ମାଲିକର ସାଥ୍‌ ଦେବାକୁ ଛୋଟେଇ ଛୋଟେଇ ଚାଲୁଥିଲା କୁକୁର, ଜାଣି ନପାରି ବ୍ୟକ୍ତି ଖର୍ଚ୍ଚ କଲେ ୪୦୦ ଡଲାର; ଦେଖନ୍ତୁ ଭିଡିଓ

କୁକୁରକୁ ଦୁନିଆର ସବୁଠୁ ବିଶ୍ୱସ୍ତ ଜୀବ ବୋଲି କୁହାଯାଏ। ମାଲିକର ସବୁ ପରିସ୍ଥିତିରେ ସେ ମାଲିକ ସହ ଠିଆ ହୋଇଥାଏ। ଏଣୁ ଲୋକଙ୍କୁ ସୁରକ୍ଷା ଦେବାକୁ କୁକୁରକୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଏ। ମାତ୍ର ବେଳେ ବେଳେ କିଛି କୁକୁର ଟ୍ରେନିଂ ପାଇନଥିଲେ ମଧ୍ୟ ମାଲିକ ପ୍ରତି ବେଶ୍‌ ସଚ୍ଚୋଟ ଓ ସମ୍ବେଦନଶୀଳ ରହିଥାନ୍ତି। ନିକଟରେ ସେଭଳି ଏକ ମାମଲା ଦେଖିବାକୁ ମିଳିଛି ଲଣ୍ଡନରେ। ଏଠାରେ ଏକ କୁକୁର ମାଲିକକୁ ସହାନୁଭୂତି ଜଣାଇବାକୁ ତାଙ୍କ ଭଳି ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି। ମାତ୍ର ମାଲିକ ତାହା ବୁଝି ନ ପାରି ତା’ ଚିକିତ୍ସା ପାଇଁ ପ୍ରାୟ ୩୦ ହଜାର ଟଙ୍କା ଖର୍ଚ୍ଚ କରିସାରିଲେଣି।

ରିପୋର୍ଟ ମୁତାବକ, କିଛି ଦିନ ତଳେ ଲଣ୍ଡନ୍‌ର ରସେଲ ଜୋନସ୍‌ଙ୍କ ଗୋଡ଼ ଭାଙ୍ଗିଯାଇଥିଲା। ଗୋଡ଼ ପ୍ଲାଷ୍ଟର ହୋଇଥିବାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲେ। ଏହାର କିଛି ଦିନ ପରେ ସେ ଲକ୍ଷ୍ୟ କଲେ ଯେ ତାଙ୍କ କୁକୁର ‘ବିଲ୍ଲି’ ବି ଗୋଟିଏ ଗୋଡ଼କୁ ଉପରକୁ ଟେକି ଛୋଟେଇ ଛୋଟେଇ ଚାଲୁଛି। ବିଲ୍ଲୀର ଗୋଡ଼ରେ ଆଘାତ ଲାଗିଛି ବୋଲି ଭାବି ରସେଲ ତାକୁ ଡାକ୍ତର ଦେଖାଇଥିଲେ। ବିଲ୍ଲୀ ଗୋଡ଼ର ଏକ୍ସ-ରେ ବି କରାଯାଇଥିଲା। ମାତ୍ର ରିପୋର୍ଟରେ କିଛି ବାହାରି ନଥିଲା। ଡାକ୍ତର ବି ଆଶ୍ଚର୍ଯ୍ୟ ହେଲେ, କିଛି ସମସ୍ୟା ତ ନାହିଁ ସେ ଛୋଟୋଉଛି କାହିଁକି।

ଦେଖନ୍ତୁ ଭିଡିଓ:

Video Courtesy: FB/ Russell Jones

ପରେ ଅନୁଧ୍ୟାନ କରିବାରୁ ସେ ଜାଣିବାକୁ ପାଇଥିଲେ ଯେ ବିଲ୍ଲୀ ତା ମାଲିକକୁ ସହାନୁଭୂତି ଜଣାଇବାକୁ ତାଙ୍କ ଭଳି ଛୋଟେଇ ଛୋଟେଇ ଚାଲୁଛି। କୁକୁର କେବଳ ତା’ ମାଲିକ ଦୁଃଖରେ ଦୁଃଖୀ ହେବାକୁ ଏମିତି ନିଜକୁ କଷ୍ଟ ଦେଇ ଚାଲୁଥିବା ଜାଣିପାରି ଜୋନସ୍‌ ଭାବବିହ୍ଵଳ ହୋଇ ପଡ଼ିଛନ୍ତି। ଜୋନସ୍‌ କହିଛନ୍ତି, ବିଲ୍ଲୀର ଚିକିତ୍ସା କରିବାକୁ ସେ ଇତି ମଧ୍ୟରେ ପ୍ରାୟ ୪୦୦ ଡଲାର ବା ପାଖାପାଖି ୩୦,୦୦୦ ଟଙ୍କା ଖର୍ଚ୍ଚ କରିସାରିଲେଣି। ମାତ୍ର ବିଲ୍ଲୀ ତାଙ୍କ ପାଇଁ ଏମିତି କରୁଥିବା ଜାଣିବା ପରେ ଉକ୍ତ ଖର୍ଚ୍ଚକୁ ନେଇ ସେ ଆଦୌ ଚିନ୍ତା କରୁନାହାନ୍ତି ବୋଲି କହିଛନ୍ତି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.