ବାହାନଗା ଟ୍ରେନ ଟ୍ରାଜେଡି : NDRF ଯବାନଙ୍କୁ ପାଣି ରକ୍ତ ଭଳି ଲାଗୁଥିବା ବେଳେ ଭୋକ ମଧ୍ୟ ଲାଗୁନି, ଏବେ କରାଯାଉଛି କାଉନସେଲିଂ

ବାଲେଶ୍ବର ବାହାନଗାରେ ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାରକାରୀ ଏନଡିଆରଏଫ ଯବାନଙ୍କୁ ପାଣି ରକ୍ତ ଭଳି ଦେଖାଯାଉଥିବା ବେଳେ ଆଉ ଜଣେ ଯବାନଙ୍କୁ ଭୋକ ଲାଗିବା ବନ୍ଦ ହୋଇଯାଇଛି । ତେଣୁ ସେମାନଙ୍କୁ ମନୋବିଜ୍ଞାନ କାଉନସେଲିଂ କରାଯାଉଛି ବୋଲି ଏନଡିଆରଏଫ ମହାନିର୍ଦ୍ଦେଶକ କହିଛନ୍ତି ।

ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଟ୍ରେନ ଦୁର୍ଘଟଣାର ଛାତିଥରା ଦୃଶ୍ୟ କାହା ମନରୁ ଲିଭିନି । ଲୋକେ ଆଜି ପର୍ଯ୍ୟନ୍ତ ମଧ୍ୟ ନିଜ ମୃତକଙ୍କ ମୃତଦେହକୁ ଘରକୁ ନେଇନାହାନ୍ତି । ଆଜି ବି ଦୁର୍ଘଟଣା ସ୍ଥାନରେ କାମ ଚାଲିଛି । ଉଦ୍ଧାର କାର୍ଯ୍ୟ ଶେଷ ହୋଇଯାଇଥିଲେ ମଧ୍ୟ ରେଳଧାରଣା ମରାମତି କାମ ଚାଲିଛି । ଏହା ମଧ୍ୟରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ଏନଡିଆରଏଫ ଟିମ୍ ଦିନରାତି ପରିଶ୍ରମ କରି ଲୋକଙ୍କୁ ଉଦ୍ଧାର କରିଥିଲେ । ଏବେ ଏହି ଦଳର ଜଣେ ଯବାନଙ୍କ ସ୍ଥିତି ଜଟିଳ ହୋଇପଡିଛି । ଯବାନ ଜଣକ ପାଣି ଦେଖିବା ମାତ୍ରେ ତାଙ୍କୁ ରକ୍ତ ଭଳି ଦେଖାଯାଉଛି । ଆଉ ଜଣେ ଯବାନଙ୍କୁ ଭୋକ ଲାଗିବା ବନ୍ଦ ହୋଇଯାଇଛି ବୋଲି ଏନଡିଆରଏଫର ମହାନିର୍ଦ୍ଦେଶକ ଅତୁଲ କରୱାଲ କହିଛନ୍ତି । ସେମାନଙ୍କୁ ଏବେ କାଉନସେଲିଂ କରାଯାଉଛି ବୋଲି ଖବର ମିଳିଛି ।

ବାଲେଶ୍ବର ବାହାନଗାରେ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ୨୭୫ ଲୋକଙ୍କ ଜୀବନ ଚାଲିଯାଇଥିବା ବେଳେ ୧୧୦୦ରୁ ଅଧିକ ଆହତ ହୋଇଛନ୍ତି । ବାହାନଗା ଷ୍ଟେସନରେ ମାଲଗାଡି ଲୁପ୍ ଲାଇନରେ ଥିବା ବେଳେ ମେନ ଲାଇନରେ କରମଣ୍ଡଳ ଏକ୍ସପ୍ରେସକୁ ଗ୍ରୀନ ସିଗନାଲ ମିଳିଥିଲା । କରମଣ୍ଡଳ ମେନ ଲାଇନରେ ଆସୁଥିବା ବେଳେ ହଠାତ୍ ପୁଣି ଲୁପ୍ ଲାଇନରେ ଯିବାକୁ ସିଗନାଲ ମିଳିଥିଲା । ଟ୍ରେନକୁ ଲୁପ୍ ଲାଇନ ସିଗନାଲ ମିଳିବା ପରେ କରମଣ୍ଡଳ ଡ୍ରାଇଭର ଗାଡିକୁ ଲୁପ୍ ଲାଇନକୁ ନେଇଥିଲେ ।

ହେଲେ ସେଠାରେ ପୂର୍ବରୁ ରହିଥିବା ମାଲଗାଡି ସହିତ କରମଣ୍ଡଳର ଧକ୍କା ହୋଇଥିଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଏକ୍ସପ୍ରେସର ଇଂଜିନ ମାଲଗାଡି ଉପରେ ଚଢିଯାଇଥିଲା । ଆଉ ୨୧ଟି ବଗି ଲାଇନଚ୍ୟୁତ ହୋଇଥିଲା। ବଗିଗୁଡିକୁ ଲାଇନଚ୍ୟୁତ ହୋଇ ଅନ୍ୟ ଲାଇନରେ ପଡିଥିଲା । ଆଉ ଡାଉନ ଲାଇନରେ ଆସୁଥିବା ଯଶବନ୍ତପୁର ହାୱାଡା ଏକ୍ସପ୍ରେସ ଏହି ବଗି ସହିତ ଧକ୍କା ହୋଇଥିଲା । ଫଳରେ ଆଉ ଏକ ଟ୍ରେନ ଦୁର୍ଘଟଣାର ଶିକାର ହୋଇଥିଲା।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ପ୍ରଥମେ ସହାୟତା ପାଇଁ ଆସିଥିବା ବେଳେ ଏନଡିଆରଏଫ ଟିମ୍, ଓଡିଶା ଉଦ୍ଧାରକାରୀ ଦଳ ସମସ୍ତେ ଆପ୍ରାଣ ଚେଷ୍ଟା କରି ଆହତଙ୍କୁ ଉଦ୍ଧାର କରିଥିଲେ । ମୃତକ ଟ୍ରେନ ତଳେ ଚାପି ହୋଇଥିବା ବେଳେ ଏନଡିଆରଏଫ ଟିମର ଯବାନ ଦିନ ରାତି ପରିଶ୍ରମ କରି ସେମାନଙ୍କୁ ବାହାର କରିଥିଲେ । ତେବେ ଏନଡିଆରଏଫ ଟିମର ଯବାନମାନେ କରିଥିବା ଅକ୍ଲାନ୍ତ ପରିଶ୍ରମ ପରେ ସେମାନଙ୍କ ମାନସିକ ସ୍ଥିତି ଭଲନାହିଁ । ସେମାନଙ୍କୁ ପାଣି ମଧ୍ୟ ରକ୍ତ ଭଳି ଦେଖାଯାଉଛି । ଅନ୍ୟ ଜଣେ ଯବାନଙ୍କୁ ଭୋକ ଲାଗିବା ବନ୍ଦ ହୋଇଯାଇଛି । ତେଣୁ ସେମାନଙ୍କୁ ମନୋବିଜ୍ଞାନ କାଉନସେଲିଂ ଏବଂ ମାନସିକ ସ୍ଥିରତା ଟ୍ରେନିଂ ଦିଆଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.