ହୃଦୟବିଦାରକ: ଗଛ ସହ ପିଟି ହୋଇ କାର୍‌ରେ ଲାଗିଲା ଭୀଷଣ ନିଆଁ, ଜୀବନ୍ତ ଜଳିଗଲେ ପରିବାରର ୪ ସଦସ୍ୟ

ମଧ୍ୟ ପ୍ରଦେଶର ହରଦା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଜ ଗାଁକୁ ଫେରୁଥିବା ବେଳେ ସେମାନଙ୍କ କାର୍‌ ଏକ ଗଛରେ ପିଟି ହୋଇଯିବାରୁ ସେଥିରେ ଭୀଷଣ ନିଆଁ ଲାଗିଯାଇଥିଲା।

ମଧ୍ୟ ପ୍ରଦେଶର ହରଦା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ନିଜ ଗାଁକୁ ଫେରୁଥିବା ବେଳେ ସେମାନଙ୍କ କାର୍‌ ଏକ ଗଛରେ ପିଟି ହୋଇଯିବାରୁ ସେଥିରେ ଭୀଷଣ ନିଆଁ ଲାଗିଯାଇଥିଲା। ଫଳରେ କାର୍‌ରେ ଥିବା ୪ ଜଣ ବ୍ୟକ୍ତି ନିଆଁ ସଂସ୍ପର୍ଶରେ ଆସି ଜିଅନ୍ତା ଜଳି ଯାଇଥିଲେ।

ଏହି ଘଟଣା ଟିମରନି ଥାନା ଅଧୀନ ନୌସର ଗ୍ରାମ ନିକଟରେ ଘଟିଥିବା କୁହାଯାଉଛି। କାରଟି ଦ୍ରୁତ ଗତିରେ ଯାଉଥିଲା, ଯାହାଫଳରେ ଏହା ନିୟନ୍ତ୍ରଣ ହରାଇ ଏକ ଗଛକୁ ଜୋର୍‌ରେ ଧକ୍କା ଦେଇଥିଲା। ଗଛକୁ ଧକ୍କା ଦେବା ମାତ୍ରେ ସେଥିରେ ନିଆଁ ଲାଗିଯାଇଥିଲା। ଏହି ସମୟରେ କାର୍‌ରେ ଥିବା ଲୋକମାନେ ବାହାରକୁ ବାହାରିବାର ସୁଯୋଗ ପାଇ ନ ଥିଲେ, ଫଳରେ ଘଟଣାସ୍ଥଳରେ ହିଁ ଜୀବନ୍ତ ଜଳିଯାଇଥିଲେ।

ମୃତକଙ୍କ ମଧ୍ୟରେ ଏକ ଦମ୍ପତିଙ୍କ ସମେତ ଗୋଟିଏ ପରିବାରର ୪ ସଦସ୍ୟ ଅଛନ୍ତି। ସମସ୍ତଙ୍କ ବୟସ ୨୫ରୁ ୩୦ ବର୍ଷ ମଧ୍ୟରେ ବୋଲି କୁହାଯାଉଛି। ମୃତକମାନଙ୍କ ମଧ୍ୟରୁ ରାକେଶ ନାମକ ବ୍ୟକ୍ତି ୬ ମାସ ପୂର୍ବରୁ ବିବାହ କରିଥିଲେ। ଘଟଣାର ଖବର ପାଇବା ମାତ୍ରେ ପୋଲିସ ପ୍ରଶାସନ ପହଞ୍ଚି ଅଗ୍ନିଶମ ବାହିନୀର ସହାୟତାରେ ନିଆଁକୁ ଆୟତ୍ତ କରିଥିଲା।

କାର୍‌ ଭିତରେ ଜୀବନ୍ତ ଦଗ୍ଧ ହୋଇଥିବା ଲୋକଙ୍କୁ ବହୁ ପରିଶ୍ରମ ପରେ ବାହାରକୁ ଅଣାଯାଇ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ।