ବିବାହ ପର ଦିନ ବନ୍ଧୁକ ଧରି ଯୁଦ୍ଧ ମଇଦାନକୁ ଓହ୍ଲାଇଲେ ୟୁକ୍ରେନ୍‌ର ନବ ଦମ୍ପତି, କହିଲେ-‘ଏବେ ଦେଶ ପାଇଁ ଲଢ଼ିବାକୁ ହେବ’

ସବୁ ପୁଅ ଝିଅଙ୍କ ପାଇଁ ତାଙ୍କ ବିବାହ ଦିନ ଖୁବ୍‌ ଖାସ୍‌ ହୋଇଥାଏ। ଏହି ଦିନ ବାଜା, ବାଣ ରୋଷଣି ସହ ସେମାନେ ୭ ଜନ୍ମ ପାଇଁ ଏକାଠି ହୋଇଥାନ୍ତି। କିନ୍ତୁ ୟୁକ୍ରେନ୍‌ର ଏକ ବିବାହରେ ବାଣ ବଦଳରେ ଶୁଭିଥିଲା ମିସାଇଲ ଓ ବୋମାର ଶବ୍ଦ। ବର୍ତ୍ତମାନ ୟୁକ୍ରେନ୍‌ରେ ଯୁଦ୍ଧ ଚାଲିଥିବା ବେଳେ ନିକଟରେ ସେଠାରେ ଏକ ପ୍ରେମୀ ଯୁଗଳ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ବିବାହ ପରେ ଏହି ନବ ଦମ୍ପତି ଦେଶର ରକ୍ଷା ପାଇଁ ବନ୍ଧୁକ ଧରିଛନ୍ତି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏହି ବର କନ୍ୟା ହେଉଛନ୍ତି ସ୍ୱିୟାଟୋସ୍ଲାଭ ଫୁରସିନ୍‌ ଓ ୟାରିନା ଏରିଭା। ୨୨ ଫେବ୍ରୁଆରୀରେ ଏହି ଦୁଇ ଜଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମାନଙ୍କ ବିବାହ ପରେ ହିଁ ଦେଶ ଅଶାନ୍ତ ହୋଇଯାଇଥିଲା। ରୁଷ ଆକ୍ରମଣ ଫଳରେ ୟୁକ୍ରେନ୍‌ରେ ଯୁଦ୍ଧ ସ୍ଥିତି ଲାଗି ରହିଛି। ଦେଶର ଏଭଳି ସ୍ଥିତି ଦେଖି ଏହି ନବ ଦମ୍ପତି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏମାନେ ଦେଶ ପାଇଁ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଫଳରେ ହାତରେ ବନ୍ଧୁକ ଧରି ରୁଷକୁ ସାମ୍ନା କରିବାକୁ ବାହାରିଛନ୍ତି।

୨୦୧୯ ଅକ୍ଟୋବରରେ ଏହି ଦୁଇ ଜଣ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ୨୦୨୨ରେ ବିବାହ ପରେ ଏହି ଯୋଡ଼ି ସ୍ୱାମୀ ସ୍ତ୍ରୀ ଭାବେ ପ୍ରଥମ ଥର ପାଇଁ ଦେଶକୁ ରକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ୟାରିନା ନିଜ ଫେସ୍‌ବୁକ୍‌ ପେଜ୍‌ରେ ହାତରେ ଏକେ ୪୭ ଧରିଥିବା ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ତାଙ୍କ ସହ ସ୍ୱାମୀ ବି ଅଛନ୍ତି। ଉଭୟେ ଡିଫେନ୍ସ ସେଣ୍ଟରକୁ ଯାଇ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିବା ସହ ପରାମର୍ଶ ନେଇଛନ୍ତି।

ସେମାନେ କହିଛନ୍ତି ଏହି ସମୟ ଆମ ଦେଶ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ। ଏଣୁ ବିବାହ ପରେ ଆମେ ନିଜ ଜୀବନକୁ ଉପଭୋଗ କରିବା ଅପେକ୍ଷା ଦେଶ ପାଇଁ ଲଢ଼ିବାକୁ ନିଷ୍ପତ୍ତି ନେଇଛୁ। ଆଶା କରୁଛୁ ରୁଷ ସେନା ଶୀଘ୍ର ଆମ ମାଟି ଛାଡ଼ି ଚାଲିଯିବେ ଓ ପୁଣିଥରେ ଆମେ ପୂର୍ବ ଭଳି ବଞ୍ଚିବୁ।