କୋଭିଡ୍‌ରେ ଚାଲିଗଲା ମା’; ନାବାଳିକା ଝିଅକୁ ୮ ମାସ ଧରି ଦୁଷ୍କର୍ମ କଲେ ୮୦ ଜଣ ଲୋକ…! ଏବେ ପୋଲିସ ହାତରେ ୭୪ ଅଭିଯୁକ୍ତ

୧୩ ବର୍ଷର ଜଣେ ନାବାଳିକାଙ୍କୁ ଜଣେ କି ଦୁଇଜଣ ନୁହେଁ, ପୂରା ୮୦ ଜଣ ଲୋକ ଯୌନ ଶୋଷଣ କରିଛନ୍ତି। କଥାଟି ବିଶ୍ୱାସ ହେଉ ନ ଥିଲେ ବି ଏଭଳି ହୃଦୟବିଦାରକ ଘଟଣା ଘଟିଛି ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ଅଞ୍ଚଳରେ। ଏହି ମାମଲାରେ ପୋଲିସ ୭୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ରିପୋର୍ଟ ମୁତାବକ, ୧୩ ବର୍ଷୀୟା ଏହି ନାବାଳିକାଙ୍କୁ ଗତ ୮ ମାସ ଭିତରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାର ବିଭିନ୍ନ ବୈଶ୍ୟାଳୟକୁ ପଠାଯାଇଥିଲା। ବୋଧହୁଏ ଏହା ପ୍ରଥମ ମାମଲା, ଯେଉଁଠି ରାଜ୍ୟରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୮୦ ଜଣଙ୍କୁ ଅଭିଯୁକ୍ତ କରାଯାଇଛି।

ସୂଚନା ମୁତାବକ, ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସ ମଙ୍ଗଳବାର ଆହୁରି ୧୦ ଜଣଙ୍କୁ ଗିରଫ କରିବା ପରେ ଗିରଫ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିଲା। ଏଥିରେ ଗ୍ୟାଙ୍ଗ୍‌ଷ୍ଟାର, ଦଲାଲ୍‌ ଏବଂ ଗ୍ରାହକଙ୍କ ସମେତ ୭୪ ଜଣ ଅଭିଯୁକ୍ତ ପୋଲିସ କବ୍‌ଜାରେ ଅଛନ୍ତି।

ଏହି ନାବାଳିକାଙ୍କ କାହାଣୀ ଏତେ ଦୁଃଖଦାୟକ ଯେ ଶୁଣିବା ଲୋକର ଆଖିରୁ ବି ଲୁହ ଝରି ଆସିବ। ପୋଲିସ କହିବା ଅନୁଯାୟୀ, ନାବାଳିକାଙ୍କୁ ଜଣେ ମହିଳା ପାଳିଥିଲେ। କାହିଁକି ନା, ଜୁନ୍‌ ୨୦୨୧ରେ ଝିଅଟିର ମା’କୁ କରୋନା ହୋଇଥିଲା, ଯେଉଁ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ଥିଲେ। ସେହି ସମୟରେ ମହିଳା ଜଣକ ନାବାଳିକାଙ୍କ ମା’ ସହିତ ବନ୍ଧୁତା ସ୍ଥାପନ କରିଥିଲେ। ହେଲେ ଦୁଃଖର କଥା ଯେ କୋଭିଡ୍‌ରେ ହିଁ ମା’ ଜଣକ ଚାଲିଯାଇଥିଲେ, ଆଉ ଏହାର ସୁଯୋଗ ନେଇ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମହିଳା ଜଣକ ତାଙ୍କ ଝିଅକୁ ଆଣି ପାଳିଥିଲେ।

କିନ୍ତୁ ବିଡ଼ମ୍ବନାର ବିଷୟ, ମହିଳା ସେହି ନାବାଳିକାଙ୍କୁ ଝିଅ ଭଳି ନ ପାଳି ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରିଥିଲେ। ଅଗଷ୍ଟ ୨୦୨୧ରେ ନାବାଳିକାଙ୍କ ବାପା ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ନାବାଳିକାଙ୍କୁ ଖୋଜିଥିଲା। ବର୍ତ୍ତମାନ ଏହି ମାମଲାରେ ୭୪ ଜଣ ଗିରଫ ହୋଇଥିବା ବେଳେ ୬ ଅଭିଯୁକ୍ତ ଏବେ ବି ଫେରାର୍‌ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.