ଭୂମିକମ୍ପ ଓ ସୁନାମି ଆଣିଲା ସୁଯୋଗ, ଇଣ୍ଡୋନେସିଆ ଜେଲରୁ ଚମ୍ପଟ୍ ମାରିଲେ ୧୪୦୦ କଏଦୀ

ଜାକର୍ତ୍ତା : ଭୂମିକମ୍ପ ଓ ସୁନାମି ଇଣ୍ଡୋନେସିଆ ପାଇଁ ଆଣି ଦେଇଛି ବଡ଼ ବିପତ୍ତି । ହେଲେ ଏହି ମଉକା କଏଦୀମାନଙ୍କୁ ଖସି ଯିବାର ସୁଯୋଗ ଆଣି ଦେଇଛି । ଏଠାକାର ଆଇନ ମନ୍ତ୍ରାଳୟର ସୂଚନା ଅନୁଯାୟୀ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ପାଲୁ ସହରରେ ଥିବା ଜେଲଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି । ତେବେ ବିପର୍ଯ୍ୟୟର ସୁଯୋଗ ନେଇ ବିଭିନ୍ନ ଜେଲରୁ ପ୍ରାୟ ୧୪୦୦ କଏଦୀ ଫେରାର ହୋଇ ଯାଇଛନ୍ତି । ପାଲୁ ସହରର ଗୋଟିଏ ଜେଲରୁ ୫୮୧ କଏଦୀ ଚମ୍ପଟ ମାରିଛନ୍ତି । ଏହି ଜେଲରେ ୧୨୦ ଜଣ ରହିବା ଭଳି ଜାଗା ଥିବା ବେଳେ ତାର ୧୦ ଗୁଣ କଏଦୀ ରହୁଥିଲେ ।

INDONESIA JAIL-2

ଗତ ଶୁକ୍ରବାର ଦିନ ଆସିଥିବା ସୁନାମି ବେଳେ ଜେଲ୍ ଭିତରେ ପାଣି ପଶିଗଲା । ଫଳରେ ଜେଲକୁ ଜଗୁଥିବା ପୋଲିସ୍ କର୍ମଚାରୀମାନେ ରାସ୍ତା ଉପରକୁ ଦୌଡ଼ି ପଳାଇଥିଲେ । ସେପଟେ ଭୂମିକମ୍ପରେ କାଳେ ଘର ଭୁଶୁଡ଼ି ପଡ଼ିବ ସେଇ ଡରରେ ଥିଲେ କଏଦୀମାନେ । କିନ୍ତୁ ପୋଲିସ୍ କର୍ମଚାରୀ ପଳାଇବା ପରେ ସେମାନେ ଖସି ପଳାଇଥିଲେ ।

ପାଲୁର ଅନ୍ୟ ଏକ ଜେଲରେ କଏଦୀମାନେ ଜେଲର ମୁଖ୍ୟ ଫାଟକ ଭାଙ୍ଗି ଖସି ଯାଇଥିଲେ । ଦୋଙ୍ଗଲ ଅଞ୍ଚଳରେ ଥିବା ଜେଲରୁ ୩୪୩ ଜଣ କଏଦୀ ଫେରାର ହୋଇ ଯାଇଛନ୍ତି । ସେମାନେ ସମସ୍ତେ ନିଜ ପରିବାରକୁ ଭେଟିବା ପାଇଁ ଚାହୁଁଥିଲେ । ଏବେ ଜେଲରେ ମାତ୍ର ୧୦୦ ଜଣ କଏଦୀ ଅଛନ୍ତି । ସେମାନଙ୍କ ପାଇଁ ଦୈନିକ ଖାଦ୍ୟ ଜୁଟାଇବା ମଧ୍ୟ ସମ୍ଭବ ହେଉନାହିଁ । ତେଣୁ ପାଲିସ୍ କର୍ମଚାରୀ ହାତରୁ ଖର୍ଚ୍ଚ କରି ସେମାନଙ୍କୁ ଖାଇବା ଦେଉଛନ୍ତି । ଶେଷ ସୂଚନା ଅନୁଯାୟୀ କିଛି କଏଦୀ ପୁଣି ଫେରି ଆସିଛନ୍ତି । ଆଉ କିଛି ଅନ୍ତେବାସୀଙ୍କୁ ପୋଲିସ୍ ଧରିଛି ।

 

Leave A Reply

Your email address will not be published.