ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରିବାକୁ ପୁଣି ଅଣ୍ଟା ଭିଡ଼ିଲେଣି ସରକାର, ୩ ବର୍ଷ ତଳେ ସିଏଏକୁ ନେଇ ଜଳିଥିଲା ସାରା ଦେଶ

ନୂଆଦିଲ୍ଲୀ: ଜାତୀୟ ନାଗରିକ ରେଜିଷ୍ଟର ବା ଏନ୍‌ଆରସି ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ପୁଣି ଅଣ୍ଟା ଭିଡ଼ିଛନ୍ତି। ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତି ସହ ବିବାଦୀୟ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏକୁ ନେଇ ୩ ବର୍ଷ ତଳେ ସାରା ଦେଶରେ ଜୋରଦାର ବିକ୍ଷୋଭ ହୋଇଥିଲା।

ବର୍ତ୍ତମାନ ଏହି ଡାଟାବେସକୁ ଜନସଂଖ୍ୟା ରେଜିଷ୍ଟର, ଭୋଟର ତାଲିକା, ଆଧାର କାର୍ଡ, ରାସନ କାର୍ଡ, ପାସପୋର୍ଟ ଓ ଡ୍ରାଇଭିଂ ଲାଇସେନ୍ସ ସହ ଲିଙ୍କ୍‌ କରିବା ଲାଗି ସରକାର ଚାହିଁଛନ୍ତି। ଏଥିଲାଗି ଜନ୍ମ ଓ ମୃତ୍ୟୁ ପଞ୍ଜିକରଣ ଆଇନରେ ସଂଶୋଧନ ଆଣିବା ଲାଗି କ୍ୟାବିନେଟ୍‌ ନୋଟ୍‌ ପ୍ରସ୍ତୁତ କରାଯାଉଛି। ରାଜ୍ୟଗୁଡ଼ିକର ମୁଖ୍ୟ ରେଜିଷ୍ଟ୍ରାରମାନଙ୍କ ସହ ଭାରତର ରେଜିଷ୍ଟ୍ରାର ଜେନେରାଲ ସମନ୍ଵୟ ରକ୍ଷା କରି ଏହି ଡାଟାବେସ ପ୍ରସ୍ତୁତ କରିବେ। ତଥ୍ୟଗୁଡ଼ିକର ଅପ୍‌ଡେଟ ଲାଗି ଆଧାର, ରାସନ କାର୍ଡ, ଭୋଟର ତାଲିକା, ପାସପୋର୍ଟ ଏବଂ ଡ୍ରାଇଭିଂ ଲାଇସେନ୍ସ କର୍ତ୍ତୃପକ୍ଷଙ୍କ ସହ ଧାରାବାହିକ ଭାବେ ଯୋଗସୂତ୍ର ରକ୍ଷା କରାଯିବ।

ସମସ୍ତ ଭାରତୀୟ ନାଗରିକଙ୍କ ଜନ୍ମ, ମୃତ୍ୟୁର ତଥ୍ୟ ଏଥିରେ ପଞ୍ଜିକୃତ ରହିବ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏକ କ୍ୟାବିନେଟ୍‌ ପ୍ରସ୍ତାବ ଓ ବିଲ୍‌ ସକାଶେ ପ୍ରସ୍ତୁତି ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ସବୁ ତଥ୍ୟ ରାଜ୍ୟସ୍ତରରେ କରାଯାଉଛି। ପୂର୍ବରୁ ଜନ ପ୍ରତିନିଧି ଆଇନକୁ ସଂଶୋଧନ କରି ଭୋଟର ପରିଚୟ ପତ୍ର ସହ ଆଧାର କାର୍ଡ ଲିଙ୍କ୍‌ ବ୍ୟବସ୍ଥା ପାଇଁ ନିର୍ବାଚନ କମିଶନ ସୁପାରିସ କରିବା ପରେ ଏହାକୁ ପାର୍ଲାମେଣ୍ଟରେ ଦୃଢ଼ ବିରୋଧ କରାଯାଇଥିଲା।

ଜାତୀୟ ଜନସଂଖ୍ୟା ରେଜିଷ୍ଟରକୁ ଅପଡେଟ୍‌ କରିବା ସହ ଅନୁପ୍ରବେଶକାରୀଙ୍କୁ ବେଆଇନ ଘୋଷଣା କରିବା ପାଇଁ ଜାତୀୟ ନାଗରିକ ରେଜିଷ୍ଟର ପ୍ରସ୍ତୁତ କରାଯିବ ବୋଲି ପୂର୍ବରୁ ଅମିତ୍‌ ଶାହ ଘୋଷଣା କରିଥିଲେ।

Also Read: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୬୩ ନୂଆ ପଜିଟିଭ ଚିହ୍ନଟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.