ଭାରତର ମୋଷ୍ଟ ଓ୍ଵଣ୍ଟେଡ୍ ମସୁଦ ଆଝାର ଭାଇକୁ ଗିରଫ କଲା ପାକିସ୍ତାନ; ଏହା ପଛରେ କଣ କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଆଉ କୌଣସି ବାଟ ନାହିଁ । ଆତଙ୍କବାଦୀଙ୍କ ବିରୋଧରେ କିଛି ନା କିଛି କରିବାକୁ ହେବ । ନହେଲେ ଦେଶ ଚଳିବ କେମିତି ? ଏବେ ଏଭଳି ପରିସ୍ଥିତିରେ ଶେଷରେ କିଛି କରି ଦେଖାଇବାକୁ ବାଧ୍ୟ ହୋଇଛି ପାକିସ୍ତାନ । ତେଣୁ ଆଜି ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ ଆଝାର୍ ଭାଇ ମୁଫତି ଅବଦୁଲ ରଉଫକୁ ଗିରଫ କରିଛି । ଆନ୍ତର୍ଜାତିକ ସ୍ତରରେ ପ୍ରବଳ ଚାପ ପରେ କଟକଣା ଲାଗୁ ହୋଇଥିବା ବିଭିନ୍ନ ସଂଗଠନର ପ୍ରାୟ ୪୪ ଜଣ ସଦସ୍ୟଙ୍କୁ ପାକିସ୍ତାନ ପୋଲିସ୍ ଗିରଫ କରି ସାରିଲାଣି । ଏମାନଙ୍କ ମଧ୍ୟରେ ଭାରତର ମୋଷ୍ଟ ଓ୍ଵଣ୍ଟେଡ୍ ମସୁଦ୍ର ଭାଇ ମୁଫତି ଅବଦୁଲ ଏବଂ ହାମାଦ ଆଝାର ମଧ୍ୟ ଅଛନ୍ତି । ଏମାନଙ୍କୁ ପଚରା ଉଚରା ପାଇଁ ଗିରଫ କରାଯାଇଛି । ନେସନାଲ ସିକ୍ୟୁରିଟି କମିଟିର ନିଷ୍ପତ୍ତି କ୍ରମେ ଏଭଳି ପଦକ୍ଷେପ ନିଆଯାଇଥିବା ପାକ୍ ସରକାର ସୂଚନା ଦେଇଛନ୍ତି ।
ଅନ୍ତର୍ଜାତୀୟ ସଂଗଠନ ଫାଇନାନସିଆଲ ଆକସନ୍ ଟାସ୍କ ଫୋର୍ସ (ଏଫ୍ଏଟିିଏଫ୍ଏ) ଏ ନେଇ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ କରିଥିବାରୁ ପାକିସ୍ତାନକୁ ବାଧ୍ୟ ହୋଇ ଆତଙ୍କବାଦ ସଂଗଠନଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ିଛି । କାରଣ ଏଭଳି ନକଲେ ତାକୁ ୠଣ ଦିଆଯିବ ନାହିଁ ବୋଲି ମଧ୍ୟ ଏଫ୍ଏଟିିଏଫ୍ଏ ସ୍ପଷ୍ଟ କରି ଦିଆଯାଇଥିଲା ।