ଗୁଜରାଟରେ ମୋରବୀ ଜିଲ୍ଲାରେ ବ୍ରିଜ୍‌ ଟ୍ରାଜେଡି ଘଟଣା: ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି

ଗୁଜରାଟ: ଗୁଜରାଟରେ ମୋରବୀ ଜିଲ୍ଲାରେ ବ୍ରିଜ୍‌ ଟ୍ରାଜେଡି ଘଟଣାରେ ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି । ଆଜି ସକାଳ ସୁଦ୍ଧା ମୃତ୍ୟୁସଂଖ୍ୟା ୧୩୨କୁ ବୃଦ୍ଧି ହୋଇଛି । ୧୭୭ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ୧୯ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେନା, ନୌସେନା, ଏନଡିଆରଏଫ ଓ ଅଗ୍ନିଶମ ବାହିନୀ ପକ୍ଷରୁ ରାତି ତମାମ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ, ମହିଳା ଓ ବୟସ୍କ ବ୍ୟକ୍ତି । ଗତକାଲି ସଂଧ୍ୟା ୬ଟା ୪୦ ମିନିଟରେ ଝୁଲା ପୋଲଟି ଭୁଶୁଡ଼ି ପଡ଼ିଥିଲା । ଅତ୍ୟଧିକ ଭିଡ଼ ହେବାରୁ ଝୁଲା ପୋଲଟି ଭାର ସମ୍ଭାଳି ନପାରି ଭୁଶୁଡ଼ି ପଡ଼ିଥିଲା ।

ଅଘଟଣ ସମୟରେ ପୋଲ ଉପରେ ୪ଶହରୁ ଅଧିକ ଲୋକ ଥିଲେ। ପୋଲଟି ଭୁଶୁଡିବା ପରେ ଲୋକମାନେ ବ୍ରିଜ୍‌ରେ ଲାଗିଥିବା କେବୁଲକୁ ଧରି ପହଁରିଥିବା ଦେଖିବାକୁ ମିଳିଥିଲା । ପ୍ରାୟ ୧୦୦ ବର୍ଷ ତଳର ଏହି ପୋଲ । ୬ ମାସ ବନ୍ଦ ରହିବା ପରେ ଗତ ସପ୍ତାହରେ ଏହାକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ବ୍ରିଟିଶ ଅମଳର ଏହି ପୋଲର ଲମ୍ବ ୨୩୦ ମିଟର । ପର୍ଯ୍ୟଟକଙ୍କ ଆକୃଷ୍ଟ କରିବା ପାଇଁ ତତ୍କାଳୀନ ମୋରବୀ ଶାସକ ଏହାକୁ ନିର୍ମାଣ କରିଥିଲେ । ଏହି ବ୍ରିଜଟି ବ୍ରିଟିଶ ଇଞ୍ଜିନିୟରିଂର ଉତ୍କୃଷ୍ଟ ନମୁନା ବୋଲି କୁହାଯାଏ ।

ଅନ୍ଯପଟେ, କୁହାଯାଉଛି କି ୫ ଦିନ ପୂର୍ବରୁ ଏହି ଝୁଲାପୋଲର ମରାମତି ହୋଇଥିଲା । ମରାମତି ପରେ ବି କେମିତି ଏତେ ବଡ ଦୁର୍ଘଟଣା ହେଲା ତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବ୍ରିଜଟି ମଝିରୁ ଭାଙ୍ଗି ଯିବାରୁ ଲୋକମାନେ ନଦୀକୁ ଖସିପଡିଥିଲେ। ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି। ସମସ୍ତ ଲୋକଙ୍କୁ ନଦୀରୁ କାଢିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରହିଛି। ରବିବାର ଛୁଟି ଦିନ ଥିବାରୁ ଏଠାରେ ଲୋକଙ୍କ ପ୍ରବଳ ଭିଡ ଥିଲା।

ଏପଟେ, କେମିତି ଭୁଶୁଡିଲା ବ୍ରିଜ? ସେନେଇ ଆରମ୍ଭ ହୋଇଛି ତଦନ୍ତ । କେମିତି ଓ କାହିଁକି ଘଟିଲା ଅଘଟଣା ସେନେଇ ଆରମ୍ଭ ହୋଇଛି ତନାଘନା ? ବ୍ରିଜରେ ଏକା ସଙ୍ଗରେ ଏତେ ଲୋକ କିପରି ରହିଲେ ସେନେଇ ପ୍ରଶ୍ନ ଉଠିଛି। ତଦନ୍ତ ପାଇଁ ଗଠନ ହୋଇଛି ୫ ଜଣିଆ ଉଚ୍ଚସ୍ତରୀୟ କମିଟି। ଆଇଜିପି ର‍୍ୟାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଛି। ବ୍ରିଜର ରକ୍ଷଣାବେକ୍ଷଣା ଦାୟିତ୍ୱରେ ଥିବା ମ୍ୟାନେଜମେଣ୍ଟ ଏଜେନ୍ସି ନାଁରେ ୩୦୪, ୩୦୮ ଓ ୧୧୪ ଆଧାରରେ ଅପରାଧିକ ମାମଲା ରୁଜୁ ହୋଇଛି। ଏଜେନ୍ସି ରିନୋଭେସନ କାମ ପରେ ଫିଟ୍‌ନେସ୍‌୍‌ ସାର୍ଟିଫିକେଟ୍‌ ନେଇ ନଥିବା ଅଭିଯୋଗ ହୋଇଛି। ସନ୍ଧ୍ୟା ସୁଧା ତଦନ୍ତକାରୀ ଟିମ ଏନେଇ ଗୁଜୁରାଟ ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିବ ।