ଶିବସେନାରେ ଘନଉଛି ସଂକଟ, ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କଲେ ଏକନାଥ ସିନ୍ଦେ

ମୁମ୍ବଇ : ଶିବସେନାରେ ଘନଉଛି ସଂକଟ । ଦଳର ଲଗାମ ଧରିବାକୁ ଲଢ଼େଇ । ଆସାମ ଗୌହ୍ଵାଟୀରେ ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି ଏକନାଥ ସିନ୍ଦେ । ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି। ଏପଟେ ମୁମ୍ବାଇରେ ଶିବସେନାର ଜିଲ୍ଲା ସଭାପତିଙ୍କୁ ଏକାଠି କରିଛନ୍ତି ଉଦ୍ଧବ ଠାକରେ । ଶିବସେନା ଓ ବାଲାସାହାବ ଠାକରେଙ୍କ ନାଁ ନେଇ ସେମାନେ କେତେବାଟ ଯିବେ ଦେଖିବି ବୋଲି କହିଛନ୍ତି ଉଦ୍ଧବ । ସଂଜୟ ରାଉତ କହିଛନ୍ତି ଆସ୍ଥା ଭୋଟରେ ଜିତିବୁ। ସଡ଼କରେ ଲଢ଼େଇ ହେଲେ ବି ଜିତିବୁ ।

ଉଦ୍ଧବ କହିଲେ ସରକାରୀ ବାସଭବନ ଛାଡ଼ିଛି କିନ୍ତୁ ଲଢୁଆ ମନୋଭାବ ଛାଡିନି । ଏପଟେ ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ ଜାରି କରାଯାଇଛି । ସେପଟେ ୫୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଏକନାଥ । ଗୌହ୍ଵାଟୀରେ ରହି ଶକ୍ତି ପ୍ରଦର୍ଶନ କରୁଛନ୍ତି ବିଦ୍ରୋହୀ ନେତା ଏକନାଥ ସିନ୍ଦେ । ବିଦ୍ରୋହୀ ଶିବିରରେ ଜଣଙ୍କ ପରେ ଜଣେ ସାମିଲ ହେଉଛନ୍ତି। ୪୦ ସମର୍ଥକଙ୍କୁ ଧରି ଶିବସେନାର ମୁଖିଆ ବୋଲି ଦାବି କରୁଛନ୍ତି ଏକନାଥ ।

ଏପଟେ ଶିବ ସେନାର ଜିଲ୍ଲା ମୁଖିଆଙ୍କୁ ଏକଜୁଟ୍ କରିଛନ୍ତି ଉଦ୍ଧବ ଠାକରେ ଓ ପୁଅ ଆଦିତ୍ୟ ଠାକ୍ରେ । ଜିଲ୍ଲା ସଭାପତିଙ୍କ ସହ ସାମ୍ନାସାମ୍ନି ଆଲୋଚନା କରିଛନ୍ତି ଆଦିତ୍ୟ ଠାକରେ। ଭିଡିଓ କନ୍ଫରେନ୍ସିଂରେ ସମ୍ବୋଧିତ କରିଛନ୍ତି ଉଦ୍ଧବ। ସରକାରୀ ବାସଭବନ ‘ବର୍ଷା’ ଛାଡ଼ିଥିଲେ ବି ଲଢ଼ୁଆ ମନୋଭାବ ଛାଡ଼ିନି ବୋଲି ଦଳର ଜିଲ୍ଲା ସଭାପତିଙ୍କୁ କହିଛନ୍ତି। ଏକନାଥ ସିନ୍ଦେଙ୍କୁ ଧୋକାବାଜ ବୋଲି କହିଛନ୍ତି ଉଦ୍ଧବ। ସବୁ କିଛି ଦେବା ପରେ ମଧ୍ୟ ବିଶ୍ୱାସଘାତକତା କଲେ ।

ତାଙ୍କ ପୁଅକୁ ସାଂସଦ କରଗଲା। କିନ୍ତୁ ମୋ ପୁଅ ବେଳକୁ ସମସ୍ୟା। ମୁଁ ଚଉକି ଜାବୁଡ଼ି ଧରିବା ଲୋକ ନୁହେଁ। ଦଳର ଅଧ୍ୟକ୍ଷ ପଦ ଛାଡ଼ିବାକୁ କହିଲେ ଛାଡ଼ି ଦେବି। କିନ୍ତୁ ଶିବ ସେନା ଓ ବାଲା ସାହେବଙ୍କ ନାଁ ନେଇ ସେମାନେ କେତେବାଟ ଯିବ ଦେଖିବି ବୋଲି କହିଛନ୍ତି ଉଦ୍ଧବ ଠାକ୍ରେ । ସେ ନିଜେ ଅସୁସ୍ଥ ଥିବା ବେଳେ ଓ ପୁଅ ଆଦିତ୍ୟ ଠାକ୍ରେ ୟୁରୋପ ଯାଇଥିବା ବେଳେ ଷଡ଼ଯନ୍ତ୍ର ଆରମ୍ଭ ହୋଇଥିଲା ବୋଲି ଅଭିଯୋଗ କରିଛନ୍ତି ଉଦ୍ଧବ।

ମହାରାଷ୍ଟ୍ର ସଂକଟ ଭିତରେ ଆଜି ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କୁ ଭେଟିଥିଲେ ଶିବ ସେନା ମୁଖ୍ୟ ମୁଖପାତ୍ର ସଂଜୟ ରାଉତ। ଆମେ ଲଢ଼ିବାକୁ ତୟାର ବୋଲି କହିଛନ୍ତି ପାଓ୍ଵାର । ଆସ୍ଥା ଭୋଟ ହେଲେ ଜିତିବୁ ବୋଲି ଦୃଢ଼ୋକ୍ତି କରିଛନ୍ତି ସଂଜୟ ରାଉତ । ବିଧାନସଭାକୁ ଆସିବାକୁ ବିଦ୍ରୋହୀଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ସଞ୍ଜୟ ରାଉତ ।

ମହା ବିକାଶ ଅଘାଡ଼ି ସରକାର ବାକି ଅଢ଼େଇ ବର୍ଷର ଶାସନ ପୂରା କରିବ ବୋଲି କହିଛନ୍ତି ସଂଜୟ ରାଉତ । ଏହା ସହ ବିଜେପି ବିରୋଧରେ ଆଉ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ବିଜେପିର ଜଣେ କେନ୍ଦ୍ର ମନ୍ତ୍ରୀ ଶରଦ ପାଓ୍ଵାରଙ୍କୁ ଧମକ ଦେଇଥିବା କହିଛନ୍ତି। ଏଭଳି ଧମକ ଗ୍ରହଣୀୟ ନୁହେଁ ବୋଲି ଟ୍ଵିଟ୍ କରିଛନ୍ତି ସଂଜୟ ରାଉତ । ସେପଟେ ମହାରାଷ୍ଟ୍ର ସରକାରକୁ ଅସ୍ଥିର କରୁଥିବା ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। କ୍ଷମତାକୁ ଆସିବାକୁ ଆମେ ଚାହୁଁନୁ ବୋଲି କହିଛି ବିଜେପି । ଧମକ ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓ ସାହେବ ପାଟିଲ୍ ଦାନବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.