ଫେସ୍‌ବୁକ୍‌ ପୋଷ୍ଟରେ ବାଉଳାରେ ଭୁଲ ଲେଖିଦେଇଥିଲେ ବ୍ୟାକରଣ, ମାମଲା ହେବାରୁ ଏବେ ଗଣିବେ ମୋଟା ଅଙ୍କର ଜରିମାନା

ପିଲାବେଳେ ଗ୍ରାମାର ଓ ବ୍ୟାକରଣକୁ ପଢ଼ାଇବା ତଥା ବୁଝାଇବା ପାଇଁ ଶିକ୍ଷକଙ୍କୁ ଖୁବ୍‌ ପରିଶ୍ରମ କରିବାକୁ ପଡ଼ୁଥିଲା। ଏଗୁଡ଼ିକର ଭୁଲ ବ୍ୟବହାର ବାକ୍ୟର ଅର୍ଥକୁ ସମ୍ପୂର୍ଣ୍ଣ ବଦଳାଇ ଦିଏ। ଏଣୁ ଛୋଟ ବେଳୁ ହିଁ ଠିକ୍‌ ଭାବେ ଗ୍ରାମାର ପଢ଼ିବାକୁ ଓ ବୁଝିବାକୁ କୁହାଯାଏ। ମାତ୍ର ଏବେ ବଡ଼ ହେବା ପରେ ଆମେ ବେଳେବେଳେ ଗ୍ରାମାର ଉପରେ ଏତେଟା ଗୁରୁତ୍ୱ ଦେଇନଥାଉ। କିନ୍ତୁ ବ୍ୟାକରଣରେ ଏହି ଛୋଟ ଛୋଟ ଭୁଲ ଆପଣଙ୍କୁ ସମସ୍ୟାରେ ପକାଇପାରେ। ଅଷ୍ଟ୍ରେଲିଆର ଆନ୍ଥନୀ ଜାଡରାଭିକ୍‌ ସେମିତି ଏକ ଭୁଲ କରିଛନ୍ତି, ଯାହାର ପରିଣାମ ସ୍ୱରୂପ ତାଙ୍କ ଉପରେ ମାନହାନି ମକଦ୍ଦମା ରୁଜୁ ହୋଇଛି। ଏହି ସାମାନ୍ୟ ଭୁଲ ପାଇଁ ତାଙ୍କୁ ଏବେ ତଣ୍ଡ ବି ଗଣିବାକୁ ପଡ଼ିପାରେ।

ନ୍ୟୁ ସାଉଥ୍‌ ୱେଲ୍ସର ବାସିନ୍ଦା ଆନ୍ଥନୀ ଫେସ୍‌ବୁକ୍‌ ପୋଷ୍ଟ ଲେଖିବା ବେଳେ ଏକ ଆପୋଷ୍ଟଫି S ଛାଡ଼ି ଦେଇଥିଲେ। ବ୍ୟାକରଣରେ ଏହା ଏକ ଛୋଟ ଭୁଲ ହୋଇଥିଲେ ମଧ୍ୟ ଆନ୍ଥନୀ ଯେଉଁ ଜାଗାରେ ଏହି ଭୁଲ କରିଥିଲେ ତାହା ବେଶ୍‌ ସମ୍ବେଦନଶୀଳ ଥିଲା। ଯେଉଁ ବ୍ୟକ୍ତିଙ୍କ ବିଷୟରେ ଏହି ପୋଷ୍ଟ ଥିଲା, ସେ ଏହି ଛୋଟ ଭୁଲକୁ ଧରିପକାଇଥିଲେ ଓ ମାନହାନି ମକଦ୍ଦମା କରିଥିଲେ। ତେବେ ଯଦି ଆନ୍ଥନୀ ଏହି କେସ୍‌ ହାରି ଯିବେ ତେବେ ତାଙ୍କୁ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ।

ରିପୋର୍ଟ ମୁତାବକ, ଆନ୍ଥନୀ ୨୦୨୦ ଅକ୍ଟୋବର ୨୨ରେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଥିଲେ। ପୋଷ୍ଟରେ ସେ ନିଜ କମ୍ପାନୀର ଅଧିକାରୀ ଷ୍ଟୁଆର୍ଟ ଜୈନଙ୍କ ଉପରେ ଆରୋପ ଲଗାଇ ଲେଖିଥିଲେ ଯେ ସେ ମୋଟାଅଙ୍କର ରୋଜଗାର କରୁଥିଲେ ମଧ୍ୟ କର୍ମଚାରୀଙ୍କ ବକେୟା ଟଙ୍କା ଦେଉନାହାନ୍ତି। ଏହି ପୋଷ୍ଟରେ ଆନ୍ଥନୀ ଭୁଲରେ Employee’s ସ୍ଥାନରେ Employees ଲେଖିଦେଇଥିଲେ। ଏଭଳି ସ୍ଥିତିରେ ଏହାର ଅର୍ଥ ବଦଳିଯାଇଥିଲା ଓ ଅର୍ଥର ଅନର୍ଥ ହୋଇଯାଇଥିଲା। ସେ ଜଣେ ବ୍ୟକ୍ତିଙ୍କ ପଇସା କଥା କହିଥିବା ବେଳେ ତାହା ସମସ୍ତଙ୍କର ବୋଲି ହୋଇଯାଇଥିଲା। ଏଣୁ କମ୍ପାନୀ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।

କୋର୍ଟରେ ମାମଲାର ଶୁଣାଣି କରିବା ଅବସରରେ ଜଜ୍‌ କହିଛନ୍ତି ଯେ ସମସ୍ତଙ୍କ କର୍ମଚାରୀଙ୍କ ଟଙ୍କା ନ ଦେବାର ଅର୍ଥ ସେ ଜାଣି ଶୁଣି ଏମିତି କରିଛନ୍ତି। କୋର୍ଟରେ ଆନ୍ଥନୀଙ୍କ ସଫେଇ ପରେ ମଧ୍ୟ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବାକୁ ମଞ୍ଜୁରୀ ଦେଇଛନ୍ତି। ଆନ୍ଥନୀ କୋର୍ଟରେ କହିଥିଲେ ଯେ ତାଙ୍କ କହିବାର ଅର୍ଥ ସମସ୍ତ କର୍ମଚାରୀଙ୍କୁ ଉଲ୍ଲେଖ କରିବା ନଥିଲା। ଏଣୁ ଏହି କେସ୍‌କୁ ରଦ୍ଦ କରାଯାଉ। କିନ୍ତୁ କୋର୍ଟ ତାଙ୍କ ଦଲିଲକୁ ଖାରଜ କରିଦେଇଛନ୍ତି। ଏଣୁ ଯଦି ସେ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହେଉଛନ୍ତି ତେବେ ତାଙ୍କୁ ମୋଟାଅଙ୍କର ଜରିମାନା ଦେବାକୁ ପଡ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.