ସିଦ୍ଧୁଙ୍କ ନୂଆ ପରିଚୟ କଏଦୀ ନଂ ୨୪୧୩୮୩, ବର୍ଷେ ରହିବା ପାଇଁ ମିଳିଲା ୪ଟି ଡ୍ରେସ ଓ ଦୁଇଟି ପଗଡି

ପଞ୍ଜାବ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଶୁକ୍ରବାର ଦିନ ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି। ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏକ ପୁରୁଣା ମାମଲାରେ ପଞ୍ଜାବ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ନବଜୋତ ସିଂହ ସିଦ୍ଧୁଙ୍କୁ ବର୍ଷେ ଜେଲ୍ ହୋଇଛି। ଶୁକ୍ରବାର କୋର୍ଟରେ ଆତ୍ମ ସମର୍ପଣ କରିବା ପରେ ପଟିଆଲା ଜେଲକୁ ଯାଇଛନ୍ତି ସିଦ୍ଧୁ। ଜେଲ୍ ପ୍ରଶାସନ ତାଙ୍କୁ ଅନ୍ୟ କଏଦୀଙ୍କ ପରି ଏକ ନମ୍ବର ଦେଇଛନ୍ତି। ଜେଲ୍ ପହଞ୍ଚିବା ମାତ୍ରେ ସିଦ୍ଧୁଙ୍କୁ କଏଦୀ ନମ୍ବର ୨୪୧୩୮୩ ମିଳିଛି।

ଜେଲରେ ରହୁଥିବା କଏଦୀଙ୍କୁ ସେମାନଙ୍କର ନାଁ ନୁହେଁ କଏଦୀ ନମ୍ବରରୁ ଚିହ୍ନଟ କରାଯାଏ। ଏହାଛଡା ଜେଲରେ ସିଦ୍ଧୁଙ୍କୁ ଏକ ଚେୟାର, ଦୁଇଟି ପଗଡି, ଗୋଟେ ଆଲମାରୀ, ଗୋଟିଏ କମ୍ବଳ, ଗୋଟେ ବେଡ୍‌, ତିନିଟି ଅଣ୍ଡରେଓ୍ଵୟର, ୨ଟି ଟାଓ୍ଵଲ, ହଳେ ଜୋତା, ଦୁଇଟି ବେଡସିଟ୍‌, ଚାରିଟି ଡ୍ରେସ ଦିଆଯାଇଛି।

ପଞ୍ଜାବ ବିଧାନସଭା ନିର୍ବାଚନରେ ନିଜ ଆସନରୁ ହାରିବା ପରଠୁ ସିଦ୍ଧୁଙ୍କ ଲୋକପ୍ରିୟତା କମ୍‌ ହେବାରେ ଲାଗିଛି। ପ୍ରଥମେ ତାଙ୍କୁ ପିସିସି ପଦରୁ ବାଦ୍‌ ଦିଆଯିବା ବେଳେ ପରେ ଦଳରେ କଣଠେସା କରାଗଲା। ଏବେ ୩୪ ବର୍ଷର ପୁରୁଣା କେସରେ ତାଙ୍କୁ ଜେଲ୍ ଦଣ୍ଡାଦେଶ ମିଳିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଦ୍ଧୁ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି। ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ପଟିଆଲା ଜେଲ୍ ପଠାଇ ଦିଆଯାଇଛି। ସିଦ୍ଧୁ ଏବେ ଗୋଟିଏ ବର୍ଷ ପାଇଁ କଏଦୀ ନମ୍ବର ୨୪୧୩୮୩ ଭାବେ ସଜା କାଟିବେ। ପ୍ରତିଦିନ ଲକ୍ଷାଧିକ ଟଙ୍କା ଆୟ କରୁଥିବା ସିଦ୍ଧୁ ଏବେ ଜେଲରେ କେବଳ ଦିନକୁ ୩୦ ରୁ ୯୦ ଟଙ୍କା ଆୟ କରି ପାରିବେ।

sidhhu

ସୂଚନାଯୋଗ୍ୟ, ୧୯୮୮ ମସିହା ସେପ୍ଟେମ୍ବର ୨୭ ତାରିଖରେ ପଟିଆଲାରେ କାର୍ ପାର୍କିଂକୁ ନେଇ ୬୫ ବର୍ଷୀୟ ଗୁରନାମ ସିଂହଙ୍କ ସହ ସିଦ୍ଧୁ ଓ ତାଙ୍କ ସାଙ୍ଗ ରୁପିନ୍ଦର ସିଂ ସନ୍ଧୁଙ୍କ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବୃଦ୍ଧଙ୍କୁ ମୁଥ ମାରିଥିଲେ ସିଦ୍ଧୁ । ଯେଉଁଥିରେ ଗୁରୁତର ହୋଇଥିଲେ ଗୁରନାମ ସିଂହ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ସିଦ୍ଧୁ ଓ ତାଙ୍କ ସାଙ୍ଗଙ୍କ ନାଁରେ ରୁଜୁ ହୋଇଥିଲା ହତ୍ୟା ମାମଲା । ତଳକୋର୍ଟ, ହାଇକୋର୍ଟ ପରେ ମାମଲା ସୁପ୍ରିମକୋର୍ଟକୁ ଆସିଥିଲା ।

୨୦୦୬ ରେ ପଞ୍ଜାବ-ହରିୟାଣା ହାଇକୋର୍ଟ ଏହି ମାମଲାରେ ସିଦ୍ଧୁଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ।ଏହାପରେ ସିଦ୍ଧୁ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ। ୨୦୧୮ ମେ ରେ ସିଦ୍ଧୁଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ସୁପ୍ରିମକୋର୍ଟ । ଏହା ପରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଏହା ଉପରେ ଏକ ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଥିଲେ। ସିଦ୍ଧୁଙ୍କୁ ଆଇପିସିର ଧାରା ୩୨୩ ଆଧାରରେ ଗୋଟିଏ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.