ଜନ୍ମଦିନରେ ମା’ଙ୍କଠାରୁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସାଥୀ ହୋଇ କଲେ ମଧ୍ୟାହ୍ନ ଭୋଜନ
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୬୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଖାସ୍ ଦିନରେ ମୋଦି ଗୁଜରାଟରେ ହିଁ ରହିଥିଲେ। ଜନ୍ମଦିନ ଅବସରରେ ସେ ନିଜ ମା’ ହୀରାବେନ୍ଙ୍କୁ ଦେଖା କରିବା ପାଇଁ ଗାନ୍ଧୀନଗର ପହଞ୍ଚିଥିଲେ। ସେଠାରେ ସେ ମା’ଙ୍କ ସହିତ ସମୟ ବିତାଇଥିଲେ। ଆଉ ସାଥୀ ହୋଇ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ମଙ୍ଗଳବାର ସକାଳେ ହିଁ ପ୍ରଧାନମନ୍ତ୍ରୀ ମା’ଙ୍କୁ ଦେଖା କରିବାକୁ ଯାଇଥାଆନ୍ତେ। କିନ୍ତୁ କୌଣସି କାରଣବଶତଃ କାଯ୍ୟର୍କ୍ରମକୁ ପରିବର୍ତ୍ତନ କରିବାକୁ ପଡ଼ିଥିଲା। ଦ୍ୱିପ୍ରହର ସମୟରେ ମୋଦି ମା’ଙ୍କୁ ଦେଖା କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ ମା’ ହୀରାବେନ୍ ମୋଦି ଗାନ୍ଧୀନଗରରେ ରୁହନ୍ତି। ଅନେକ ସମୟରେ ମୋଦି ନିଜ ମା’ଙ୍କୁ ଭେଟିବା ପାଇଁ ସେଠାକୁ ଯାଇଥାଆନ୍ତି। ତେବେ ଜନ୍ମଦିନରେ ମୋଦି ମା’ଙ୍କ ସହ ମଧ୍ୟାହ୍ନ ଭୋଜନରେ ଡାଲି, ପୂରନ୍ ପୋଲି, ଦେଶୀ ଚଣା ତରକାରୀ ଏବଂ ଆଳୁ ଭେଣ୍ଡି ତରକାରୀ ଖାଇଥିଲେ। ମୋଦି ମା’ଙ୍କ ପାଖରେ ପାଖାପାଖି ଅଧ ଘଣ୍ଟା ରହିଥିଲେ। ଏକ ଗଣମାଧ୍ୟମ ଅନୁସାରେ ମା’ ହୀରାବେନ୍ ସଗୁନ୍ ହିସାବରେ ମୋଦିଙ୍କୁ ୫୦୦ ଟଙ୍କା ଦେଇଥିଲେ।