ଦୋଷୀଙ୍କୁ ଫାଶୀ ପରେ ଭାବୁକ ହୋଇଗଲେ ନିର୍ଭୟାର ଚିକିତ୍ସା କରୁଥିବା ଡାକ୍ତର କହିଲେ ସେହି ରାତିର କଥା..

ଦୀର୍ଘ ୭ ବର୍ଷ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇଛି । ତେବେ ଏହା ଉପରେ ନିର୍ଭୟା ବା ଜ୍ୟୋତି ସିଂଙ୍କ ଚିକିତ୍ସା କରୁଥିବା ଡାକ୍ତର ମଧ୍ୟ ଭାବୁକ ହୋଇଯାଇଛନ୍ତି । ସେ କହିଛନ୍ତି ଯେ ଆଜି ମନକୁ ଟିକେ ଶାନ୍ତି ମିଳିଲା । ପ୍ରତ୍ୟେକ ଦୁଷ୍କର୍ମୀଙ୍କୁ ଏହିଭଳି ଦଣ୍ଡ ଦେବା ଆବଶ୍ୟକ ଯାହାଦ୍ୱାରା ଏହିପରି ଜଘନ୍ୟ କାଣ୍ଡ କରିବାକୁ ଲୋକମାନେ ଭୟ କରିବେ ।

ଆଜି ନିର୍ଭୟାଙ୍କ ଦୋଷୀଙ୍କୁ ଫାଶୀ ମିଳିବା ପରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ବହୁତ ଖୁସି ହୋଇଯାଇଛନ୍ତି । ତାଙ୍କ କହିବା ଅନୁଯାୟୀ ୧୬ ଡିସେମ୍ବର ୨୦୧୨ରେ ଦେଶର ଏକ ଝିଅକୁ ଏପରି ଅବସ୍ଥାରେ ଦେଖି ଡାକ୍ତର ଜଣଙ୍କ ପାଦତଳୁ ମାଟି ଖସି ଯାଇଥିଲା । ଆଜିବି ସେହି ଘଟଣା ମନେପଡିଲେ ତାଙ୍କ ଆଖିରେ ଲୁହ ଆସିଯାଏ ବୋଲି ସେ କହିଥିଲେ । ନିର୍ଭୟାଙ୍କ ଦୋଷୀକୁ ଫାଶୀ ମିଳିବା ପରେ ତାଙ୍କ ମାନଙ୍କୁ ଶାନ୍ତି ମିଳିଛି । ତେବେ ନିର୍ଭୟ ଯେଉଁଠି ବି ଥିବ ତା ଆତ୍ମାକୁ ଶାନ୍ତି ମିଳୁଥିବ ବୋଲି କହି ଡାକ୍ତରଜଣକ ଭାବବିହ୍ୱଳ ହୋଇପଡିଥିଲେ ।

ଡାକ୍ତରଙ୍କ କହିବା ଅନୁଯାୟୀ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତି ପ୍ରାୟ ୧.୩୦ ମିନିଟରେ ସେ ନାଇଟ ଡ୍ୟୁଟିରେ ଥିଲେ । ଠିକ ସେହି ସମୟରେ ହଠାତ ଏମରଜେନ୍ସି ଆଗରେ ଆସି ଏକ ଆମ୍ବୁଲାନ୍ସ ଲାଗିଥିଲା । ଯେଉଁଥିରେ ଥିଲେ ଜଣେ ୨୧ ବର୍ଷୀୟ ଯୁବତୀ । ତାଙ୍କର କପଡା ଚିରି ଯାଇଥିଲା ଏବଂ ତାଙ୍କ ଶରୀରରୁ ଲଗାତାର ରକ୍ତ ବୋହି ଚାଲିଥିଲା ।

ତେବେ ସେହି ରାତିରେ ସର୍ଜିକାଲ, ଇମରଜେନ୍ସି ଓ ଆଇସିୟୁ ଟିମ ତାଙ୍କୁ ବଞ୍ଚାଇବା ପାଇଁ ଲାଗିପଡ଼ିଥିଲେ । ଅନେକଥର ତାଙ୍କର ସର୍ଜରୀ କରାଯାଇଥିଲା କିନ୍ତୁ ଗଭୀର କ୍ଷତ କାରଣରୁ ତାଙ୍କୁ ବଞ୍ଚାଇବା ବହୁତ ମୁସ୍କିଲ ହୋଇପଡ଼ିଥିଲା । ଏପରି କୌଣସି ବି ଟେକ୍ନୋଲୋଜି ନଥିଲା ଯାହାଦ୍ୱାରା ତାଙ୍କୁ ବଞ୍ଚାଯାଇପାରିବ । ସେଥିପାଇଁ ତାଙ୍କୁ ସିଙ୍ଗାପୁର ପଠାଇ ଦିଆଯାଇଥିଲା । ତେବେ ସର୍ବଶେଷରେ ଯନ୍ତ୍ରଣା ସହିତ ଲଢ଼ି ଲଢ଼ି ଆଖି ବୁଜିଦେଇଥିଲେ ନିର୍ଭୟା । ଆଜି ସେ ଯେଉଁଠି ବି ଥିବେ ତାଙ୍କ ଆତ୍ମାକୁ ନିଶ୍ଚୟ ଶାନ୍ତି ମିଳିଥିବ ବୋଲି କହିଥିଲେ ନିର୍ଭୟାଙ୍କ ଡାକ୍ତର ଡ. ବିପୁଲ କଣ୍ଡୱାଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.