ ଉପରେ ଚାପ ପକାଉଥିଲେ, ଯାହାକୁୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ୧୮ ମେ’ରେ ଜୋର୍‌ଦାର ଝଗଡ଼ା ଲାଗିବାରୁ ଆଫ୍‌ତାବ ଶ୍ରଦ୍ଧାଙ୍କ ଗଳା ଚିପି ହତ୍ୟା କରିଥିଲେ। ପୁଣି ମୃତଦେହକୁ କରତରେ ୩୫ ଖଣ୍ଡ କରି ୩ ଭିନ୍ନ ଭିନ୍ନ ଜାଗାରେ ଫିଙ୍ଗି ଦେଇଥିଲେ। ପୋଲିସ ସୂଚନା ମୁତାବକ, ମୃତଦେହକୁ ୩୫ ଖଣ୍ଡ କରିବା ପରେ ଆଫ୍‌ତାବ ପ୍ରଥମେ ନିଜ ଘରେ ରଖିଥିଲେ। ଏହାକୁ ସତେଜ ରଖିବା ପାଇଁ ସେ ଏକ ସ୍ୱତନ୍ତ୍ର ବଡ଼ ଫ୍ରିଜ୍‌ କିଣିକି ଆଣିଥିଲେ ଏବଂ ୧୮ ଦିନ ପର୍ଯ୍ୟନ୍ତ ମାଂସ ଖଣ୍ଡଗୁଡ଼ିକୁ ଘରେ ଲୁଚାଇ ରଖିଥିଲେ। ରାତି ୨ଟା ପରେ ଆଫ୍‌ତାବ ସେଗୁଡ଼ିକୁ ପ୍ଲାଷ୍ଟିକ୍‌ ଜରିରେ ପୂରାଇ ସହରର ବିଭିନ୍ନ ଜାଗାରେ ଫିଙ୍ଗି ଦେଉଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.